ନୂଆଦିଲ୍ଲୀ: ବୟସ ମାତ୍ର ୨୪ ବର୍ଷ। ଏହି ବୟସରେ ଯୁବପିଢ଼ି ନିଜ କ୍ୟାରିୟର ଓ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିବା ବେଳେ ଜଣେ ଯୁବକ ନିଜ ପରିବାରକୁ ଋଣମୁକ୍ତ କରିବାର ଦାୟିତ୍ୱ ନେଇଥିଲେ। ବାପା-ମାଆଙ୍କ ମୁଣ୍ଡ ଉପରେ ଥିଲା ଏକ କୋଟିରୁ ଅଧିକ ଟଙ୍କାର ଋଣ। ଏହି ଆର୍ଥିକ ବୋଝରୁ ପରିବାରକୁ ମୁକ୍ତ କରିବା ପାଇଁ ନିଜ ଷ୍ଟାର୍ଟଅପ୍ ସ୍ୱପ୍ନକୁ କିଛି ସମୟ ପାଇଁ ପଛକୁ ରଖିଥିଲେ। ପାଠପଢ଼ା ପରେ ଚାକିରି କଲେ, ବାପାଙ୍କ ସହ ମିଶି ବ୍ୟବସାୟ ଆରମ୍ଭ କଲେ। ଆଉ ଶେଷରେ ପରିବାରକୁ ଋଣମୁକ୍ତ କରିବାରେ ସଫଳ ହେଲେ। ଏହି ଯୁବକ ହେଉଛନ୍ତି ଆଇଆଇଟି ଦିଲ୍ଲୀର ପୂର୍ବତନ ଛାତ୍ର ୟଶ ଗର୍ଗ। ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ପାଠପଢ଼ା ସମୟରେ ଜାଣିବାକୁ ପାଇଲେ ପରିବାରର ଆର୍ଥିକ ସ୍ଥିତି

ୟଶ ଗର୍ଗ ୨୦୧୯ରେ ଆଇଆଇଟି ଦିଲ୍ଲୀରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବିଟେକ୍ ଡିଗ୍ରୀ ହାସଲ କରିଥିଲେ। ତାଙ୍କର କମ୍ପ୍ୟୁଟର ସାଇନ୍ସରେ ମଧ୍ୟ ମାଇନର୍ ଥିଲା। ତାଙ୍କ ବାପା ରିଅଲ୍ ଇଷ୍ଟେଟ୍ ବ୍ୟବସାୟ ସହ ଜଡ଼ିତ ଥିଲେ। ଅନେକ ନିର୍ମାଣାଧୀନ ଫ୍ଲାଟ୍ରେ ଟଙ୍କା ନିବେଶ କରିଥିଲେ। କିନ୍ତୁ ବିଭିନ୍ନ କାରଣରୁ ପ୍ରକଳ୍ପଗୁଡ଼ିକର କାମ ବିଳମ୍ବ ହେବାରୁ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିଲା। ଋଣ ପରିଶୋଧ କରିବା ପାଇଁ ପରିବାରକୁ ବ୍ୟାଙ୍କ, ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କଠାରୁ ଟଙ୍କା ଧାର କରିବାକୁ ପଡ଼ିଥିଲା। ଏପରିକି ଦୈନନ୍ଦିନ ଖର୍ଚ୍ଚ ପାଇଁ କ୍ରେଡିଟ୍ କାର୍ଡ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିଥିଲା।

Also Read: ବ୍ରେକ୍ ଅପ୍ କରିଦେଲା ପ୍ରେମିକା, ରାଗରେ ପେଟ୍ରୋଲ ଢାଳି ଯୁବତୀଙ୍କ ଫ୍ଲାଟ୍ ଜାଳିଦେଲା ପ୍ରେମିକ

