ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ କ୍ଲିନ ସ୍ୱିପ୍ କଲା ଭାରତୀୟ ମହିଳା କ୍ରିକେଟ ଦଳ। ବୁଧବାର ଗୁଜରାଟର ଭଦୋଦରାରେ ତୃତୀୟ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଭାରତ ଜିମ୍ୱାୱେକୁ ୮ ୱିକେଟ୍‌ରେ ହରାଇ ସିରିଜ୍ ଜିତି ନେଇଛି।

ଆଜିର ମୁକାବିଲାରେ ଜିମ୍ୱାୱେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତର ଘାତକ ବୋଲିଂ ଆଗରେ ଧରାସାୟୀ ହୋଇଥିଲେ ଭ୍ରମଣକାରୀ ଦଳର ବ୍ୟାଟର। ଫଳରେ ଜିମ୍ୱାବେ ୩୯.୫ ଓଭରରେ ମାତ୍ର ୧୩୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଆଉ ଏହି ସହଜ ଲକ୍ଷ୍ୟକୁ ଆରାମରେ ପୂରା କରି ନେଇଥିଲା ଭାରତ। ତା ପୁଣି ୮ ୱିକେଟ୍ ବିନିମୟରେ। ପ୍ରତିକା ରାୱଲ ଓ ଶେଫାଳୀ ବର୍ମାଙ୍କ ଧୁଆଁଦାର ବ୍ୟାଟିଂ ବଳରେ ଭାରତ ମାତ୍ର ୧୭ ଓଭରରେ ୨ ୱିକେଟ୍ ହରାଇ ୧୩୨ ରନ୍ ଟାର୍ଗେଟ ପୂରା କରି ନେଇଥିଲା।

Also Read- ଚତୁର୍ଥ ଟି-୨୦ରେ ପ୍ଲେଇଙ୍ଗ XIରୁ ବାଦ୍ ପଡ଼ି ପାରନ୍ତି ଭୁବନେଶ୍ଵର କୁମାର, କାରଣ କହିଲେ ଅଶ୍ଵିନ

୧୩୨ ରନ୍ ଟାର୍ଗେଟ୍ ନେଇ ଓପନିଂ ଆସିଥିବା ୟାସ୍ତିକା ଭାଟିଆ ବିନା ଖାତା ଖୋଲି ଆଉଟ ହୋଇଯାଇଥିଲେ। ଏହାପରେ ପ୍ରତିକା ରାୱଲ ଓ ହରଲୀନ ଦେଓଲ ଇନିଂସ ସମ୍ଭାଳିଥିଲେ। ୮.୪ ଓଭର ପର୍ଯ୍ୟନ୍ତ ମ୍ୟାଚ୍ ଟାଣି ନେଇଥିଲେ ଏହି ଯୋଡ଼ି। ହେଲେ ଏହାପରେ ହରଲୀନ ଦେଓଲ ୧୯ ବଲ୍ରେ ୧୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ଶେଫାଳୀ ବର୍ମା ପ୍ରତିକାଙ୍କ ସହ ମିଶି ଦଳକୁ ବିଜୟ କରାଇଥିଲେ।

ସେଫାଳୀ ବର୍ମା ନିଜର ଆକ୍ରମଣାତ୍ମ ଶୈଳୀରେ ବ୍ୟାଟିଂ ଜାରି ରଖିଥିବା ବେଳେ ପ୍ରତିକା ରକ୍ଷଣଶୀଳ ଭାବେ ଖେଳ ପ୍ରଦର୍ଶନ କରିଥିଲେ। ପ୍ରତିକା ତାଙ୍କ ଇନିଂସରେ ୫୬ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ସହ ମୋଟ ୫୯ ରନ୍ କରିଥିଲେ। ସେହିପରି ଶେଫାଳୀ ବର୍ମା ମାତ୍ର ୨୬ ବଲ୍ ଖେଳି ୫୧ ରନ୍ର ବିସ୍ଫୋରକ ସ୍କୋର ଛିଡ଼ା କରିଥିଲେ। ଏଥିରେ ସେ ୬ଟି ଚୌକା ଓ ୩ଟି ଛକା ମାରିଥିଲେ।

ବୋଲିଂରେ ବୈଷ୍ଣବୀ ଶର୍ମାଙ୍କ ଚମତ୍କାର।

ଆଜି ବୋଲିଂରେ ମଧ୍ୟ କମାଲ କରିଥିଲେ ଭାରତୀୟ ବୋଲର। ଆରମ୍ଭରୁ ହିଁ ବିପକ୍ଷ ଦଳ ଉପରେ ଚାପ ପକାଇ ରଖିଥିଲେ। ଭାରତୀୟ ମହିଳା ଦଳର ବାମହାତୀ ସ୍ପିନର ବୈଷ୍ଣବୀ ଶର୍ମା ଘାତକ ବୋଲିଂ କରି ୧୦ ଓଭରରେ ୩୯ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ। ଏପରି କରି ସେ ଏକ ବିରଳ ରେକର୍ଡରେ ନିଜ ନାଁ ସାମିଲ୍ କରିଛନ୍ତି। ଦିନିକିଆ କ୍ରିକେଟରେ ୫ ୱିକେଟ୍ ନେବାରେ ଦ୍ୱିତୀୟ ସର୍ବକନିଷ୍ଠ ଭାରତୀୟ ମହିଳା ବୋଲର ହୋଇଛନ୍ତି ବୈଷ୍ଣବୀ। ଏବଂ ଗତ ଏକ ଦଶନ୍ଧି ମଧ୍ୟରେ ଏହି ସଫଳତା ହାସଲ କରିବାରେ ସେ ସବୁଠାରୁ କନିଷ୍ଠ ଖେଳାଳି ହୋଇଛନ୍ତି।

ବୈଷ୍ଣବୀ ୨୦ ବର୍ଷ ୩୧୪ ଦିନ ବୟସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ତେବେ ଦୀପ୍ତି ଶର୍ମା  ଏବେ ମଧ୍ୟ  ଦିନିକିଆ ମ୍ୟାଚରେ ୫ ୱିକେଟ୍ ନେଇଥିବା ସବୁଠାରୁ କମ୍ ବୟସ୍କା ଭାରତୀୟ ମହିଳା କ୍ରିକେଟ ତାଲିକାରେ ଶୀର୍ଷରେ ଅଛନ୍ତି। ସେ ୨୦୧୬ ମସିହାରେ ରାଞ୍ଚି ଠାରେ ଶ୍ରୀଲଙ୍କା ବିପକ୍ଷରେ ୯.୨ ଓଭର ବୋଲିଂ କରି ୨୦ ରନ୍ ବିନିମୟରେ ୬ଟି ୱିକେଟ୍ ହାସଲ କରିଥିଲେ।

ଅନ୍ୟପଟେ ଆଜିର ମ୍ୟାଚ୍‌ରେ କ୍ରାନ୍ତି ଗୌଡ଼ ମଧ୍ୟ ୭ ଓଭର କରି ମାତ୍ର ୨୩ ରନ୍ ଦେଇଥିବା ବେଳେ ଦୁଇଟି ୱିକେଟ ନେଇଥିଲେ। ସେହିପରି ଶାୟଲୀ ଶାଦଘାରେ ମଧ୍ୟ ଚମତ୍କାର ବୋଲିଂ ୬ ଓଭରରେ ମାତ୍ର ୧୧ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ। ଭାରତୀୟ ବୋଲରଙ୍କର ଏଭଳି ଘାତକ ବୋଲିଂ ଫଳରେ ଜିମ୍ୱାୱେ ମାତ୍ର ୧୩୧ ରନରେ ହିଁ ଅଲଆଉଟ୍ ହୋଇଯାଇଥିଲା।