ଭୁବନେଶ୍ୱର ୧୦।୧୧ : ଦୁର୍ନୀତି କରୁଥିଲେ ସାବଧାନ । ସମୟ ଥାଉ ଥାଉ ସୁଧୁରିଯାଅ। ସରକାରୀ ଚାକିରି କରି ଲାଞ୍ଚ ନେବା, ସରକାରୀ ଅର୍ଥ ହଡ଼ପ କରିବା କିମ୍ବା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ଏଣିକି ମହଙ୍ଗା ପଡ଼ିବ। ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ମୋହନ ସରକାର। ଗତ ଅଢ଼େଇ ବର୍ଷରେ ୪୨ ଜଣ ସରକାରୀ କର୍ମଚାରୀଙ୍କ ଚାକିରି ଯାଇଥିବା ବେଳେ ୯୧ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ବନ୍ଦ ହୋଇଛି।

ବାଲେଶ୍ୱରରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ସମାରୋହରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ନିଜ ଅଭିଭାଷଣ ଦେବା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁର୍ନୀତି କରୁଥିଲେ ସାବଧାନ। ସମୟ ଆସିଛି ସୁଧୁରିଯାଅ। ଦୁର୍ନୀତି ବିରୋଧରେ ସରକାର ଜିରୋ ଟଲରାନ୍ସ ନୀତି ଆପଣାଇବେ ବୋଲି ପୂର୍ବରୁ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏବେ ସୁଦ୍ଧା ୪୧ ଦୁର୍ନୀତିଗ୍ରସ୍ତ ଅଧିକାରୀ ଚାକିରିରୁ ବହିଷ୍କୃତ ହେଲେଣି। ମନିଷାଙ୍କୁ ମିଶାଇ ଏହି ସଂଖ୍ୟା ଏବେ ୪୨ରେ ପହଞ୍ଚିଛି।

Also Read:-ଓଡ଼ିଶାରେ ଜାରି ରହିବ ଶୀତର ପ୍ରକୋପ, ଆଭ୍ୟନ୍ତରୀଣ ଅଞ୍ଚଳରେ କମିବ ରାତି ତାପମାତ୍ରା

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରମ୍ବାର କହି ଆସୁଛନ୍ତି, ଦୁର୍ନୀତି ବିରୋଧରେ ସରକାରଙ୍କ ନୀତି ହେଉଛି ଜିରୋ ଟଲରାନ୍ସ। ଦୁର୍ନୀତିରେ ସମ୍ପୃକ୍ତ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଛଡ଼ାଯିବ ନାହିଁ। ଆଉ ଏହି ନୀତି ଅନୁସାରେ ଭିଜିଲାନ୍ସ ବିଭାଗ ମଧ୍ୟ ଲଗାତାର କାର୍ଯ୍ୟାନୁଷ୍ଠାନ ନେଉଛି।

ସୂଚନାଯୋଗ୍ୟ ଯେ, ୨୦୨୪ ଜୁନ ୧୨ରୁ ଅକ୍ଟୋବର ୨୦୨୬ ଯାଏଁ ୫୧୬ଟି ଦୁର୍ନୀତି ସଂପର୍କିତ ମାମଲା ରୁଜୁ ହୋଇଛି । ଏହି ମାମଲାରେ ୫୩୭ ଜଣ ସରକାରୀ ଅଧିକାରୀ ଓ ଅନ୍ୟ ବ୍ୟକ୍ତି ଗିରଫ ହୋଇଛନ୍ତି। ସେହିପରି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୪୨ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏହାବ୍ୟତୀତ ୯୧ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍ସନ୍ ବନ୍ଦ କରାଯାଇଛି।