ଭୁବନେଶ୍ୱର: କୋଟିଆ ସୀମା ବିବାଦକୁ ନେଇ ରାଜ୍ୟରେ ରାଜନୈତିକ ପାରଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା କରିବା ପାଇଁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏହି ପ୍ରସଙ୍ଗରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପଟେ କୋଟିଆରେ ଦ୍ୱୈତ ଭୋଟର ଏବଂ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ଏହା ସହିତ ବିଜେଡିକୁ ଜବାବ ଦେଇଛି ବିଜେପି। 

ସରକାର ସ୍ଥିତି ସମ୍ଭାଳିବାରେ ବିଫଳ

କୋଟିଆର ବାସ୍ତବ ସ୍ଥିତି ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅଜ୍ଞ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି ଯେ, ଗତକାଲି ସରକାର ଯେଉଁ କମିଟି ବୈଠକ କରିଥିଲେ, ସେଥିରେ ପଞ୍ଚାୟତ ନିର୍ବାଚନ ବନ୍ଦ କରିବା ନେଇ କୌଣସି ଆଲୋଚନା ହୋଇଥିଲା କି ନାହିଁ, ତାହା ସରକାର ସ୍ପଷ୍ଟ କରନ୍ତୁ।
କେବଳ କୋର୍ଟର ଆଶ୍ରୟ ନେବୁ ବୋଲି କହିଲେ ସମସ୍ୟାର ସମାଧାନ ହେବ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି। କୋଟିଆ ଓଡ଼ିଶାର ଏକ ସମ୍ବେଦନଶୀଳ ସମସ୍ୟା ହୋଇଥିବାରୁ ଏହା ବିରୋଧରେ ବିଜେଡି ଦୃଢ଼ ପ୍ରତିବାଦ ଜଣାଇବ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ରାଜନୈତିକ ସ୍ତରରେ ଲଢ଼େଇ ଜାରି ରଖିବ।

Also Read: ବଢ଼ୁଛି କୋଟିଆ ବିବାଦ ! ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ

ରାଜ୍ୟ ସରକାର ଆନ୍ଧ୍ରପ୍ରଦେଶ କିମ୍ବା ଦିଲ୍ଲୀ ସହ ସିଧାସଳଖ ଆଲୋଚନା କରିଛନ୍ତି କି ଏବଂ କେନ୍ଦ୍ର ଆଗରେ ଓଡ଼ିଶାର ହକ ଜାହିର କରିବା ପାଇଁ ସରକାରଙ୍କ ପାଖରେ ଆତ୍ମବିଶ୍ୱାସ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ ଏସଆଇଆର୍ ପ୍ରକ୍ରିୟା ସ୍ୱଚ୍ଛତାର ସହ ହୋଇଥିଲେ କୋଟିଆର ଜଣେ ଭୋଟରଙ୍କ ନାଁ ଉଭୟ ରାଜ୍ୟର ଭୋଟର ତାଲିକାରେ କିପରି ରହିଲା, ତାର ଜବାବ କିଏ ଦେବ ବୋଲି ସେ କଡ଼ା ସମାଲୋଚନା କରିଛନ୍ତି।

ଡବଲ୍ ଭୋଟର ରୋକିବା ପାଇଁ SIR ହୋଇଛି

ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, କୋଟିଆ ସମ୍ପର୍କରେ କେହି ଜଣେ ବ୍ୟକ୍ତି ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରିବା ପରେ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରିଛନ୍ତି ଏବଂ ଏହି ବାବଦରେ ତଥ୍ୟ ସଂଗ୍ରହ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

Also Read: ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ସଂକଳ୍ପ ନେଲେ କଂଗ୍ରେସ ନେତା, ନଭେମ୍ବର ୧ରେ ଦିଲ୍ଲୀ ଯିବେ ନେତା-କର୍ମୀ

ଜଣେ ବ୍ୟକ୍ତିଙ୍କର ଉଭୟ ରାଜ୍ୟରେ ଭୋଟ୍ ରହିବା ବା ଡବଲ୍ ଭୋଟର ହେବା ଆଇନଗତ ଭାବେ ସମ୍ପୂର୍ଣ୍ଣ ଅନୁଚିତ୍। ଏହି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ହିଁ SIR ପ୍ରକ୍ରିୟା ଗ୍ରହଣ କରାଯାଇଛି। ଓଡ଼ିଶାରେ ସେନ୍‌ସସ୍ ଏବଂ SIR କାମ ପ୍ରଥମେ ଶେଷ ହୋଇଥିବାରୁ ଏହାକୁ ଜାଣିପାରି ଆନ୍ଧ୍ରପ୍ରଦେଶ ସେହି ଅନୁଯାୟୀ ଜାଲିଆତି କରିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ କରିଛନ୍ତି।