ଭୁବନେଶ୍ଵର: ରାଜ୍ୟରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟାକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି ଏକ ବଡ଼ ତଥ୍ୟ। ଓଡ଼ିଶାର ବିଭିନ୍ନ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀ ଚାକିରି ଆଶାରେ ନିଜ ନାମ ପଞ୍ଜୀକରଣ କରି ଅପେକ୍ଷା କରିଛନ୍ତି। ବିଧାନସଭା ଗୃହରେ ପ୍ରଶ୍ନୋତ୍ତର କାଳରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଏହି ସମ୍ପର୍କିତ ଏକ ଉତ୍ତର ରଖି ସରକାରୀ ହିସାବ ପ୍ରଦାନ କରିଛନ୍ତି।

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୬ ମେ' ୩୧ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର 'ଲାଇଭ୍ ରେଜିଷ୍ଟର'ରେ ମୋଟ ୧୩,୭୯,୪୨୭ ଜଣ ଯୁବକଯୁବତୀ ନିଜର ନାମ ପଞ୍ଜୀକରଣ କରିଛନ୍ତି। ଏହି ସଂଖ୍ୟା ରାଜ୍ୟରେ ବେକାରୀ ସମସ୍ୟାର ସାଂଘାତିକ ଚିତ୍ରକୁ ପଏଣ୍ଟ କରୁଥିବା ବେଳେ ପ୍ରତିବର୍ଷ ଶିକ୍ଷା ଶେଷ କରୁଥିବା ଅନେକ ଯୁବପିଢ଼ି ନିଯୁକ୍ତି ପାଇଁ ସଂଗ୍ରାମ କରୁଥିବା ସ୍ପଷ୍ଟ ହୋଇଛି।

Also Read: ବିଧାନସଭାରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଚିତ୍ର: ୪୬୦ଟି ପ୍ରାଥମିକ ସ୍କୁଲ ବନ୍ଦ, ୧୩ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀ ଫାଙ୍କା

୧,୪୩,୪୩୨ ଜଣ ଉଚ୍ଚଶିକ୍ଷିତ

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ମୋଟ ପଞ୍ଜୀକୃତ ବେକାରୀଙ୍କ ମଧ୍ୟରୁ ୧,୪୩,୪୩୨ ଜଣ ଯୁବକଯୁବତୀ ଉଚ୍ଚଶିକ୍ଷିତ। ଏଥିରେ ବିଭିନ୍ନ ବୈଷୟିକ (Technical) ଓ ଅବୈଷୟିକ (Non-technical) ଡିଗ୍ରୀ ଏବଂ ଡିପ୍ଲୋମା ହାସଲ କରିଥିବା ପ୍ରାର୍ଥୀମାନେ ଅନ୍ତର୍ଭୁକ୍ତ ଅଛନ୍ତି। ଉଚ୍ଚଶିକ୍ଷା ଓ କାରିଗରୀ ଶିକ୍ଷା ପରେ ମଧ୍ୟ ସେମାନଙ୍କୁ ଯୋଗ୍ୟତା ଅନୁସାରେ କାମ ମିଳିପାରି ନାହିଁ।

ରାଜ୍ୟର ବିଭିନ୍ନ ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜରୁ ସଂଗ୍ରହ କରାଯାଇଥିବା ଏହି ରିପୋର୍ଟ ଦର୍ଶାଉଛି ଯେ ଦକ୍ଷ ଯୁବପିଢ଼ି ଏବେ ବି ସ୍ଥାୟୀ ନିଯୁକ୍ତି ସୁଯୋଗକୁ ଚାହିଁ ବସିଛନ୍ତି। ଆଗାମୀ ଦିନରେ ଏହି ଶିକ୍ଷିତ ବେକାରୀଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରିବା ସହ ରାଜ୍ୟରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ନେଇ ମଧ୍ୟ ଗୃହରେ ଆଲୋଚନା ହୋଇଛି।