କଟକ ୧୪।୧୧: ଚଳିତ ବର୍ଷ ଐତିହାସିକ କଟକ ବାଲିଯାତ୍ରାକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟ ସରକାର ଏ ନେଇ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦେଇଥିଲେ । ରାଷ୍ଟ୍ରପତି ନିମନ୍ତ୍ରଣ ସ୍ବୀକାର କରି ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ସଂଧ୍ୟା ୫ଟାରେ ରାଷ୍ଟ୍ରପତି ସିଲଭର ସିଟି ବୋଟ୍ କ୍ଲବରେ ପହଞ୍ଚିବେ । ସେଠାରୁ ସ୍ବତନ୍ତ୍ର ଭାବେ ତିଆରି ଡଙ୍ଗାରେ ରାଷ୍ଟ୍ରପତି ମହାନଦୀର ଗଡଗଡିଆ ଘାଟକୁ ଆସିବେ । ସେଠାରେ ରାଷ୍ଟ୍ରପତି ବୋଇତ ବନ୍ଦାଣ କରିବେ । ବୋଇତ ବନ୍ଦାଣ ପରେ ଗଡଗଡିଆ ଘାଟରୁ ରାଷ୍ଟ୍ରପତି କଟକ ଇନ୍ କଟକ ଦେଇ ଓରମାସରେ ପହଞ୍ଚି ଏହାର ଉଦଘାଟନ କରିବେ । ଏହା ପରେ ରାଷ୍ଟ୍ରପତି ଗଣକବି ବୈଷ୍ଣବ ପାଣି ମଞ୍ଚରେ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ଯୋଗ ଦେବେ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସାହେବ ଶିନ୍ଦେ ।

ସେପଟେ ଚଳିତ ବର୍ଷ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମର ଆଡମ୍ବରକୁ ସୀମିତ ରଖିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଦକ୍ଷିଣ ଓଡ଼ିଶାରେ ବନ୍ୟା ପ୍ରଭାବିତଙ୍କୁ ସମବେଦନା ଜଣାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ବାଲିଯାତ୍ରାରେ କୌଣସି ପ୍ରକାର ଅଘଟଣ ଘଟିଲେ କିଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଚଳିତ ବର୍ଷ ବାଲିଯାତ୍ରା ପଡିଆରେ ସ୍ବତନ୍ତ୍ର ବିପର୍ଯ୍ୟୟ ପ୍ରଶମନ ସେଲ୍ କରାଯିବ । ବିଭିନ୍ନ ବିଭାଗର ସମନ୍ବୟରେ ଏହି ସେଲ୍ ଗଠନ କରାଯିବ, ଯେଉଁଥିରେ ପୋଲିସ ଓ ଅଗ୍ନିଶମ ବିଭାଗର ପ୍ରମୁଖ ଭୂମିକା ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେହିପରି ବାଲିଯାତ୍ରା ସମୟରେ ଲୋକଙ୍କ ଭିଡ ଯୋଗୁଁ ମୋବାଇଲ ନେଟୱର୍କ ସମସ୍ୟା ସମାଧାନ ପାଇଁ ଚଳିତ ବର୍ଷ ଅଧିକ ଟାଓ୍ବାର ଓ କ୍ଲାଉଡ୍ ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ତେବେ ବାଲିଯାତ୍ରା ପଡିଆରେ ଏହାର ସ୍ଥାୟୀ ସମାଧାନ ପାଇଁ ପଡିଆର ବିଦ୍ୟୁତ ଖୁଣ୍ଟ ଗୁଡିକରେ ଛୋଟ ଛୋଟ ଟ୍ରାନ୍ସମିଟର ଲଗାଇବା ପାଇଁ ଏକ ଘରୋଇ ସଂସ୍ଥା ପ୍ରସ୍ତାବ ଦେଇଛି । ଏହା କାର୍ଯ୍ୟକାରୀ ହେଲେ ବାଲିଯାତ୍ରା ପଡ଼ିଆରେ ନେଟୱର୍କ ସମସ୍ୟା ଦୂର ହୋଇଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Also Read:- ପ୍ରୋଜେକ୍ଟ କରୁଥିଲେ, ହଠାତ୍ ଲାଗିଗଲା ନିଆଁ ; ପୋଡ଼ି ହୋଇ ଛାତ୍ର ଗୁରୁତର

ବାଲିଯାତ୍ରାରେ ଚଳିତ ବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବ ଅନ୍ତର୍ଜାତୀୟ ବୋଟ୍ ରେସ୍ । ଏଥିପାଇଁ ପର୍ଯ୍ୟଟନ ବିଭାଗ ଯୋଜନା ପ୍ରସ୍ତୁତ କରିଛି । ମହାନଦୀରେ ଏହି ବୋଟ୍ ରେସ୍ ଆୟୋଜିତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଚଳିତ ବର୍ଷ ବାଲିଯାତ୍ରାରେ ମୋଟ୍ ୧୮ ଶହ ଷ୍ଟଲ ଖୋଲିବ । ଓରମାସ ବ୍ୟତୀତ ମିଶନ ଶକ୍ତି, ବିଭିନ୍ନ ରାଜ୍ୟର ହସ୍ତକଳାକୁ ନେଇ ସ୍ବତନ୍ତ୍ର ପାଭିଲିୟନ ହେଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।