ଉମରକୋଟ: ପ୍ରେମ... ଏଭଳି ଏକ ପବିତ୍ର ଶବ୍ଦ, ଯାହା ଆଗରେ ସଂସାରର ସବୁ ସମ୍ପର୍କ, ସବୁ ନିୟମ ଫିକା ପଡ଼ିଯାଏ। କୁହାଯାଏ, ପ୍ରେମ କୌଣସି ସୀମା ମାନେନାହିଁ, ନା ମାନେ ଜାତିପ୍ରଥା, ନା ସମାଜର ପ୍ରାଚୀର। ସମସ୍ତ ସାମାଜିକ ବାଧାବନ୍ଧନ ଓ କଟକଣାକୁ ଡେଇଁ ନିଜ ପ୍ରେମକୁ ପାଇବା ପାଇଁ ମଣିଷ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଯାଏ। ଏଭଳି ଏକ ଅଦ୍ଭୁତ ତଥା ନିଆରା ପ୍ରେମ କାହାଣୀ ଓ ବାହାଘର ଏବେ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ। ସୋସିଆଲ୍ ମିଡିଆରୁ ଆରମ୍ଭ ହୋଇଥିବା ଏହି ଭଲପାଇବା ଆଜି ବାହାବେଦୀ ପର୍ଯ୍ୟନ୍ତ ପହଞ୍ଚିଛି। ଜଣେ ଯୁବକ ସମାଜର ସବୁ ପ୍ରଥାକୁ ପଛରେ ପକାଇ ଜଣେ କିନ୍ନର ଯୁବତୀଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଦେଖିବାକୁ ମିଳିଛି ଏକ ନିଆରା ତଥା ଚହଳ ପକାଇଥିବା ବାହାଘର। ଜଣେ ସାଧାରଣ ଯୁବକ ସମସ୍ତ ସାମାଜିକ ପ୍ରଥାକୁ ଆହ୍ୱାନ ଦେଇ ବାହା ହୋଇଛନ୍ତି ଜଣେ କିନ୍ନର ଯୁବତୀଙ୍କୁ। ବାହା ହେବା ପରେ ଏହି ନବଦମ୍ପତି ଏବେ ହସଖୁସିର ସହ ନୂଆ ସଂସାର ଗଢ଼ିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଉମରକୋଟ୍ରେ ଥିବା କିନ୍ନର ଆଖଡ଼ା ଗୃହରେ ଗତ ସୋମବାର ଦିନ ଏହି ବାହାଘର ବେଶ୍ ଧୂମଧାମରେ ସମ୍ପନ୍ନ ହୋଇଯାଇଛି।

ସୋସିଆଲ୍ ମିଡିଆର ଫେସବୁକ୍ ବା ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ଯେ ଦିନେ ଏମିତି ବାହାବେଦୀରେ ପହଞ୍ଚିବ, ଏହା ହୁଏତ କେହି କଳ୍ପନା ସୁଦ୍ଧା କରିନଥିଲେ। ଏହି ନିଆରା ପ୍ରେମ କାହାଣୀର ନାୟକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଯୁବକ ସତ୍ୟଜିତ ଆଚାର୍ଯ୍ୟ। ଆଉ ନାୟିକା ହେଉଛନ୍ତି କଳାହାଣ୍ଡି ଜିଲ୍ଲାର କିନ୍ନର ଶିବାନୀ ସାହୁ। ଦୀର୍ଘ ଦୁଇ ବର୍ଷ ତଳେ ସାମାଜିକ ଗଣମାଧ୍ୟମରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା।

Also Read: ୨ ହଜାର ଟଙ୍କା ଘରଭଡା ନଦେଇପାରିବାରୁ ନେଲେ ଚରମ ନିଷ୍ପତ୍ତି, ମାଲିକ ହୋଇଗଲା ଖୁସି

ସମୟ ଗଡ଼ିବା ସହ ଏହି ବନ୍ଧୁତ୍ୱ ଧୀରେ ଧୀରେ ନିବିଡ଼ ପ୍ରେମରେ ପରିଣତ ହେଲା। ଦୁଇ ବର୍ଷର ନିରନ୍ତର ଭଲପାଇବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଇତିମଧ୍ୟରେ ଶିବାନୀ କଳାହାଣ୍ଡି ଛାଡ଼ି ନବରଙ୍ଗପୁର ଜିଲ୍ଲା ଉମରକୋଟର ଦେବଲିନା ଆଚାର୍ଯ୍ୟଙ୍କ କିନ୍ନର ଆଖଡ଼ାକୁ ଚାଲିଆସିଥିଲେ। ଏଠାରେ ରହିବା ସମୟରେ ଶିବାନୀ ନିଜ ଗୁରୁମାଙ୍କ ଆଗରେ ସତ୍ୟଜିତଙ୍କୁ ବିବାହ କରିବାର ଇଚ୍ଛା ପ୍ରକାଶ କରି ଥିଲେ। ଗୁରୁ ଦେବଲିନା ଯେତେବେଳେ ସତ୍ୟଜିତଙ୍କ ସହ ଏନେଇ ଆଲୋଚନା କଲେ, ସତ୍ୟଜିତ ମଧ୍ୟ ବିନା କୌଣସି ଦ୍ୱିଧାରେ ଶିବାନୀଙ୍କ ହାତ ଧରିବାକୁ ସହମତି ପ୍ରକାଶ କରିଥିଲେ।

