ନୂଆଦିଲ୍ଲୀ: ଇ-୨୦ ପେଟ୍ରୋଲରେ ନିର୍ଦ୍ଧାରିତ ୨୦ ପ୍ରତିଶତରୁ ଅଧିକ ଇଥାନଲ୍ ମିଶ୍ରଣ କରାଯାଉଥିବା କଂଗ୍ରେସ ସଙ୍ଗୀନ ଅଭିଯୋଗ ଆଣିଛି। କର୍ଣ୍ଣାଟକ ସରକାର ଲ୍ୟାବରେ ପେଟ୍ରୋଲର ନମୂନା ପରୀକ୍ଷଣ କରି ପେଟ୍ରୋଲରେ ୩୦ ପ୍ରତିଶତରୁ ଅଧିକ ଇଥାନଲ ମିଶା ଯାଉଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ। ସେ ଇଣ୍ଡିଆନ ଓଏଲ ହେଉ କି ଭାରତ ପେଟ୍ରୋଲିୟମ ଅବା ହିନ୍ଦୁସ୍ଥାନ ପେଟ୍ରୋଲିୟମ ସବୁ କମ୍ପାନି ଧାର୍ଯ୍ୟ ସୀମାଠୁ ପେଟ୍ରୋଲରେ ଅଧିକ ଇଥାନଲ ମିଶାଉଥିବା ଅଭିଯୋଗ ହୋଇଛି। ଏହା ମଧ୍ୟରେ ଭାରତ ପେଟ୍ରୋଲିୟମ କର୍ଣ୍ଣାଟକର କଂଗ୍ରେସ ସରକାର ଦ୍ଵାରା ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଅମୂଳକ ବୋଲି କହିଥିଲା। ଏପରିକି ଏହି ପେଟ୍ରୋଲିୟମ କମ୍ପାନି ତଥ୍ୟ ସହିତ ଟୁଇଟ୍ କରିଥିଲା। କିନ୍ତୁ ଏହାର କିଛି ସମୟ ପରେ ଟୁଇଟ୍ ଡିଲିଟ୍ କରି ଏବେ ବିବାଦ ଘେରରେ ଭାରତ ପେଟ୍ରୋଲିୟମ।

Also Read: ପାର୍ଟି କିଏ ସମ୍ଭାଳୁଥିଲା ଏବଂ ୟୁପିଏ ସରକାରକୁ କିଏ ଚଲାଉଥିଲା ? ନିଜ ପୁସ୍ତକରେ ବଡ଼ ଖୁଲାସା କଲେ ସୋନିଆ ଗାନ୍ଧୀ

ଭାରତ ପେଟ୍ରୋଲିୟମ ଏକ୍ସରେ ‘ମିଥ ଭର୍ସେସ୍ ଫ୍ୟାକ୍ଟ’(ଭ୍ରମ ବନାମ ତଥ୍ୟ) ନାମରେ ଏକ ଅଭିଯାନ ଚଳାଇଛି। ଏହାର ଉଦ୍ଦେଶ୍ୟ କର୍ଣ୍ଣାଟକ ସରକାରଙ୍କ ଇ-୨୦ ସଂପର୍କିତ ଗମ୍ଭୀର ଅଭିଯୋଗ ଉପରେ ଜବାବ ଦେବା। ହେଲେ କମ୍ପାନି ଗୋଟିଏ ଟୁଇଟ୍ ଡିଲିଟ୍ କରିବା ପରେ ଏହାର ଉଦ୍ଦେଶ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରବିବାର କରାଯାଇଥିବା ଟୁଇଟରେ ଦାବି କରାଯାଇଥିଲା ଯେ, ମହୀଶୂରର ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ଇଥାନଲ ମିଶ୍ରଣର ଯାଞ୍ଚ ପରେ ଜଣା ପଡ଼ିଲା ଯେ, ଏଥିରେ ନିର୍ଦ୍ଧାରିତ ସୀମା ଅନୁସାରେ ୨୦ ପ୍ରତିଶତ ଇଥାନଲ ରହିଛି।

