ନୂଆଦିଲ୍ଲୀ: ଦେଶରେ ପରୀକ୍ଷା ପ୍ରଶ୍ନପତ୍ର ସମସ୍ୟା ଥମିବାର ନାଁ ନେଉ ନାହିଁ। କେତେବେଳେ ପ୍ରଶ୍ନପତ୍ର ଲିକ୍ ହେଉଛି ତ ଆଉ କେତେବେଳେ ପ୍ରଶ୍ନ ହିଁ ଭୁଲ ଆସୁଛି। ଯାହାକୁ ନେଇ ବାରମ୍ବାର ପରୀକ୍ଷା ବାତିଲ କରି ପୁନଃ ପରୀକ୍ଷା କରାଯାଉଛି। ଏନେଇ ଦେଶରେ ଅସନ୍ତୋଷ ଲାଗି ରହିଥିବା ବେଳେ ଏବେ ପୁଣି UGC-NET ଜୁନ୍‌ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଅପଡେଟ୍‌ ଆସିଛି। ଇଂରାଜୀ, କମର୍ସ ଏବଂ ସୋସିଓଲୋଜୀ ପେପରେ ପୁଣିଥରେ ପରୀକ୍ଷା କରିବାକୁ ଜାତୀୟ ପରୀକ୍ଷା ଏଜେନ୍ସି ବା ଏନ୍‌ଟିଏ ଘୋଷଣା କରିଛି। ଏହି ତିନିଟି ବିଷୟର ପ୍ରଶ୍ନପତ୍ରରେ ଏକାଧିକ ତ୍ରୁଟି ମିଳିବା ପରେ ଏନ୍‌ଟିଏ ଏହି ନିଷ୍ପତ୍ତି ନେଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁନଃପରୀକ୍ଷା ପାଇଁ ପ୍ରାର୍ଥୀଙ୍କଠାରୁ କୌଣସି ଅତିରିକ୍ତ ଫି’ ନିଆଯିବ ନାହିଁ। ଏନ୍‌ଟିଏ ପକ୍ଷରୁ ପୁନଃପରୀକ୍ଷାର ସମୟସୂଚୀ ମଧ୍ୟ ଜାରି କରାଯାଇଛି। ପ୍ରାର୍ଥୀମାନେ ନିର୍ଦ୍ଧାରିତ ତାରିଖରେ ପୁଣିଥରେ ପରୀକ୍ଷା ଦେବେ। ସେପ୍ଟେମ୍ବର ମାସରେ ଏହି ପରୀକ୍ଷା ହେବ।

ପ୍ରଶ୍ନପତ୍ରରେ କେଉଁ ତ୍ରୁଟି ମିଳିଥିଲା?

ଏନ୍‌ଟିଏର କହିବା ଅନୁସାରେ, ଏହି ତିନି ବିଷୟର ପ୍ରଶ୍ନପତ୍ରରେ ତଥ୍ୟଗତ, ଟାଇପିଂ ଭୁଲ୍, ଅନୁବାଦ ଓ ବ୍ୟାକରଣ ସମ୍ବନ୍ଧୀୟ ତ୍ରୁଟି ଚିହ୍ନଟ ହୋଇଥିଲା। ଏହା ବ୍ୟତୀତ କିଛି ପ୍ରଶ୍ନର ଭାଷାରେ ମଧ୍ୟ ସମସ୍ୟା ଥିବା ଜଣାପଡ଼ିଥିଲା। କେତେକ ପ୍ରଶ୍ନରେ ବିଦ୍ୱାନମାନଙ୍କ ନାମ ବନାନରେ ତ୍ରୁଟି, ପୁସ୍ତକର ଶୀର୍ଷକ ଭୁଲ୍‌ ଲେଖାଯିବା, ପୂର୍ବ ବର୍ଷର ଏକାଧିକ ପ୍ରଶ୍ନ ପୁନରାବୃତ୍ତି ହେବା, ବିରାମ ଚିହ୍ନ ତ୍ରୁଟି ଏବଂ ପ୍ରଚଳିତ ଧାରଣା ପାଇଁ ନନ୍‌ ଷ୍ଟାଣ୍ଡାର୍ଡ ଟର୍ମ ବ୍ୟବହାର କରାଯାଇଥିବା ଭଳି ତ୍ରୁଟି ମଧ୍ୟ ସାମ୍ନାକୁ ଆସିଥିଲା। ଏହି ତ୍ରୁଟିଗୁଡ଼ିକୁ ଦୃଷ୍ଟିରେ ରଖି ପରୀକ୍ଷାର ସଠିକତା ଓ ସମସ୍ତ ପ୍ରାର୍ଥୀଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବାକୁ ଏନ୍‌ଟିଏ ପୁନଃପରୀକ୍ଷା କରାଇବାର ନିଷ୍ପତ୍ତି ନେଇଛି।

