ନୂଆଦିଲ୍ଲୀ: ସାଧାରଣତଃ ବିଦେଶ ଭ୍ରମଣ ସମୟରେ ଖାଦ୍ୟପେୟ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଥାଏ। କିନ୍ତୁ କିଛି କ୍ଷେତ୍ରରେ ଅତି ସାବଧାନତା ପରେ ମଧ୍ୟ ଅଜାଣତରେ ବଡ଼ ବିପଦ ମାଡ଼ିଆସେ। ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ବ୍ରିଟେନର ଜଣେ ମହିଳାଙ୍କ ସହ ଘଟିଛି, ତାଙ୍କ ମସ୍ତିଷ୍କରୁ ୩୮ଟି ପରଜୀବୀ (କୃମି) ମିଳିଛି। ବ୍ରିଟେନର ୪୨ ବର୍ଷୀୟା ଲୋରି ଡେନମ୍ୟାନ୍ ୨୦୦୭ ମସିହାରେ ପ୍ରାୟ ୩ ମାସ ପାଇଁ ଭାରତ ଭ୍ରମଣରେ ଆସିଥିଲେ। ଭାରତରେ ଫୁଡ୍ ପଏଜନିଂ ବା ପେଟ ଖରାପ ସମସ୍ୟାରୁ ବଞ୍ଚିବା ପାଇଁ ସେ ସମ୍ପୂର୍ଣ୍ଣ ଭାବେ ଆମିଷ ଖାଇବା ବନ୍ଦ କରିଦେଇଥିଲେ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଅଜାଣତରେ ସେ ଘୁଷୁରି ମାଂସ ଖାଇଥିଲେ, ସେଥିରେ ଫିତାକୃମିର ଅତି ସୂକ୍ଷ୍ମ ଅଣ୍ଡା ରହିଥିଲା।

 ଏକ ରେଷ୍ଟୁରାଣ୍ଟରେ ଶୌଚାଳୟ ବ୍ୟବହାର କରିବା ସମୟରେ ତାଙ୍କ ଶରୀରରୁ ପ୍ରାୟ ଏକ ମିଟର ଲମ୍ବର ଏକ ଫିତାକୃମି ବାହାରିଥିଲା। ପ୍ରାଥମିକ ଚିକିତ୍ସା ପରେ ରିପୋର୍ଟ ସାଧାରଣ ଆସିଥିଲା। କିନ୍ତୁ ୨୦୧୧ରେ ତାଙ୍କୁ ପ୍ରଥମ ଥର ପାଇଁ ବାତ ମାରିଥିଲା। ଯେତେବେଳେ ତାଙ୍କର ମସ୍ତିଷ୍କ ସ୍କାନ କରାଗଲା, ଡାକ୍ତରମାନେ ଦେଖି ଚକିତ ହୋଇଯାଇଥିଲେ ଯେ, ତାଙ୍କ ମସ୍ତିଷ୍କରେ ୩୮ଟି ପରଜୀବୀ ରହିଛନ୍ତି। ଏହି ସଂକ୍ରମଣ କାରଣରୁ ସେ ଦୀର୍ଘ ବର୍ଷ ଧରି ପ୍ରବଳ ମୁଣ୍ଡବିନ୍ଧା, ବାତ ମାରିବା ଏବଂ ମାନସିକ ବିକୃତି ଭଳି ଗମ୍ଭୀର ସମସ୍ୟା ଦେଇ ଗତି କରିଥିଲେ। ଅଧିକ ଅସୁସ୍ଥତା ଯୋଗୁଁ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା ଏବଂ ସେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଏକ ସ୍ନାୟୁ-ମାନସିକ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ବର୍ଷର ଚିକିତ୍ସା ପରେ ସେ ୨୦୨୨ରେ ପୁଣି କାମକୁ ଫେରିଛନ୍ତି।

ନ୍ୟୁରୋସିଷ୍ଟିସର୍କୋସିସ୍ କ'ଣ ?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ନ୍ୟୁରୋସିଷ୍ଟିସର୍କୋସିସ୍ ହେଉଛି କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀର ଏକ ଗମ୍ଭୀର ପରଜୀବୀ ଜନିତ ସଂକ୍ରମଣ। ଏହା ଘୁଷୁରି ମାଂସରେ ଦେଖାଯାଉଥିବା ଫିତାକୃମି 'ଟିନିଆ ସୋଲିୟମ୍' ଯୋଗୁଁ ହୋଇଥାଏ। ଯେତେବେଳେ ଏହି କୃମିର ଲାର୍ଭା ରକ୍ତ ପ୍ରବାହ ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚି ସେଠାରେ ତରଳ ପଦାର୍ଥ ପୂର୍ଣ୍ଣ ଛୋଟ ଛୋଟ ସିଷ୍ଟ ତିଆରି କରନ୍ତି, ସେହି ଅବସ୍ଥାକୁ ନ୍ୟୁରୋସିଷ୍ଟିସର୍କୋସିସ୍ କୁହାଯାଏ। ସାରା ବିଶ୍ୱରେ ମସ୍ତିଷ୍କ ଜନିତ ବାତ ବା ଏପିଲେପ୍ସି (Epilepsy) ର ଏହା ଏକ ପ୍ରମୁଖ କାରଣ।

ଫିତାକୃମିର ଅଣ୍ଡା ଦ୍ୱାରା ଦୂଷିତ ହୋଇଥିବା ପାଣି ପିଇବା କିମ୍ବା ଖାଦ୍ୟ ଖାଇବା ଦ୍ୱାରା ଏହା ଶରୀର ମଧ୍ୟକୁ ପ୍ରବେଶ କରେ। ଭଲ ଭାବରେ ସିଝି ନଥିବା ଘୁଷୁରି ମାଂସ ଖାଇବା ଦ୍ୱାରା ଏହି ସଂକ୍ରମଣ ସହଜରେ ଶରୀରକୁ ବ୍ୟାପିଥାଏ। ଶୌଚ ହେବା ପରେ କିମ୍ବା ଖାଇବା ପୂର୍ବରୁ ହାତ ଭଲ ଭାବେ ନ ଧୋଇବା ଯୋଗୁଁ ମଧ୍ୟ ଏହି କୃମିର ଅଣ୍ଡା ପେଟକୁ ଯାଇପାରେ। ମସ୍ତିଷ୍କର କେଉଁ ଅଂଶରେ ସିଷ୍ଟ ଅଛି ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି କିପରି ପ୍ରତିକ୍ରିୟା କରୁଛି, ତାହା ଉପରେ ଲକ୍ଷଣ ନିର୍ଭର କରେ। ହଠାତ୍ ଏବଂ ବାରମ୍ବାର ବାତ ମାରିବା, ପ୍ରବଳ ମୁଣ୍ଡବିନ୍ଧା, ମାନସିକ ଦ୍ୱନ୍ଦ୍ୱ, ଚିନ୍ତା ଏବଂ ସ୍ମୃତିଶକ୍ତି ହ୍ରାସ ପାଇବା ଭଳି ଲକ୍ଷଣ ଦେଖାଯାଏ ।