ଟୁଇଟ୍ ଡିଲିଟ୍ କରି ହଟହଟା ଭାରତ ପେଟ୍ରୋଲିୟମ

ହେଲେ ଅନେକ ଲୋକ ଏହି ଟୁଇଟ୍ ଦେଖିବା ପରେ ତୁରନ୍ତ ଜବାବ ଦେଇଥିଲେ ଯେ, ପ୍ରକୃତରେ ପେଟ୍ରୋଲରେ ଇଥାନଲର ମାତ୍ରା ଧାର୍ଯ୍ୟ ସୀମାଠୁ ଅଧିକ ରହିଛି। ପେଟ୍ରୋଲରେ ୩୩ ପ୍ରତିଶତ ଇଥାନଲ ମିଶ୍ରଣ ହେଉଥିବା ଦାବି କରିଥିଲେ। ଏହା ପରେ ଭାରତ ପେଟ୍ରୋଲିୟମ ତୁରନ୍ତ ଉକ୍ତ ଟୁଇଟ୍ ଡିଲିଟ୍ କରି ଦେଇଥିଲା। କିନ୍ତୁ ଏହାର ସ୍କ୍ରିନସଟ୍ ସଂପ୍ରତି ଭାଇରାଲ୍ ହେବାରେ ଲାଗିଛି। ଲୋକେ ଏବେ କମ୍ପାନିର ଦୋମୁହାଁ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଉଛନ୍ତି।

ସ୍ପଷ୍ଟୀକରଣ ମାଗିଲେ ଲୋକେ

ଅନେକ ୟୁଜର୍ସ ଡିଲିଟ୍ ହୋଇଥିବା ଟୁଇଟର ସ୍କ୍ରିନସଟ୍ ସେୟାର କରିଥିବା ବେଳେ ଆଉ କିଛି ୟୁଜର୍ସ ସରକାରୀ ତୈଳ କମ୍ପାନି ଭାରତ ପେଟ୍ରୋଲିୟମଠୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗିଛନ୍ତି। ଜଣେ ଗମ୍ଭୀର ଅଭିଯୋଗ ଲଗାଇ କହିଛନ୍ତି ଯେ, କର୍ଣ୍ଣାଟକ ସରକାର ଗତ ସପ୍ତାହରେ ତୈଳ ବିପଣନ କମ୍ପାନି ଦ୍ଵାରା ବିକ୍ରି ହେଉଥିବା ପେଟ୍ରୋଲରେ ଧାର୍ଯ୍ୟ ୨୦ ପ୍ରତିଶତ ସୀମାଠୁ ଅଧିକ ଇଥାନଲ ମିଶ୍ରଣ କରାଯାଉଥିବା ଅଭିଯୋଗ କରିଥିଲେ। ରାଜ୍ୟ ସରକାର ଏ ନେଇ ଲ୍ୟାବରେ ପେଟ୍ରୋଲର ୬୩ ନମୂନାର ଯାଞ୍ଚ କରିଥିଲେ। ଏଥିରୁ ଅଧିକାଂଶ ନମୂନାରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ ମିଶିଥିବା ଦେଖିବାକୁ ମିଳିଥିଲା।

ବଡ଼ ଚେତାବନୀ ଦେଲା କେରଳ ସରକାର

ଏବେ ଏହି ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ଛିଡ଼ା ହୋଇଛି। କେରଳର କଂଗ୍ରେସ ସରକାର ପେଟ୍ରୋଲ ପମ୍ପ ଗୁଡ଼ିକରେ ମାରାଥନ ଯାଞ୍ଚ ଆରମ୍ଭ କରି ଦେଇଛି। ବର୍ତ୍ତମାନ ଏହି ଯାଞ୍ଚ ତିରୁଅନନ୍ତପୁରମ, ଏର୍ଣ୍ଣାକୁଲମ, କୋଝିକୋଡ଼ ଓ କନ୍ନୁରରେ ଚାଲିଛି। ମନ୍ତ୍ରୀ ଅନୂପ ଜ୍ୟାକବ କହିଛନ୍ତି, ଯଦି ପ୍ରଥମ ପର୍ଯ୍ୟାୟରେ କିଛି ଗଡ଼ବଡ଼ ସାମ୍ନାକୁ ଆସେ ତେବେ ଯାଞ୍ଚର ପରିଧି ବ୍ୟାପକ କରାଯିବ। ସରକାରୀ ଲ୍ୟାବରେ ପ୍ରତିଟି ନମୂନାର ଯାଞ୍ଚ କରାଯିବ। କେରଳରେ କଂଗ୍ରେସ ନେତୃତ୍ଵାଧୀନ UDF ସରକାର ଚେତାବନୀ ଦେଇଛନ୍ତି ଯେ, ଯଦି ନିୟମରେ ଉଲ୍ଲଂଘନ ହୋଇଥିବ ତେବେ ପେଟ୍ରୋଲ ପମ୍ପ ସିଲ୍ କରାଯିବ ଏବଂ ଦାୟୀ ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।