ମୁମ୍ଵାଇ ୦୭।୦୮; ବର୍ତ୍ତମାନ ଅଡୁଆରେ ସଲମାନ ଓ ତାଙ୍କ ଭଉଣୀ । ହ୍ୟୁମାନ୍ ଜୁଏଲାରୀ ଶୋ’ରୁମ୍ ସହ ଜଡିତ ଠକେଇ ମାମଲାରେ ଅଭିନେତା ସଲମାନ ଖାନ, ତାଙ୍କ ଭଉଣୀ ଅଲଭିରା ଖାନ ଏବଂ ସଂପୃକ୍ତ କମ୍ପାନୀ ଷ୍ଟାଇଲ ଏବଂ କଣ୍ଟେଣ୍ଟ ଜୁଏଲାରୀ ପିଭି ଲିମିଟେଡର ନିର୍ଦ୍ଦେଶକ ତଥା ଅନ୍ୟମାନଙ୍କୁ ସମନ ଜାରି କରାଯାଇଛି । ଚଣ୍ଡିଗଡ଼ ଜିଲ୍ଲା କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ସମନ ଜାରି କରିବା ସହ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଉତ୍ତର ଦାଖଲ କରିବାକୁ କହିଛନ୍ତି । ଅକ୍ଟୋବର ୫ରେ ସମସ୍ତଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଜାରି ।

ଏହି ମାମଲା ୨୦୨୦ର ଅଟେ। ଯେଉଁଥିରେ ମଣିମାଜ୍ରା ବାସିନ୍ଦା ବ୍ୟବସାୟୀ ଅରୁଣ ଗୋଏଲଙ୍କ ଅଭିଯୋଗ ଉପରେ ପଞ୍ଜୀକୃତ ହୋଇଛି । ଅଭିଯୋଗରେ ଦର୍ଶାଯାଇଛି ଯେ ହ୍ୟୁମାନ ବ୍ରାଣ୍ଡ ନାମରେ ଏକ ଅଳଙ୍କାର ଶୋ’ରୁମ ଖୋଲିବାବେଳେ ତାଙ୍କୁ ଠକେଇ କରାଯାଇଥିଲା, ଯେଉଁଥିପାଇଁ ସେ କୋଟି କୋଟି ଟଙ୍କା କ୍ଷତି ସହିଥିଲେ । ଅଭିଯୋଗକାରୀ ଅରୁଣ ଗୋଏଲଙ୍କ କହିବାନୁସାରେ, ସେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ମନିମାଜ୍ରାର ଏନଏସି ଆଳରେ ହ୍ୟୁମାନ ଜୁଏଲାରୀ ଶୋ’ରୁମ ଖୋଲିଥିଲେ । ଏଥିପାଇଁ ସେ ଷ୍ଟାଇଲ୍ ଏବଂ କଣ୍ଟେଣ୍ଟ ଜୁଏଲାରୀ ପ୍ରାଇଭେଟ ଲିମିଟେଡ୍ ସହିତ ଏକ ଚୁକ୍ତି କରିଥିଲେ । 

ଅଭିଯୋଗରେ ଦର୍ଶାଯାଇଛି ଯେ କମ୍ପାନୀ ସହ ଜଡିତ ୬ ଜଣ ସେମାନଙ୍କୁ ମିଥ୍ୟା ଆଶ୍ୱାସନା ଦେଇ ଶୋ’ରୁମ ଖୋଲିଛନ୍ତି । ଶୋ’ରୁମ୍ ଖୋଲିବା ପରେ କମ୍ପାନୀ ପକ୍ଷରୁ କୌଣସି ସହଯୋଗ ହୋଇ ନଥିଲା ।  ଯେଉଁ ଦୋକାନରୁ ସେ ହ୍ୟୁମାନ ବ୍ରାଣ୍ଡ ଅଳଙ୍କାର ଯୋଗାଇବା ଉଚିତ, ଫେବୃଆରୀ ୨୦୨୦ ଠାରୁ ଏହା ବନ୍ଦ ରହିଛି । ଏହି କାରଣରୁ ସେମାନେ ନୂତନ ସାମଗ୍ରୀ ପାଇପାରିନଥିଲେ ଏବଂ ସେମାନଙ୍କ ବ୍ୟବସାୟ ପ୍ରଭାବିତ ହୋଇଥିଲା ।