ଆଇଆଇଟିରେ ପଢ଼ୁଥିବା ସମୟରେ ୟଶ ପ୍ରତି ସପ୍ତାହରେ ଘରକୁ ଯାଉଥିଲେ। ସେତେବେଳେ ଘରକୁ ଋଣ ଆଦାୟକାରୀ ଲୋକ ଆସୁଥିବା ଦେଖିଥିଲେ। ହେଲେ ପରିବାର ଉପରେ କେତେ ଟଙ୍କାର ଋଣ ରହିଛି, ସେ ବିଷୟରେ ତାଙ୍କୁ ସଠିକ୍ ଧାରଣା ନଥିଲା। ପରେ ବାପା-ମାଆଙ୍କ ସହ ବସି ସମସ୍ତ ଋଣର ହିସାବ ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମୂଳ ଋଣ ପରିମାଣ ହିଁ ଏକ କୋଟି ଟଙ୍କାରୁ ଅଧିକ ଥିଲା। ଏହି ଆର୍ଥିକ ସମସ୍ୟା ତାଙ୍କ ମାଆଙ୍କ ଉପରେ ମଧ୍ୟ ଗଭୀର ମାନସିକ ଚାପ ପକାଉଥିଲା।

ଷ୍ଟାର୍ଟଅପ୍ ସ୍ୱପ୍ନ ଛାଡ଼ି ଗୁଗଲରେ ଚାକିରି

ପାଠପଢ଼ା ଶେଷ ପରେ ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ୟଶଙ୍କ ଯୋଜନା ଥିଲା। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଦେଖି ସେ ପ୍ରଥମେ ଏକ ଭଲ ଚାକିରି କରିବାକୁ ନିଷ୍ପତ୍ତି ନେଲେ। ପ୍ରଥମେ ସେ କୋହେସିଟି ନାମକ ଏକ କମ୍ପାନୀରେ ଚାକିରି କରିଥିଲେ। ସେଠାରେ ତାଙ୍କ ବାର୍ଷିକ ଦରମା ପ୍ରାୟ ୧୮ ଲକ୍ଷ ଟଙ୍କା ଥିଲା। ପରେ ସେ ସ୍ପଟନାନା ନାମକ ଏକ ଟ୍ରାଭେଲ୍ ଟେକ୍ନୋଲୋଜି ଷ୍ଟାର୍ଟଆପରେ ଯୋଗ ଦେଇଥିଲେ।

ତେବେ ଋଣର ସୁଧ ପରିଶୋଧ କରିବାରେ ଅଧିକାଂଶ ଟଙ୍କା ଖର୍ଚ୍ଚ ହୋଇଯାଉଥିବାରୁ ଅଧିକ ଆୟର ଆବଶ୍ୟକତା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଗୁଗଲ୍ରେ ଚାକିରି ମିଳିଥିଲା। ୨୦୨୧ ଡିସେମ୍ବରରେ ସେ ବେଙ୍ଗାଲୁରୁସ୍ଥିତ ଗୁଗଲର ସର୍ଚ୍ଚ ଟିମରେ ଯୋଗ ଦେଇଥିଲେ। ଏହି ଚାକିରିରେ ତାଙ୍କର ବାର୍ଷିକ ପ୍ୟାକେଜ୍ ପ୍ରାୟ ୭୫ ଲକ୍ଷ ଟଙ୍କା ଥିଲା।

Also Read: ଉତ୍ତର ପ୍ରଦେଶରେ ହାଇଦ୍ରାବାଦ ସାଂସଦଙ୍କୁ ‘ଗାର୍ଡ ଅଫ ଅନର୍’; ବଡ଼ ଭୁଲ୍ କରିଦେଲା କି ପୁଲିସ ?