ସେପ୍ଟେମ୍ବରରେ ହେବ ପୁନଃପରୀକ୍ଷା, ଜାରି ହେଲା ସୂଚୀ

ଇଂରାଜୀ: ୯ ସେପ୍ଟେମ୍ବର ୨୦୨୬, ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ।
କମର୍ସ: ୯ ସେପ୍ଟେମ୍ବର ୨୦୨୬, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ।
ସୋସିଓଲୋଜୀ: ୧୦ ସେପ୍ଟେମ୍ବର ୨୦୨୬, ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ।

୮୪ ବିଷୟର ଫଳାଫଳ ନିର୍ଦ୍ଧାରିତ ସମୟରେ

ଏନ୍‌ଟିଏ ସ୍ପଷ୍ଟ କରିଛି ଯେ, ଅନ୍ୟ ୮୪ଟି ବିଷୟର ଆନସାର କି’ ଚ୍ୟାଲେଞ୍ଜ ପ୍ରକ୍ରିୟା ଜାରି ରହିବ ଏବଂ ଏହି ବିଷୟଗୁଡ଼ିକର ଫଳାଫଳ ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ ପ୍ରକାଶ ପାଇବ। ଏହି ୮୪ଟି ବିଷୟର ଜୁନିୟର ରିସର୍ଚ୍ଚ ଫେଲୋଶିପ୍‌ (JRF), ଆସିଷ୍ଟାଣ୍ଟ ପ୍ରଫେସର ଓ PhD ଆଡମିଶନ୍‌ ସମ୍ପର୍କିତ ପ୍ରକ୍ରିୟା ଉପରେ ଇଂରାଜୀ, କମର୍ସ ଓ ସମାଜଶାସ୍ତ୍ରର ପୁନଃପରୀକ୍ଷାର କୌଣସି ପ୍ରଭାବ ପଡ଼ିବ ନାହିଁ। ପୁନଃପରୀକ୍ଷା ହେବାକୁ ଥିବା ଏହି ତିନି ବିଷୟରେ ମଧ୍ୟ ଜେଆର୍ଏପ୍, ଆସିଷ୍ଟାଣ୍ଟ ପ୍ରଫେସର ଓ ପିଏଚ୍‌ଡି ପାଇଁ ସିଟ୍‌ ବଣ୍ଟନ ସୂଚନା ବୁଲେଟିନ୍‌ରେ ଦିଆଯାଇଥିବା ନିୟମ ଅନୁସାରେ କରାଯିବ।

ଆଡମିଟ୍‌ କାର୍ଡ କେବେ ମିଳିବ?

Also Read- NTA ଜାରି କଲେ ୟୁଜିସି-ନେଟ୍ ପରୀକ୍ଷା ପ୍ରୋଭିଜନାଲ ଆନସର-କି, ଛାତ୍ରଛାତ୍ରୀ ୱେବସାଇଟ୍ ରେ କରିପାରିବେ ଆପତ୍ତି

ପୁନଃପରୀକ୍ଷାର ପରୀକ୍ଷା କେନ୍ଦ୍ର, ସହର ଏବଂ ଆଡମିଟ୍‌ କାର୍ଡ ସମ୍ପର୍କିତ ସୂଚନା ପରବର୍ତ୍ତୀ ସମୟରେ ଏନଟିଏର ଆନୁଷ୍ଠାନିକ ୱେବସାଇଟ୍‌ରେ ଜାରି କରାଯିବ। ତେଣୁ ପ୍ରାର୍ଥୀମାନେ ନିୟମିତ ଭାବେ ଏନଟିଏର ଅଫିସିଆଲ୍‌ ୱେବସାଇଟ୍‌ ଯାଞ୍ଚ କରିବାକୁ କୁହାଯାଇଛି।