ୟୁପି: କଠିନ ପରିଶ୍ରମ ଆଗେ ହାର ମାନିଛି ବିଫଳତା । ଅଦମ୍ୟ ଇଚ୍ଛାଶକ୍ତି ଥିଲେ କୌଣସି ବାଧା ସଫଳତାର ପଥକୁ ଅଟକାଇ ପାରେନାହିଁ । ଅଟୋ ଚାଳକଙ୍କ ପୁଅ ହୋଇ ଦେଖିଥିଲେ ଡାକ୍ତର ହେବାର ସ୍ୱପ୍ନ । ଆଉ ଶେଷରେ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଉତ୍ତର ପ୍ରଦେଶର ଗୋରଖପୁରର ୨୩ ବର୍ଷୀୟ ବିଶାଲ ତିୱାରୀ। ଚାରି ଥର ଚେଷ୍ଟା ପରେ ସେ NEET UG ୨୦୨୬ ପରୀକ୍ଷାରେ ୭୨୦ରୁ ୬୦୫ ନମ୍ବର ରଖି ସଫଳତା ହାସଲ କରିଛନ୍ତି। ତାଙ୍କ ସଫଳତାର କାହାଣୀ କେବଳ ଏକ ଉଦାହରଣ ନୁହେଁ, ବରଂ ଦାରିଦ୍ର୍ୟ, ପାରିବାରିକ ଦାୟିତ୍ୱ ଓ ଅଦମ୍ୟ ଇଚ୍ଛାଶକ୍ତିର କାହାଣୀ। 

ବିନା କୋଚିଂରେ ସଫଳତା :

ବିଶାଲ ତିୱାରୀ ଗୋରଖପୁରର ମିର୍ଜାପୁର ପଚପେଡ଼ୱା କଲୋନୀର ବାସିନ୍ଦା। ତାଙ୍କ ବାପା ସନ୍ତୋଷ ତିୱାରୀ ଜଣେ ଅଟୋରିକ୍ସା ଚାଳକ ଓ ମା' ରାଧିକା ତିୱାରୀ ଗୃହିଣୀ। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲା। ତଥାପି ବାପା-ମା' କେବେ ବି ପୁଅର ସ୍ୱପ୍ନକୁ ଭାଙ୍ଗିବାକୁ ଦେଇନଥିଲେ। ବିଶାଲ ସରସ୍ୱତୀ ବିଦ୍ୟା ମନ୍ଦିରରୁ ନିଜର ସ୍କୁଲ୍ ଶିକ୍ଷା ସମାପ୍ତ ପରେ ୨୦୨୨ରେ ବାୟୋଲୋଜିରେ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିଲେବାୟୋଲୋଜି ବିଷୟରେ ଯୁକ୍ତ ଦୁଇ ପାସ୍ କରିଥିଲେ। ଆର୍ଥିକ ସମସ୍ୟା ଯୋଗୁଁ ପ୍ରଥମ ଦୁଇ ବର୍ଷ ସେ କୋଚିଂ ନେଇପାରିନଥିଲେ। ନିଜେ ପଢ଼ି ପରୀକ୍ଷା ଦେଇଥିଲେ, କିନ୍ତୁ ସଫଳ ହୋଇପାରିନଥିଲେ। ପରେ ପୁଅର ସ୍ୱପ୍ନ ପୂରଣ ପାଇଁ ବାପା ଋଣ କରି କୋଚିଂରେ ଭର୍ତ୍ତି କରାଇଥିଲେ।

ପରୀକ୍ଷା ସମୟରେ ପ୍ରତିବନ୍ଧ :

NEET ପ୍ରସ୍ତୁତି ସମୟରେ ତାଙ୍କ ବିବାହ ହୋଇଥିଲା । କିଛି ସମୟ ପରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା । ବିବାହ ଓ ପିତୃତ୍ୱ ପରେ ଦାୟିତ୍ୱ ବଢ଼ିଥିଲେ ମଧ୍ୟ ସେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ପରିବାରକୁ ସହଯୋଗ କରିବା ପାଇଁ ବିଶାଲ ଘରୋଇ ଟ୍ୟୁସନ୍ ପଢ଼ାଉଥିଲେ। ସକାଳେ କୋଚିଂ, ସନ୍ଧ୍ୟାରେ ଟ୍ୟୁସନ୍ ଓ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ଲାଇବ୍ରେରୀରେ ପଢ଼ା ଏହା ଥିଲା ତାଙ୍କ ଦୈନନ୍ଦିନ ଜୀବନ। ବିଶାଲ କହିଛନ୍ତି, ତାଙ୍କ ସଫଳତାର ସବୁଠୁ ବଡ଼ ଶ୍ରେୟ ତାଙ୍କ ସ୍ତ୍ରୀ କଳ୍ପନାଙ୍କୁ ଯାଏ। ସେ ଘର ଓ ପିଲାର ସମସ୍ତ ଦାୟିତ୍ୱ ନିଜେ ସମ୍ଭାଳିଥିଲେ, ଯାହା ଫଳରେ ବିଶାଲ ନିଜ ପଢ଼ାରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇପାରିଥିଲେ। ବିଶାଲ ତିୱାରୀଙ୍କ କାହାଣୀ ପ୍ରମାଣ କରିଛି ଯେ, ଆର୍ଥିକ ଅଭାବ, ପାରିବାରିକ ଦାୟିତ୍ୱ କିମ୍ବା ବାରମ୍ବାର ବିଫଳତା କୌଣସିଟି ମଧ୍ୟ ସ୍ୱପ୍ନକୁ ଅଟକାଇ ପାରେନାହିଁ। ଦୃଢ଼ ଇଚ୍ଛାଶକ୍ତି, ପରିଶ୍ରମ ଓ ପରିବାରର ସମର୍ଥନ ଥିଲେ ସଫଳତା ନିଶ୍ଚିତ।