ଭୁବନେଶ୍ୱର: ରାଜ୍ୟର ସ୍କୁଲ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷକ ଅଭାବକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି ଚିନ୍ତାଜନକ ତଥ୍ୟ। ରାଜ୍ୟରେ ୪୬୦ଟି ପ୍ରାଥମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି। ଗୃହରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି।

ଜଣେ ଶିକ୍ଷକଙ୍କ ଭରସାରେ ୮୩୩ ସ୍କୁଲ

ମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ UDISE+ (ୟୁଡାଇସ୍ ପ୍ଲସ୍) ତଥ୍ୟ ଅନୁଯାୟୀ, ରାଜ୍ୟରେ ଏବେ ବି ୮୩୩ଟି ବିଦ୍ୟାଳୟ ମାତ୍ର ଜଣେ ଲେଖାଏଁ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଛି। ସେହିପରି ରାଜ୍ୟର ୩୭୪ଟି ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି, ଯାହା ବିଦ୍ୟାଳୟଗୁଡ଼ିକର ପ୍ରଶାସନିକ ଓ ଶିକ୍ଷାଦାନ କାର୍ଯ୍ୟକୁ ପ୍ରଭାବିତ କରୁଛି।

Also Read: ରାଜ୍ୟରେ ଖସିଲା ଡ୍ରପ୍ ଆଉଟ୍ ହାର, ୧୫% ରୁ ୧୪.୧% କୁ ହ୍ରାସ, ସ୍କୁଲକୁ ଫେରିଲେ ୮୦ ହଜାର ପିଲା

୧୩,୯୦୩ ଶିକ୍ଷକ ପଦବୀ ଫାଙ୍କା, ଅତିଥି ଶିକ୍ଷକଙ୍କ ଭରସା

ରାଜ୍ୟର ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ (Full Aided) ଏବଂ ନୂତନ ଅନୁଦାନପ୍ରାପ୍ତ (New Aided) ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ମୋଟ ୧୩,୯୦୩ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ସରକାରୀ ସ୍ତରରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶିକ୍ଷାଦାନ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ୪,୨୬୪ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମାସିକ ୧୨ ହଜାର ଟଙ୍କା ପାରିଶ୍ରମିକରେ ଅତିଥି ଶିକ୍ଷକ (Guest Teachers) ଭାବେ ନିଯୁକ୍ତ କରାଯାଇଛି। ଶିକ୍ଷକ ଅଭାବ ଦୂର କରିବା ପାଇଁ ଆଗାମୀ ଦିନରେ ଅଧିକ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି।

Also Read: ଅଢ଼େଇ ବର୍ଷରେ ରାଜଧାନୀରେ କଟିଛି ୧୩, ୮୮୪ ଚାଲାଣ; ଆଦାୟ ହୋଇଛି ୧୫ କୋଟି, ଟ୍ୱିନ୍ ସିଟିରେ ବେଶି ଅମାନିଆ