ନୂଆଦିଲ୍ଲୀ: VB-G RAM G Bill clears Lok Sabha, ବିରୋଧୀଙ୍କ ତୀବ୍ର ବିରୋଧ ପରେ ଲୋକସଭାରେ ପାସ୍ ହେଲା ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ୍ ଆଜିବୀକା ମିଶନ (ଗ୍ରାମୀଣ)(ଭିବି-ଜି ରାମ ଜି) ବିଲ୍ ୨୦୨୫। ଏହି ବିଲ୍‌କୁ ନେଇ ଆଲୋଚନା ବେଳେ ବିରୋଧୀ ଦଳର ନେତାମାନେ ଏହାକୁ ତୀବ୍ର ବିରୋଧ କରିଥିଲେ। ବିଲ୍ ଫାଡ଼ି ଦେବା ସହିତ ସଂସଦରେ ହୋହଲ୍ଲା କରିଥିଲେ।

ଏହି ବିଲ୍ ମାଧ୍ୟମରେ ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରୁଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା)ର ବ୍ୟବସ୍ଥାକୁ ଦୁର୍ବଳ କରୁଛନ୍ତି ବୋଲି ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି।

ବିଲ୍ ବିଷୟରେ ଆଲୋଚନା ବେଳେ କେନ୍ଦ୍ର ଆଞ୍ଚଳିକ ବିକାଶ ତଥା କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏହା ସପକ୍ଷରେ ଯୁକ୍ତି ରଖିଥିଲେ। ପୂର୍ବର ନରେଗାରେ(NREGA) ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ାଯାଇଥିଲା। ୨୦୦୯ ନିର୍ବାଚନକୁ ଆଖି ଆଗରେ ରଖି ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ାଯାଇଥିଲା ବୋଲି ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି।

ମନ୍ତ୍ରୀ କହିଛନ୍ତି “ ଆରମ୍ଭରେ ଏହା NREGA ଥିଲା ଏବଂ ବିଲ୍‌ରେ ମହାତ୍ମା ଗାନ୍ଧୀଙ୍କ ନାମ ସାମିଲ ନଥିଲା। ପରେ, ଯେତେବେଳେ ୨୦୦୯ ସାଧାରଣ ନିର୍ବାଚନ ଆସିଲା, ଭୋଟ ପାଇବା ପାଇଁ କଂଗ୍ରେସ ମନରେ ହଠାତ୍ ବାପୁଙ୍କ ନାଁ ପ୍ରବେଶ କରିଥିଲା। ମୁଁ କହିବାକୁ ଚାହେଁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା MGNEGA ସଠିକ୍ ଏବଂ ଦୃଢ଼ ଭାବରେ କାର୍ଯ୍ୟକାରୀ ହୋଇଥିଲା।”

ବିଲ୍‌ ଉପରେ ଗୃହରେ ୮ ଘଣ୍ଟା କାଳ ଆଲୋଚନା ହୋଇଥିଲା। ବିରୋଧୀଙ୍କୁ ଟାର୍ଗେଟ୍ କରି ଶ୍ରୀ ଚୌହ୍ୱାନ କହିଥିଲେ ଯେ ମୋଦୀ ସରକାର ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶନକୁ ଜୀବିତ ରଖିଛି। ବରଂ କଂଗ୍ରେସ ବାପୁଙ୍କ ଆଦର୍ଶକୁ ହତ୍ୟା କରିଛି ବୋଲି ମନ୍ତ୍ରୀ ଅଭିଯୋଗ କରିଥିଲେ।

ଶିବରାଜ ସିଂହ ଚୌହ୍ୱାନ କହିଥିଲେ “କଂଗ୍ରେସ ବାପୁଙ୍କ ଆଦର୍ଶକୁ ହତ୍ୟା କରିଛି। କିନ୍ତୁ ଏନ୍‌ଡିଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଆୟୁଷ୍ମାନ ଭାରତ ଅଧୀନରେ ନିର୍ମିତ ପକ୍କା ଘର ମାଧ୍ୟମରେ ବାପୁଙ୍କୁ ଜୀବିତ ରଖିଛି।”

Amid G RAM G Row​​​​​​​

ଆଜି ବିଲ୍‌ ନେଇ ଆଲୋଚନା କଲା ବେଳେ ବିରୋଧୀମାନେ ଗୃହରେ ପ୍ରବଳ ହଟ୍ଟୋଗଳ କରିଥିଲେ। ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାଁ ହଟାଇବାକୁ ବିରୋଧ କରି ବିଲ୍ କପି ଫାଡ଼ି ଦେଇଥିଲେ। ଏବଂ ସେଗୁଡ଼ିକୁ ବାଚସ୍ପତିଙ୍କ ଚୌକି ଆଡ଼କୁ ଫିଙ୍ଗିଦେଲେ। ବିଲ୍ ପାରିତ ହେବା ପରେ ବାଚସ୍ପତି ଓମ୍ ବିର୍ଲା ଦିନକ ପାଇଁ କାର୍ଯ୍ୟକୁ ସ୍ଥଗିତ ରଖିଥିଲେ।

ଆଜି ସକାଳେ ବିରୋଧୀ ସାଂସଦମାନେ ବିଲ୍ ପ୍ରତ୍ୟାହାର ଦାବି କରି ସଂସଦ ପରିସରରେ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏହି ଆଇନକୁ ଗାନ୍ଧୀଙ୍କ ପ୍ରତି ଅପମାନ ଏବଂ ଗ୍ରାମୀଣ ଭାରତରେ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନକୁ ଚାଳିତ କରିଥିବା କାମ କରିବାର ଅଧିକାର ପ୍ରତି ଏକ ଆଘାତ ବୋଲି କହିଥିଲେ। ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମକର ଦ୍ୱାରରେ ବିକ୍ଷୋଭରେ ସାଂସଦମାନଙ୍କ ସହିତ ଯୋଗ ଦେଇଥିଲେ।

କ'ଣ ଏହି ବିଲ୍?

ମନରେଗା ବିଲ୍‌କୁ ସାମାନ୍ୟ ପରିବର୍ତ୍ତନ କରି ଏହି G RAM G ବିଲ୍ ଆଣିଛନ୍ତି କେନ୍ଦ୍ର ସରକାର। ଏହି ବିଲ୍‌ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପ୍ରତିବର୍ଷ ୧୨୫ ଦିନର କର୍ମ ନିଯୁକ୍ତିର ଏକ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରେ। ଯେଉଁ ପରିବାରର ସଦସ୍ୟମାନେ ଅଣକୁଶଳୀ କାର୍ଯ୍ୟ କରିବାକୁ ସ୍ୱେଚ୍ଛାସେବକ ଭାବରେ ଯୋଗଦାନ କରନ୍ତି ସେମାନଙ୍କୁ ଏଥିରେ କାମ ଯୋଗାଇ ଦିଆଯାଏ। ଏଥିସହିତ ଏହି ଯୋଜନାରେ କେନ୍ଦ୍ରର ୬୦ ପ୍ରତିଶ ହେଲେ ରାଜ୍ୟରେ ୪୦ ପ୍ରତିଶତ ଯୋଗଦାନ ବ୍ୟବସ୍ଥା କରାଯାଇଛି। ମନରେଗାରେ ୧୦୦ ଦିନ କର୍ମ ନିଯୁକ୍ତି ସହିତ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବାର ବ୍ୟବସ୍ଥା ରହିଥିଲା।