ମୋହନା ୧୦।୧୧ :  ରାତିରେ ଘରକୁ ଫେରିଲେନି। ପରିବାର ଲୋକ ବହୁ ଖୋଜାଖୋଜି ପରେ ଗାଁଠାରୁ ଦୁଇ କିଲୋମିଟର ଦୂରରେ ମିଳିଲା ମୃତଦେହ। ମୁହଁ ସମେତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ। ମୃତଦେହ ନିକଟରେ ପଡ଼ିଥିଲା ଏକ ବଡ଼ ପଥର। ପଥରରେ ଛେଚି ହତ୍ୟା କରାଯାଇଥିବା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳାଯାଇଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବଳରାମ ଘରକୁ ଫେରିନଥିଲେ। ଏହାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଶେଷରେ ଗାଁଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଏକ ଗଛ ମୂଳରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତକ ହେଉଛନ୍ତି ସେହି ଗାଁର ବଳରାମ ପେଟୁସିଂ। ବୟସ ୫୫ ବର୍ଷ ବୋଲି ସୂଚନା ମିଳିଛି ।

Also Read:-ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଚାକିରିରୁ ବିଦା ହେଲେ ORS ଅଧିକାରୀ ମନୀଷା ମିଶ୍ର

ମଦଭାଟିଠାରୁ କିଛି ଦୂରରେ ମୃତଦେହ ପଡ଼ିଥିବା ବେଳେ ନିକଟରେ ଏକ ବଡ଼ ପଥର ମଧ୍ୟ ପଡ଼ିଥିଲା। ବଳରାମଙ୍କ ମୁହଁ ସମ୍ପୂର୍ଣ୍ଣ କ୍ଷତାକ୍ତ ହୋଇଥିବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ତେଣୁ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ତାଙ୍କ ଭାଇ ତ୍ରିନାଥ ପେଟୁସିଂ ଅଭିଯୋଗ କରିଛନ୍ତି।

ସେପଟେ ଘଟଣା ସମ୍ପର୍କରେ ଖବର ପାଇ ମୋହନା ଥାନା ଓ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । କିଏ ଏବଂ କେଉଁ କାରଣରୁ ବଳରାମଙ୍କୁ ହତ୍ୟା କରିଲା, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।