ବାପାଙ୍କ ସହ ମିଶି ତିଆରି କଲେ ମୋବାଇଲ୍ ଆପ୍

କେବଳ ଗୁଗଲ୍ ଚାକିରିର ଦରମା ଉପରେ ନିର୍ଭର କରିନଥିଲେ ୟଶ। ପରିବାରର ଋଣ ଶୀଘ୍ର ପରିଶୋଧ କରିବା ପାଇଁ ସେ ନିଜ ବାପାଙ୍କ ସହ ମିଶି ମୋବାଇଲ୍ ଆପ୍ ତିଆରି କରିବା ଆରମ୍ଭ କରିଥିଲେ। ଅଫିସ୍ କାମ ପରେ ରାତିରେ ଓ ଓ୍ଵିକେଣ୍ଡରେ ଉଭୟ ଏହି କାମରେ ସମୟ ଦେଉଥିଲେ।ପ୍ରଥମେ ଆଣ୍ଡ୍ରଏଡ୍ ଆପ୍ ଓ ଗେମ୍ ତିଆରି କରି ସେତେଟା ସଫଳତା ମିଳିନଥିଲା। ପରେ ସେମାନେ ଆଇଓଏସ୍ ଆପ୍ ଉପରେ କାମ କରିବାକୁ ନିଷ୍ପତ୍ତି ନେଲେ। ଏଥିପାଇଁ ୟଶ ପ୍ରାୟ ୨.୧ ଲକ୍ଷ ଟଙ୍କା ଦେଇ ଏକ ମ୍ୟାକ୍ବୁକ୍ ପ୍ରୋ କିଣିଥିଲେ। ମାତ୍ର ୬ ଦିନ ମଧ୍ୟରେ ସେ ନିଜର ଏକ ଲୋକପ୍ରିୟ ଆଣ୍ଡ୍ରଏଡ୍ ଗେମର ଆଇଓଏସ୍ ସଂସ୍କରଣ ପ୍ରସ୍ତୁତ କରିଥିଲେ।

ଏହି ଗେମ୍ ସଫଳ ହେବା ପରେ ଆୟ ବଢ଼ିବାକୁ ଲାଗିଥିଲା। ୟଶଙ୍କ କହିବା ଅନୁସାରେ, ପ୍ରଥମ ମାସରେ ଏହି ବ୍ୟବସାୟରୁ ୬ ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ଚତୁର୍ଥ ମାସରେ ଏହା ୨୪ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ପରବର୍ତ୍ତୀ ୧୮ ମାସ ମଧ୍ୟରେ ସେମାନଙ୍କ ଗେମ୍ ଗୁଡ଼ିକ ୨ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ ହୋଇଥିଲା। ଏହାର ଅଧିକାଂଶ ବ୍ୟବହାରକାରୀ ଆମେରିକାର ଥିଲେ। ଏହି ବ୍ୟବସାୟରୁ ମୋଟ ୨ କୋଟି ଟଙ୍କାରୁ ଅଧିକ ଆୟ ହୋଇଥିବା ସେ କହିଛନ୍ତି। ଗୁଗଲର ଦରମା ଓ ଆପ୍ ବ୍ୟବସାୟର ଆୟକୁ ମିଶାଇ ପରିବାରର ଋଣ ପରିଶୋଧ କରିବା ସମ୍ଭବ ହୋଇଥିଲା।

Also Read: DNA ପରୀକ୍ଷା ଉପରେ ବାଜିଲା ଦିଲ୍ଲୀ ହାଇକୋର୍ଟଙ୍କ ମୋହର, ଜାଣନ୍ତୁ କହିଲେ କ’ଣ?

ଋଣ ଶୁଝିବା ପରେ ଛାଡ଼ିଦେଲେ ଗୁଗଲ୍ ଚାକିରି

ଦୀର୍ଘ ଦିନର ପରିଶ୍ରମ ପରେ ୨୦୨୩ ଜୁନ୍ ମାସରେ ପରିବାରର ସମସ୍ତ ବକେୟା ଋଣ ପରିଶୋଧ ହୋଇଥିଲା। ଏହା ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଥିଲା। ପରିବାରକୁ ଋଣମୁକ୍ତ କରିବାର ଲକ୍ଷ୍ୟ ପୂରଣ ହେବା ପରେ ସେ ପୁଣି ନିଜ ଉଦ୍ୟୋଗୀ ହେବାର ସ୍ୱପ୍ନ ଦିଗରେ ଆଗକୁ ବଢ଼ିଥିଲେ। ଏହାର କିଛି ସମୟ ପରେ ସେ ଗୁଗଲ୍ ଚାକିରି ଛାଡ଼ିଥିଲେ। ୨୦୨୩ ଜୁଲାଇ ୨୦ ଥିଲା ତାଙ୍କର ଶେଷ କାର୍ଯ୍ୟଦିବସ। ଏହାର ଠିକ୍ ଗୋଟିଏ ଦିନ ପରେ ସେ ୨୫ ବର୍ଷରେ ପାଦ ଦେଇଥିଲେ।

