ନୂଆଦିଲ୍ଲୀ,୦୭/୦୮ଗାଜାକୁ ନେଇ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଅଡୁଆ ତୁଟୁନି । କେହି କାହା ସର୍ତ୍ତରେ ରାଜି ହେଉ ନାହାଁନ୍ତି । ଫଳରେ ବିବାଦ ବଢୁଛି । ଶହଶହ ଜୀବନ ବି ଯାଉଛି । ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୁଇଟି ଦେଶ ଏଠାରେ ନିଜ ନିଜର ସେନାକୁ ମୁତୟନ କରିବେ ବୋଲି ଜଣାପଡିଛି । ଏହି ଦୁଇ ଦେଶ ହେଲେ ମରୋକ୍କୋ ଏବଂ ୟୁଗାଣ୍ଡା । ଦୁଇ ଦେଶର ସୈନ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତୁତ ଇଣ୍ଟରନ୍ୟାଶନାଲ୍ ଷ୍ଟେବଲାଇଜେସନ୍ ଫୋର୍ସର ଅଂଶ ଅଟନ୍ତି ।

ୟୁଗାଣ୍ଡାର ଅଧିକାରୀ ଗୁରୁବାର ଅନ୍ତରାଷ୍ଟ୍ରୀୟ ଫୋର୍ସର ଅଂଶ ହେବା ପାଇଁ ତଥା ଗାଜାରେ ନିୟୋଜିତ ହେବା ପାଇଁ ସଂସଦର ମଞ୍ଜୁରି ମାଗିଥିଲେ । ସେମାନଙ୍କୁ ମଞ୍ଜୁରୀ ମିଳିଯାଇଛି । ଏହି ପ୍ରସ୍ତାବକୁ ସେଠାକାର ପ୍ରତିରକ୍ଷା ମନ୍ତ୍ରୀ ଆଗତ କରିଥିଲେ । ଯାହା ସଫଳ ଭାବେ ଅନୁମତି ପାଇଛି । ମରୋକ୍କୋ ମଧ୍ୟ ଏହି ମିଶନ ପାଇଁ ସୈନ୍ୟ ପଠାଇବାକୁ ଦାବି କରିଛି ।

ଏଠାରେ କହି ରଖୁଛୁ ଯେ, ଗତ ଫେବ୍ରୁଆରୀରେ ଟ୍ରମ୍ପ୍ ବୋର୍ଡ୍ ଅଫ୍ ପିସ୍ ଦ୍ୱାରା ପ୍ରସ୍ତାବିତ ଏହି ଶାନ୍ତି ଫୋର୍ସ ଗଠନ ପାଇଁ ଗ୍ରୀନ୍ ସିଗନାଲ୍ ଦେଇଥିଲେ । ଏହାର ନେତୃତ୍ୱ ଆମେରିକାର ଜଣେ ଜେନେରାଲ ନେବେ । ମୋଟ୍୨୦ହଜାର ସୈନ୍ୟଙ୍କୁ ନିଯୁକ୍ତି ମିଳିବ । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ପରେ ସ୍ଥାୟୀଶାନ୍ତି ପ୍ରତିଷ୍ଠା ଦିଗରେ ଶାନ୍ତି ବାହିନୀ କାମ କରିବ ।

Also Read :- Salman: ପୁଣି ଅଡୁଆରେ ସଲମାନ ଖାନ, ଠକେଇ ଅଭିଯୋଗରେ ଭଉଣୀ ଅଲଭିରା ଓ ଅଭିନେତାଙ୍କୁ ସମନ ଜାରି

ଗତ ସପ୍ତାହରେ ଟ୍ରମ୍ପ୍ ହମାସକୁ ଅସ୍ତ୍ର ତ୍ୟାଗ ଓ ଇସ୍ରାଏଲକୁ ଗାଜାରୁ ନିଜ ସୈନ୍ୟ ହଟାଇବାକୁ ନେଇ ଏକ ଚୁକ୍ତି ସ୍ୱାକ୍ଷରିତ କରିଥିଲେ । ଏହି ଚୁକ୍ତି ଅନୁସାରେ ଇସ୍ରାଏଲ ସୈନ୍ୟ ପର୍ଯ୍ୟାୟକ୍ରମେ ଗାଜାକୁ ପଛକୁ ହଟିବେ । ସୈନ୍ୟ ବଦଳରେ ଶାନ୍ତି ବାହିନୀ ଏଠାରେ ପଇଁତରା ଦେବେ ।

ଅନ୍ୟ ଦିଗରେ ବର୍ତ୍ତମାନର ସ୍ଥିତି ଭିନ୍ନ ରହିଛି । ଇସ୍ରାଏଲ ଏବଂ ହମାସ ପଛକୁ ହଟିବାକୁ ନାରାଜ୍ ଅଛନ୍ତି । ଇସ୍ରାଏଲ ଆଗ ପଛକୁ ହଟିଲେ ହିଁ ହମାସ ଅସ୍ତ୍ର ତ୍ୟାଗ କରିବ ବୋଲି କହୁଛି । ସେପଟେ ଇସ୍ରାଏଲ ମଧ୍ଯ ହମାସ ପ୍ରଥମେ ଅସ୍ତ୍ର ଛାଡିଲେ ସେମାନେ ପଛକୁ ହଟିବେ ବୋଲିଜିଦ୍ କରୁଛି ।