ନୂଆଦିଲ୍ଲୀ: ନିଜ ବାହାଘର ପାଇଁ ଶ୍ୱଶୁର ଘର ଲୋକଙ୍କୁ ମାରୁତି ବ୍ରେଜା କାର୍ ମାଗିଥିଲେ ପୁଲିସ ଅଫିସର । ହେଲେ ପଇସା ଅଭାବରୁ ହ୍ୟୁଣ୍ଡାଇ ଅରା ହିଁ ଯୋଗାଡ଼ ହୋଇପାରିଲା । ମନ ମୁତାବକ କାର ନ ମିଳିବାରୁ ବାହାଘର ଭାଙ୍ଗି ବରଯାତ୍ରୀ ନେଇ ଫେରି ଆସିଲେ ଦିଲ୍ଲୀ ପୁଲିସର ଜଣେ ଅଫିସର । ହରିଆଣା ସୋନିପଥ ଜିଲ୍ଲାରେ ଏଭଳି ଘଟଣା ଘଟିଛି ।

ଏହାପରେ କନ୍ୟା ପିତା ସୁଭାସ କୁମାର ସୋନିପଥ ସେକ୍ଟର ୨୭ ଥାନାରେ ମାମଲା ଦାୟର କରିଛନ୍ତି । ଏଥିରେ ବର, ବାପାମା, ଭାଇ, ଭାଉଜ ଓ ଦୁଇ ମଧ୍ୟସ୍ଥିଙ୍କୁ ଅଭିଯୁକ୍ତ କରାଯାଇଛି । ଏମାନଙ୍କ ବିରୁଦ୍ଧରେ ଯୌତୁକ ମାଗିବା ଓ ବିବାହ ମଣ୍ଡପରେ ମାଡପିଟ କରିବା ଭଳି ଅଭିଯୋଗ ଲଗାଯାଇଛି ।

ବାହାଘର ସ୍ଥିର ହେବା ପରେ ଡିମାଣ୍ଡ ମାଗିଲେ ପରିବାର

ଅବସରପ୍ରାପ୍ତ କର୍ମଚାରୀ ସୁଭାସଙ୍କ ଅଭିଯୋଗ ଅନୁସାରେ, ସେ ତାଙ୍କ ଝିଅ ବାହାଘର କୁଲଦୀପଙ୍କ ସହ ଠିକ୍ କରିଥିଲେ । ଦୁଇ ମଧ୍ୟସ୍ଥି ଏହି ବିବାହ ପ୍ରସ୍ତାବ ଠିକ୍ କରିଥିଲେ । ସେତେବେଳେ ମଧ୍ୟସ୍ଥି କହିଥିଲେ ଯେ କୁଲଦୀପ ଦିଲ୍ଲୀ ପୁଲିସରେ ଚାକିରି କରିଛନ୍ତି, ଭଲ ପରିବାରରୁ ଆସିଛନ୍ତି । ତାଙ୍କର କୌଣସି ଯୌତୁକ ଦରକାର ନାହିଁ । ଏହାପରେ ଏପ୍ରିଲ ୨୬ ତାରିଖରେ ଉଭୟ ପରିବାର ଉପସ୍ଥିତିରେ ନିର୍ବନ୍ଧ ହୋଇଥିଲା । ଏବଂ ନଭେମ୍ବର ୨୦ ତାରିଖରେ ବିବାହ ଠିକ୍ ହୋଇଥିଲା ।

ବାହାଘର ଠିକ୍ ହେବା ପରେ ନିଜ କୁଲଦୀପ ଓ ତାଙ୍କ ମାଆ ଯୌତୁକ ଦାବି କରିବା ଆରମ୍ଭ କରିଥିଲେ । ବର ପାଇଁ ଦୁଇ ଭରିର ସୁନା ଚେନ ଓ ମୁଦି, ମାଆ ପାଇଁ ସୁନା କାନଫୁଲ ଓ ରୁପା ପାଉଁଜୀ ଓ ପରିବାର ପାଇଁ ଦାମୀ କପଡ଼ା ଆଣିବାକୁ ଦାବି କରିଥିଲେ । ଏତିକିରେ ବରପାତ୍ର କୁଲଦୀପଙ୍କର ଲୋଭ ସରି ନଥିଲା । ସେ ଶ୍ୱଶୁର ଘର ଲୋକଙ୍କୁ ବ୍ରେଜା କାର ମାଗିଥିଲେ । ହେଲେ ସୁବାସ ବଡ଼ କଷ୍ଟରେ ପଇସା ପତ୍ର ଯୋଗାଡ଼ କରି ହ୍ୟୁଣ୍ଡାଅ ଅରା କାର ଯୋଗାଡ଼ କରିପାରିଥିବାରୁ କୁଲଦୀପ ଅଶନ୍ତୋଷ ପ୍ରକାଶ କରିଥିଲେ । ନଭେମ୍ବର ୧୮ ତାରିଖରେ ମଧ୍ୟସ୍ଥିଙ୍କ ଦ୍ୱାରା ଡିମାଣ୍ଡ ଦେବାକୁ ଚାପ ପକାଇଥିଲେ ।

ନଭେମ୍ବର ୧୯ ତାରିଖରେ ବିବାହ ପୂର୍ବରୁ ପରମ୍ପରାଗତ ଦାୟିତ୍ୱ ପାଳନ ପାଇଁ ଯେତେବେଳେ କନ୍ୟାଘର କୁଲଦୀପଙ୍କ ଘରକୁ ଫର୍ଣ୍ଣିଚର ନେଇ ପହଞ୍ଚିଲେ, ସେତେବେଳେ କନ୍ୟା ମାଆ ତାଙ୍କୁ ଶସ୍ତା ମାଲ୍ ଦେଇଛ ବୋଲି କହି କଟାକ୍ଷ କରିଥିଲେ। ଏବଂ ବର ଭାଇ ଓ ଭାଉଜ ପାଇଁ ପୁଣି ସୁନା ଚେନ ଓ କାନଫୁଲ ପୁଣି ଦାବି କରିଥିଲେ।

କାର ନ ମିଳିବାରୁ ଫେରି ଆସିଲା ବରଯାତ୍ରୀ

ବାହାଘର ଦିନ ବର ଓ ତାଙ୍କ ମାଆ ପ୍ରଥମେ ସାଧାରଣ ପୋଷାକରେ ବିବାହ ମଣ୍ଡପକୁ ଆସିଥିଲେ। ଏବଂ ବ୍ରେଜା କାର ନଥିବା ଦେଖି ଝଗଡ଼ା କରିଥିଲେ। ସୁଭାସ ଓ ପରିବାର ଲୋକେ ଯେତେ ବୁଝାଇଥିଲେ ବି ସେମାନେ ବୁଝି ନଥିଲେ । କାର ନ ମଳିବାରୁ ସେମାନେ ବରଯାତ୍ରୀ ଧରି ଫେରିଯାଇଥିଲେ । ଏହି ଘଟଣା ପରେ ସୁବାସ ଏମାନଙ୍କ ବିରୁଦ୍ଧରେ ଥାନାରେ ମାମଲା କରିଛନ୍ତି । ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସେ ଦେଇଥିବା ସମସ୍ତ ସାମଗ୍ରୀ ଫେରାଇ ଆଣିବାକୁ ପୁଲିସ ପାଖରେ ଦାବି କରିଛନ୍ତି ।