ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ରବିବାର ୟୁଜିସି-ନେଟ୍ ଜୁନ ୨୦୨୬ ପରୀକ୍ଷାର ୮୪ ଟି ବିଷୟରେ ପ୍ରୋଭିଜନାଲ ଆନସର-କି (ଉତ୍ତରମାଳା) ଜାରି କରିଛନ୍ତି। ପ୍ରାର୍ଥୀ ଅଧିକାରୀକ ୱେବସାଇଟ୍ ମାଧ୍ୟମରେ ନିଜର ଆପତ୍ତି ରୁଜୁ କରିପାରିବେ। ଏନଟିଏ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଆନସର କି ଉପରେ ଆପତ୍ତି ରୁଜୁ କରିବା ଓ ଏଥିଲାଗି ଆବଶ୍ୟକ ଶୁଳ୍କ ପୈଠ କରିବାର ଶେଷ ତାରିଖ ୧୮ ଅଗଷ୍ଟ ୨୦୨୬ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି। ପ୍ରାର୍ଥୀଙ୍କୁ ପ୍ରତି ପ୍ରଶ୍ନ ୨୦୦ ଟଙ୍କା ପ୍ରୋସେସିଂ ଫି ଦେବାକୁ ପଡିବ।

ଏହାଛଡା ଇଂରାଜୀ, ବାଣିଜ୍ୟ(କମର୍ସ) ଓ ସମାଜଶାସ୍ତ୍ର (ସୋସିଓଲୋଜି) ବିଷୟରେ ପ୍ରଶ୍ନପତ୍ରରେ ଥିବା ତ୍ରୁଟି ଯାଞ୍ଚ ନିମନ୍ତେ ଗଠିତ କମିଟିର ସୁପାରିଶ ଆଧାରରେ ଏକ ପୃଥକ ସାର୍ବଜନିକ ସୂଚନା ଜାରି କରାଯିବ। ୟୁଜିସି-ନେଟ୍ ପରୀକ୍ଷା ଆୟୋଜନ ସାରା ଦେଶରେ ସଂସ୍ଥାମାନଙ୍କ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପାତ୍ରତା ଓ ପିଏଚଡି କାର୍ଯ୍ୟକ୍ରମରେ ପ୍ରବେଶ ଲାଗି ହୋଇଥାଏ। ଏହା ଛଡା ଏନଟିଏ ଏହା ବି ସ୍ପଷ୍ଟ କରିଛନ୍ତି ଯେ ଜଏଣ୍ଟ ସିଏସଆଇଆର ୟୁଜିସି ନେଟ୍ ୨୦୨୬ର ପ୍ରାର୍ଥୀ ମଧ୍ୟ ପ୍ରୋଭିଜନାଲ ଆନସର କି ର ଉପଯୋଗ କରିପାରିବେ ଓ ୧୬ରୁ ୧୮ ଅଗଷ୍ଟ ରାତି ୧୧ଟା ପର୍ଯ୍ୟନ୍ତ ନିଜର ଆପତ୍ତି ରୁଜୁ କରିପାରିବେ।

ଏଜେନ୍ସୀ ସବୁ ପ୍ରାର୍ଥୀଙ୍କୁ କେବଳ ଅଧିକାରୀକ ଏନଟିଏ ୱେବସାଇଟ୍ ଓ ଏହାର ସତ୍ୟାପିତ ଇଣ୍ଟରନେଟ ମିଡିଆ ହ୍ୟାଣ୍ଡଲରେ ଜାରି କରାଯାଇଥିବା ସୂଚନା ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇଛନ୍ତି। ଜଏଣ୍ଟ ସିଏସଆଇଆର ୟୁଜିସି ନେଟ୍ ଜୁନ ୨୦୨୬ ପରୀକ୍ଷା ୧୭ ଓ ୧୮ ଜୁଲାଇରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ (ସିବିଟି) ଥିଲା। ଏହାର ଉଦ୍ଦେଶ୍ୟ ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର ଓ ପିଏଚଡି ଲାଗି ପାତ୍ରତା ନିର୍ଦ୍ଧାରିତ କରିବା।