ଏବେ ନିଜର ଷ୍ଟାର୍ଟଅପ୍ ଚଳାଉଛନ୍ତି ୟଶ

ଗୁଗଲ୍ ଛାଡ଼ିବା ପରେ ୟଶ ସୁପର ୱାର୍କଡେ ନାମରେ ନିଜର ଏକ ସଫ୍ଟୱେର୍ କମ୍ପାନୀ ଆରମ୍ଭ କରିଥିଲେ। ଏହି କମ୍ପାନୀ ମଣ୍ଡେ ନାମକ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ପ୍ଲାଟଫର୍ମ ପାଇଁ ଆପ୍ଲିକେସନ୍ ତିଆରି କରୁଛି। ତାଙ୍କ ସୂଚନା ଅନୁସାରେ, ଏହି ବ୍ୟବସାୟରେ ୩୦୦ରୁ ଅଧିକ ଗ୍ରାହକ ଅଛନ୍ତି। ଏହାର ଅଧିକାଂଶ ଗ୍ରାହକ ଆମେରିକାର। ଏହା ସହ ସେ ଏଆଇ କ୍ଷେତ୍ରରେ ଆଉ ଏକ ଷ୍ଟାର୍ଟଅପ୍ ଉପରେ କାମ କରୁଛନ୍ତି। ଏପରିକି ନିଜ ବ୍ୟବସାୟର ଆୟରୁ ଭଉଣୀଙ୍କ ବିବାହ ଖର୍ଚ୍ଚ ମଧ୍ୟ ବହନ କରିଥିବା ଜଣାପଡ଼ିଛି।

Also Read: ପୂର୍ବତନ ସ୍ୱାମୀ ଲଗାଇଥିବା ମାନହାନୀ ମାମଲାରେ ମେରି କମଙ୍କୁ ନୋଟିସ କଲେ ଦିଲ୍ଲୀ କୋର୍ଟ

ୟଶଙ୍କ ପ୍ରଶଂସା କଲେ ପ୍ରିୟଙ୍କା ଚତୁର୍ବେଦୀ

ସୋସିଆଲ ମିଡିଆରେ ନିଜର ଏହି ଯାତ୍ରା ବିଷୟରେ ୟଶ ସେୟାର କରିବା ପରେ ଅନେକ ଲୋକ ତାଙ୍କୁ ପ୍ରଶଂସା କରିଛନ୍ତି। ଶିବସେନା (ୟୁବିଟି) ନେତା ତଥା ପୂର୍ବତନ ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ତାଙ୍କ କାହାଣୀକୁ ପ୍ରେରଣାଦାୟୀ ବୋଲି କହିଛନ୍ତି। ନିରନ୍ତର ପରିଶ୍ରମ କରିବା, ନୂଆ ସୁଯୋଗ ଖୋଜିବା ଓ ନିଜ ପରିବାରର ଜୀବନକୁ ଭଲ କରିବା ପାଇଁ ଉଦ୍ୟମ କରିବା ହିଁ ପ୍ରକୃତ ସଫଳତାର ପଥ ବୋଲି ସେ ମତ ଦେଇଛନ୍ତି।

ସେହିପରି ସିଜେପିର ସହ-ଆବାହକ ଆଶୁତୋଷ ରଙ୍କା ମଧ୍ୟ ୟଶଙ୍କ ଯାତ୍ରାକୁ ପ୍ରଶଂସା କରିଛନ୍ତି। ପ୍ରକୃତରେ ସଫଳତା କେବଳ ବଡ଼ ଡିଗ୍ରୀ, ଉଚ୍ଚ ଦରମା କିମ୍ବା ବଡ଼ କମ୍ପାନୀରେ ଚାକିରି କରିବାରେ ସୀମିତ ନୁହେଁ। ନିଜ ଲୋକଙ୍କ ଦୁଃଖରେ ସାଥୀ ହୋଇ ଠିଆ ହେବା, ନିଜ ସ୍ୱପ୍ନକୁ କିଛି ସମୟ ପାଇଁ ପଛକୁ ରଖି ପରିବାରର ଦାୟିତ୍ୱ ତୁଲାଇବା ମଧ୍ୟ ସଫଳତାର ଏକ ବଡ଼ ଉଦାହରଣ। ୟଶ ଗର୍ଗଙ୍କ କାହାଣୀ ଏହି ବାର୍ତ୍ତା ଦେଉଛି।