ସମ୍ବଲପୁର/ନୂଆଦିଲ୍ଲୀ: ସମ୍ବଲପୁରରେ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ "ଲୋକତନ୍ତ୍ର ବଞ୍ଚାଓ - ଅରାଜକତା ହଟାଓ" ପଦଯାତ୍ରା ଏବଂ ଜନସଭାରେ ଯୋଗଦେଇ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଗଣତନ୍ତ୍ର ସୁରକ୍ଷା ଏବଂ ଅରାଜକତା ବିରୁଦ୍ଧରେ ମହାଜାଗରଣର ଆହ୍ୱାନ ଦେଇଛନ୍ତି । ଶ୍ରୀ ପ୍ରଧାନ ଆଜି ପ୍ରଥମେ ଦଳର ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା, ଜନସାଧାରଣ, ମାତୃଶକ୍ତି ଓ ଯୁବସାଥୀଙ୍କ ସହ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

ଦେଶ ଓ ରାଜ୍ୟର ରାଜନୈତିକ ପରିସ୍ଥିତିକୁ ନେଇ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଏହି ପଦଯାତ୍ରା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ଏବଂ ସମଗ୍ର ଦେଶରେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଏକ ମହାସଂଗ୍ରାମ ଅଟେ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଦେଶ ଯେତେବେଳେ ବିଶ୍ୱର ପଞ୍ଚମ ଅର୍ଥନୀତିରୁ ଆହୁରି ଉପରକୁ ଉଠୁଛି ଏବଂ ଦ୍ରୁତ ଗତିରେ ବିକାଶ କରୁଛି, ସେତେବେଳେ ଜନସମର୍ଥନ ହରାଇଥିବା କିଛି ହତାଶ ରାଜନୈତିକ ଦଳ ଏହାକୁ ସହ୍ୟ କରିପାରୁନାହାନ୍ତି ।

Also Read: ପାର୍ଟି କିଏ ସମ୍ଭାଳୁଥିଲା ଏବଂ ୟୁପିଏ ସରକାରକୁ କିଏ ଚଲାଉଥିଲା ? ନିଜ ପୁସ୍ତକରେ ବଡ଼ ଖୁଲାସା କଲେ ସୋନିଆ ଗାନ୍ଧୀ

ନିଜର କ୍ରମାଗତ ପରାଜୟ ଓ ରାଜନୈତିକ ଦେବାଳିଆପଣକୁ ଲୁଚାଇବା ପାଇଁ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ଆଜି ‘ଭୋଟ୍ ଚୋରି’ର ହଟଚମଟ ସୃଷ୍ଟି କରୁଛନ୍ତି। ସଂସଦ ଠାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ଏହି ନେତାମାନେ ଅଙ୍ଗୁର ନମିଳିଲେ ତାହାକୁ ଖଟା ବୋଲି କହିବା ସଦୃଶ କେବଳ ମିଥ୍ୟା ବାହାନା ଖୋଜୁଛନ୍ତି। ଏହା କେବଳ ସେମାନଙ୍କର କ୍ରମାଗତ ପରାଜୟ ଓ ରାଜନୈତିକ ବିଫଳତାକୁ ଲୁଚାଇବାର ଏକ ନିନ୍ଦନୀୟ ଷଡ଼ଯନ୍ତ୍ର ମାତ୍ର । ନିର୍ବାଚନରେ ଜିତିଲେ ଇଭିଏମ୍ ଓ ନିର୍ବାଚନ ଆୟୋଗ ଭଲ ଲାଗୁଥିବାବେଳେ ହାରିଗଲେ ସେହି ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ବଦନାମ କରିବାର ଏମାନଙ୍କର ଦୋମୁହାଁ ନୀତିକୁ ଦେଶବାସୀ ଭଲ ଭାବରେ ବୁଝିସାରିଛନ୍ତି।

ନିର୍ବାଚନ ତାଲିକା ସଂଶୋଧନ ସମୟରେ ବିରୋଧୀଙ୍କ ହୋ-ହାହ୍ଲାକୁ କଡ଼ା ସମାଲୋଚନା କରି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ଯେ, ମୃତ ବ୍ୟକ୍ତି, ଠିକଣା ବଦଳାଇଥିବା ଏବଂ ବେଆଇନ ଅନୁପ୍ରବେଶକାରୀଙ୍କ ଭରସାରେ କଂଗ୍ରେସ କ’ଣ ନିର୍ବାଚନ ଜିତିବାକୁ ଚାହୁଁଛି? ଦେଶର ୧୪୦ କୋଟି ଜନସାଧାରଣଙ୍କ ଉପରେ ଆସ୍ଥା ନ ରଖି ନାଗରିକତା ନଥିବା ଲୋକଙ୍କୁ ସୁରକ୍ଷା ଦେବାର ଏହି ଚକ୍ରାନ୍ତକୁ କେବେବି ବରଦାସ୍ତ କରାଯିବ ନାହିଁ।

Also Read: ବିମୁଦ୍ରୀକରଣକୁ ୧୦ ବର୍ଷ, ସୁଫଳର ହିସାବ ଦେଲା ବିଜେପି

ଦେଶରେ ପ୍ରଜାତନ୍ତ୍ର ଓ ନିର୍ବାଚନ ଆୟୋଗ ରହିଛି ବୋଲି ଆଜି ଜଣେ ଗରିବ ଓଡ଼ିଆ ଜନଜାତି ଘରର ଝିଅ ଦେଶର ରାଷ୍ଟ୍ରପତି ଏବଂ ଗରିବ ଘରର ପିଲା ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। କିନ୍ତୁ ସାମନ୍ତବାଦୀ ନେହେରୁ-ଗାନ୍ଧୀ ପରିବାର ଏହାକୁ ସହି ନପାରି ଦେଶରେ ଅରାଜକତା ଓ ରିଜିମ୍ ଚେଞ୍ଜର କଥା କହୁଛନ୍ତି। ସେ ଆହୁରି କହିଥିଲେ, ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ଏବଂ ସମଗ୍ର ଦେଶରେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଆୟୋଜିତ ଏହି ପଦଯାତ୍ରାକୁ ଜନସାଧାରଣଙ୍କ ବିପୁ ସମର୍ଥନ ରହିଛି ।

ଓଡ଼ିଶାର ଗାଁ ଗଣ୍ଡାରୁ ଆରମ୍ଭ କରି ପ୍ରତିଟି ଘରେ ମାଆ ସମଲେଶ୍ୱରୀ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ବାର୍ତ୍ତା ପହଞ୍ଚାଇବାକୁ ହେବ ଯେ, "ମୋଦୀ କେଉଁଆଡେ ବି ଯିବେ ନାହିଁ ଏବଂ ଦେଶର ବିକାଶ ଯାତ୍ରା ଅହରହ ଜାରି ରହିବ । ଏହି ପଦଯାତ୍ରା ମାଧ୍ୟମରେ ରାଜ୍ୟରୁ ସମସ୍ତ ପ୍ରକାର ଅରାଜକତାକୁ ମୂଳପୋଛ କରି ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି ।

ଏହି ପଦଯାତ୍ରାରେ ଓଡ଼ିଶାର ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ପ୍ରମୁଖ ସାମିଲ ହୋଇଥିଲେ।