ଅହମଦାବାଦ: ଗୁଜରାଟ ପୌର ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି। ୧୫ ନଗରନିଗମ, ୮୪ ନଗର ପାଳିକା, ୩୪ ଜିଲ୍ଲା ପଞ୍ଚାୟତ ଓ ୨୬୦ ତାଲୁକା ପଞ୍ଚାୟତ ପାଇଁ ଭୋଟ ଗ୍ରହଣ ହୋଇଛି। ଭୋଟର ଲିଷ୍ଟ ଗହନ ପୁନରୀକ୍ଷଣ (ଏସଆଇଆର) ପରେ ଏହା ରାଜ୍ୟରେ ପ୍ରଥମ ନିର୍ବାଚନ। ରାଜ୍ୟରେ ୨୦୨୭ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପାଳିକା ନିର୍ବାଚନ ଅନୁଷ୍ଠିତ ହେଉଛି। ତେବେ ରାଜ୍ୟରେ ୧୯୯୫ ମସିହାରୁ ବିଜେପି ଶାସନରେ ରହିଛି। ଏଥିରେ ୨୦୧୫ ମସିହା ପାଳିକା ନିର୍ବାଚନରେ କଂଗ୍ରେସ ନିଜ ସ୍ଥିତି ମଜଭୁତ କରିଥିଲା।

କଂଗ୍ରେସର ଏହି ସଫଳତା ୨୦୧୭ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ୧୮୨ ସଦସୀୟ ବିଧାନସଭାରେ ବିଜେପିର ଆସନ ସଂଖ୍ୟା କମି ୯୯ ହୋଇଯାଇଥିଲା ଓ କଂଗ୍ରେସ ୭୭ଟି ଆସନରେ ବିଜୟୀ ହୋଇ ମଜଭୁତ ବିରୋଧୀ ଦଳ ଭାବେ ଉଭା ହୋଇଥିଲା। ତେବେ ୨୦୨୧ରେ ପରିସ୍ଥିତି ପୁଣି ବଦଳି ଯାଇଥିଲା। ବିଜେପି ସବୁ ପ୍ରମୁଖ ନଗରନିଗମରେ ନିଜ ସ୍ଥିତି ସୁଧାରିଥିବା ବେଳେ ପାଳିକାରେ ନିଜର ସ୍ଥିତିକୁ ସୁଦୃଢ କରିଥିଲା। ସୁରଟ ନଗରନିଗମରେ କଂଗ୍ରେସକୁ ପଛରେ ପକାଇ ଆମ ଆଦମୀ ପାର୍ଟି (ଆପ) ବଡ଼ ଦଳ ଭାବେ ଉଭା ହୋଇଥିଲା।

ରବିବାର ସାରା ଗୁଜରାଟରେ ୪୧.୮ ନିୟୁତ ଭୋଟର ୨୫,୫୩୭ ପ୍ରାର୍ଥୀଙ୍କ ଲାଗି ମତଦାନ କରିଛନ୍ତି। ନାଡିୟାଡ, ସୁରେନ୍ଦ୍ର ନଗର, ଆଣନ୍ଦ, ନବସାରୀ, ଭାପି, ମୋରବୀ, ଗାନ୍ଧିଧାମ, ପୋରବନ୍ଦର ଓ ମେହେସାନାରେ ନବ ଗଠିତ ୯ ନଗର ନିଗମରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥି ପାଇଁ ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ଥିଲା। ଭୋଟ ଗ୍ରହଣ ଆରମ୍ଭ ହେବାର କିଛି ଘଣ୍ଟା ପରେ ଅନେକ ସ୍ଥାନରେ ଇଲେକ୍ଟ୍ରିକ ଭୋଟିଂ ମେସିନ (ଇଭିଏମ)ରେ ତ୍ରୁଟି ଅଭିଯୋଗ ହୋଇଥିଲା। ଏଥି ପାଇଁ ଭୋଟିଂ ବିଳମ୍ବ ହୋଇଥିଲା।

ଶାସକ ବିଜେପି ୭୩୬ଟି ଆସନରେ ନିର୍ବିରୋଧ ଜିତିଛି। ଏହି ସଂଖ୍ୟା ୨୦୨୦ରେ ୨୨୦ ଓ ୨୦୧୫ ମସିହାରେ ୩୭ ଥିଲା। ତେବେ ବିରୋଧୀ ଦଳ ପ୍ରାର୍ଥୀ ପ୍ରତ୍ୟାହାର କରିବା ପାଇଁ ବିଜେପି ଚାପ ପକାଇଥିବାର ଅଭିଯୋଗକୁ ଦଳ ଅଗ୍ରାହ୍ୟ କରିଦେଇଛି। ଏପ୍ରିଲ ୧୫ ତାରିଖରେ ବଡୋଦରା, ସୁରଟ, ମେହେସାନା ଓ ବନସକାଣ୍ଠାରେ କଂଗ୍ରେସ ଓ ଆମ ଆଦମୀ ପାର୍ଟିର ୪୦୦ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ।