ଭୁବନେଶ୍ଵର: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଜାରି ରହିଥିବା ବେଳେ ପୁଣି ଚର୍ଚ୍ଚାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ। ଆସନ୍ତା ନଭେମ୍ବର ୩ ତାରିଖରେ ନିର୍ବାଚନ କରିବା ନେଇ ପୂର୍ବରୁ ସୂଚନା ଦେଇଥିଲା ଆନ୍ଧ୍ରପ୍ରଦେଶ। ତେବେ ବର୍ତ୍ତମାନ ନିର୍ବାଚନ ତାରିଖରେ ପରିବର୍ତ୍ତନ କରି ନଭେମ୍ବର ୫ ତାରିଖରେ ଭୋଟ ଗ୍ରହଣ ଏବଂ ନଭେମ୍ବର ୭ ତାରିଖରେ ଭୋଟ ଗଣନା କରିବାକୁ ନୂଆ ସୂଚୀ ଜାରି କରିଥିବା ଜଣାପଡ଼ିଛି।

କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ସୀମା ବିବାଦ ଏବେ ପୁଣି ରାଜନୈତିକ ରୂପ ନେଇଛି। ବିଶେଷକରି କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ସମ୍ପର୍କିତ ପଦକ୍ଷେପକୁ ନେଇ ଓଡ଼ିଶାରେ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ବିଗତ ଦିନରେ ବିଜେଡି ଓ ବିଜେପି ପକ୍ଷରୁ କୋଟିଆ ଅଞ୍ଚଳ ଗସ୍ତ କରାଯାଇ ସ୍ଥିତି ପରଖାଯାଇଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ମଧ୍ୟ କୋଟିଆ ଗସ୍ତ କରାଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ କଂଗ୍ରେସର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କୋଟିଆରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛି।

ସୀମାନ୍ତ ଅଞ୍ଚଳର ବାସ୍ତବ ସ୍ଥିତି, ଲୋକଙ୍କ ସମସ୍ୟା ଏବଂ ଆନ୍ଧ୍ରପ୍ରଦେଶର ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପ ନେଇ ଟିମ୍ ସ୍ଥାନୀୟ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିଛି। ଏହାରି ମଧ୍ୟରେ ଆନ୍ଧ୍ର ପକ୍ଷରୁ ନିର୍ବାଚନ ତାରିଖ ଘୁଞ୍ଚାଇବା ଘଟଣା କୋଟିଆକୁ ନେଇ ବିବାଦକୁ ଆହୁରି ଚର୍ଚ୍ଚାକୁ ଆଣିଛି।