ତେବେ ଏହି ସମ୍ପର୍କ ଏତେ ସହଜ ନଥିଲା। ଉଭୟଙ୍କ ନିଷ୍ପତ୍ତି ବିଷୟରେ ଯେତେବେଳେ ସତ୍ୟଜିତଙ୍କ ପରିବାର ଲୋକେ ଜାଣିବାକୁ ପାଇଲେ, ସେମାନେ ପ୍ରଥମେ ଏହି ସମ୍ପର୍କକୁ ତୀବ୍ର ବିରୋଧ କରିଥିଲେ। କିନ୍ତୁ ପୁଅର ଜିଦ୍ ଏବଂ ସଚ୍ଚା ପ୍ରେମ ଆଗରେ ଶେଷରେ ପରିବାର ଲୋକଙ୍କୁ ମୁଣ୍ଡ ନୂଆଇଁବାକୁ ପଡ଼ିଥିଲା ଏବଂ ସେମାନେ ବିବାହ ପାଇଁ ରାଜି ହୋଇଥିଲେ। ଅପରପକ୍ଷରେ, ଶିବାନୀ ଜଣେ କିନ୍ନର ହୋଇଥିବାରୁ ଶିବାନୀଙ୍କ ପରିବାର ଲୋକେ ଏହି ବିବାହର ସପକ୍ଷରେ ନଥିଲେ।

Also Read: ନିର୍ଘାତ ମାଡ଼ ଖାଇବା ସତ୍ତ୍ୱେ ସୌମ୍ୟ କାହିଁକି ଅସ୍ୱାଭାବିକ ଆଚରଣ କରୁଥିଲେ ? ପର୍ଦ୍ଦାଫାଶ ହେଲା ଷ୍ଟେରୋଏଡ୍ ଥିଓରୀ

ଏଭଳି ଏକ ଜଟିଳ ପରିସ୍ଥିତିରେ ଉଭୟ ସାବାଳକ ହୋଇଥିବାରୁ, କିନ୍ନର ଆଖଡ଼ାର ନିଷ୍ପତ୍ତି କ୍ରମେ ସମ୍ପୂର୍ଣ୍ଣ ବୈଦିକ ତଥା ଗାନ୍ଧର୍ବ ରୀତିରେ ଏହି ଅପୂର୍ବ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ କେବଳ କିନ୍ନର ସମାଜ ନୁହେଁ, ବରଂ ସ୍ଥାନୀୟ ଲୋକେ ମଧ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ନାଚଗୀତ ସହ ସୁସ୍ୱାଦୁ ଭୋଜିଭାତର ଆୟୋଜନ ହୋଇଥିଲା।

ସ୍ଥାନୀୟ ଅଞ୍ଚଳବାସୀ ଏହି ଅନନ୍ୟ ବିବାହକୁ ସ୍ୱାଗତ କରିବା ସହ ନବଦମ୍ପତିଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଅଶେଷ ଆଶୀର୍ବାଦ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଏହି ନବଦମ୍ପତି ଉମରକୋଟରେ ରହୁଥିବା ବେଳେ, କିଛି ଦିନ ପରେ ସତ୍ୟଜିତ ନିଜ କର୍ମକ୍ଷେତ୍ରକୁ ଶିବାନୀଙ୍କୁ ସାଥିରେ ନେଇ ଚାଲିଯିବେ ଏବଂ ସେଠାରେ ଏକ ନୂଆ ପରିବାର ଆରମ୍ଭ କରିବେ ବୋଲି କହିଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ଏଭଳି ପ୍ରକାରର ବିବାହ ପ୍ରଥମ ଥର ପାଇଁ ହୋଇଥିବାରୁ ଏହା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସମାଜର ଚିନ୍ତାଧାରାକୁ ବଦଳାଇ ସ୍ନେହ ଓ ଆଦରର ନୂଆ ଉଦାହରଣ ସୃଷ୍ଟି କରିଥିବା ଏହି ଯୋଡ଼ିଙ୍କୁ ଏବେ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।