ନୂଆଦିଲ୍ଲୀଆମେରିକା ଓ ଇସ୍ରାଏଲ ଶନିବାର (୨୮ ଫେବୃଆରୀ) ଇରାନ ଉପରେ ଆକ୍ରମଣ କରିବା ପରେ କ୍ରିପ୍ଟୋକରେନ୍ସି ମାର୍କେଟରେ ତ୍ରାହି ତ୍ରାହି ଡାକ ପଡ଼ିଯାଇଛି। ମାର୍କେଟରେ ବଡ଼ ହ୍ରାସ ହୋଇଛି। ଯୁଦ୍ଧ ଘନେଇବା ପରେ ରିସ୍କ ଓ ସେନସିଟିଭ୍ ମାର୍କେଟ୍‌ରୁ ନିବେଶକ ପଛକୁ ହଟିଯାଇଛନ୍ତି। ନ୍ୟୁୟର୍କରେ ସକାଳ ୬ଟା ସୁଦ୍ଧା ବିଟକଏନ୍ ଅଳ୍ପ ସମୟ ପାଇଁ ୩.୮% ହ୍ରାସ ପାଇ $୬୩,୦୩୮ରେ ପହଞ୍ଚିଥିଲା। ପରେ ଏଥିରେ ସାମାନ୍ୟ ସୁଧାର ଆସି $୬୪,୦୦୦ ପାଖାପାଖି କାରବାର କରିଥିଲା।

ବଜାର ମୂଲ୍ୟ ଅନୁସାରେ ଦ୍ୱିତୀୟ ସର୍ବବୃହତ କ୍ରିପ୍ଟୋକରେନ୍ସି ଇଥର, ୪.୫% ହ୍ରାସ ପାଇ $୧,୮୩୬ ରେ ପହଞ୍ଚିଥିଲା। କଏନଗେକୋ (CoinGecko)ରୁ ମିଳିଥିବା ତଥ୍ୟ ଅନୁସାରେ, ତୁରନ୍ତ ପରବର୍ତ୍ତୀ ସମୟରେ ମୋଟ ଡିଜିଟାଲ୍ ସମ୍ପତ୍ତି ବଜାରରୁ ପ୍ରାୟ $୧୨୮ ବିଲିୟନ ଉଡିଯାଇଥିଲା।

ଆକ୍ରମଣ ଆରମ୍ଭ ହେବା ପରେ ତେହେରାନରେ ବିସ୍ଫୋରଣ ଖବର ମିଳିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନବାସୀଙ୍କୁ ସାମରିକ ଅଭିଯାନ ଶେଷ ହେବା ପରେ ସେମାନଙ୍କର ସରକାର ବଦଳାଇବାକୁ ଆହ୍ୱାନ ଦେଇଥିଲେ। ଯୁଦ୍ଧ ସ୍ଥିତି ଘନେଇବାରୁ ନିବେଶକମାନେ ରିସ୍କ ମାର୍କେଟରୁ ବାହାରି ସୁନା ଭଳି ସୁରକ୍ଷିତ ମାର୍କେଟରେ ନିବେଶ କରିଥିଲେ। ଫଳରେ ବିଟକଏନ ମାର୍କେଟ୍ ଏତେବଡ଼ ହ୍ରାସ ଘଟିଥିଲା।

ବିଟକଏନର ସଦ୍ୟତମ ହ୍ରାସ କ୍ରିପ୍ଟୋ କ୍ଷେତ୍ରରେ ଦୀର୍ଘକାଳୀନ ମାନ୍ଦାବସ୍ଥାକୁ ଆହୁରି ବୃଦ୍ଧି କରୁଛି। ଅକ୍ଟୋବରରେ ଏହି ହ୍ରାସ ଆରମ୍ଭ ହୋଇଥିଲା, ଯେତେବେଳେ ପ୍ରାୟ $୧୯ ବିଲିୟନ ଲିଭରେଜଡ୍ ପୋଜିସନଗୁଡ଼ିକୁ ଲିକ୍ୟୁଏଡେଟ୍ କରାଯାଇଥିଲା। ଅନ୍ୟପଟେ ସୁନା ଭଳି ସୁରକ୍ଷିତ ନିବେଶ ଆଡ଼କୁ ନିବେଶକ ଗତି ଯୋଗୁ ଏଥିରେ ଭଲ ଲାଭ ଦେଖିବାକୁ ମିଳୁଛି ବୋଲି ବିଶେଷଜ୍ଞ କହିଛନ୍ତି।