ଉଦଳା: କ୍ରିକେଟ ପଡିଆରେ ବଢିଲା ସମ୍ପର୍କ। ସେହିଠାରେ ହେଲା ଦୋସ୍ତି ଆଉ ତିଆରି ହେଲା ଚୋରିର ବ୍ଲୁ ମାଷ୍ଟର ପ୍ଲାନ। ଆଉ ରାତିରେ ଆସି ବନ ବିଭାଗର କାଟି ନେଲେ ୩ କୁଇଣ୍ଟାଲରୁ ଅଧିକ ଜିଆଇ ତାର ବାଡ। ସେତେବେଳେ ପୋଲିସ ହାତରେ ଧରାପଡ଼ିଲେ, ଯେତେବେଳେ ସେମାନେ ପୁଣି ଥରେ ଦ୍ୱିତୀୟ ଥର ପାଇଁ ଚୋରି କରିବାକୁ ଯୋଜନା କରୁଥିଲେ। ଏବେ ୩ ସାଙ୍ଗଙ୍କୁ ଗିରଫ କରିଛି ଉଦଳା ପୋଲିସ। ଏହା ସହ ଜବତ ହୋଇଛି ଚୋରି ହୋଇଥିବା ତାର ଜାଲି।

ସୂଚନା ଅନୁଯାୟୀ, ଉଦଳା ଶ୍ମଶାନ କାଳୀ ନିକଟରେ ବନ ବିଭାଗ ପକ୍ଷରୁ ହୋଇଥିବା ଚାରା ରୋପଣ କାର୍ଯ୍ୟକ୍ରମରେ ତାର ଜାଲି ଲଗାଯାଇଥିଲା। ହେଲେ ଗତ ୩ ତାରିଖ ରାତିରେ କ୍ରିକେଟ ପଡିଆରୁ ବନ୍ଧୁତା ଆରମ୍ଭ କରିଥିବା ୩ ଜଣ ଯୁବକ ତାର ଜାଲି କାଟି ଚୋରି କରି ନେଇଥିଲେ। ଚୋରି ତାର ଜାଲି ପାଖାପାକି ୩ କୁଇଣ୍ଟାଲରୁ ଅଧିକ ଓଜନର ହେବ। ଏହାକୁ ନେଇ ଉଦଳା ବନ ବିଭାଗ ପକ୍ଷରୁ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

Also Read: ସାଙ୍ଗଙ୍କ ସହ ବସି ମଦ ପିଇଲେ, ଛାତିରେ ଗୋଇଠା ମାଡ଼ରେ ୱାର୍ଡମେମ୍ବରଙ୍କ ମୃତ୍ୟୁ ଅଭିଯୋଗ

ହେଲେ ଗତକାଲି ପୁଣି ଲୁଟେରା ମାନେ ଆଉ ତାର ଜାଲି ଲୁଟିବାକୁ ଆସିଥିବା ବେଳେ ସେମାନଙ୍କୁ ମାଡ଼ି ବସିଥିଲା ପୋଲିସ। ଗିରଫ ୩ ଜଣ ହେଲେ ବାବୁରାମ ହେମ୍ବ୍ରମ, ପ୍ରଶାନ୍ତ ମହାକୁଡ଼ ଏବଂ ପଙ୍କଜ ମହାକୁଡ଼। ଗିରଫ ୩ ଚୋର ଙ୍କ ନିକଟରୁ ପୋଲିସ ଚୋରି ହୋଇଥିବା ସମସ୍ତ ତାର ଜାଲି ଜବତ କରିଛି।