ବଡ଼ବିଲ: କାନୁପୁର ଡ୍ୟାମର ମୁଖ୍ୟ କେନାଲରେ ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଯୁବକ । ଗାଧୋଇବା ବେଳେ ପ୍ରଥମେ ଜଣେ ଭାସିଯିବା ବେଳେ, ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଭାସିଯାଇଛନ୍ତି। ହେ​‌ଲେ କେନାଲରେ କିଛି ବାଟ ଭାସିବା ପରେ ଉଭୟ ଦୁଇଟି ଗଛକୁ ଜାବୁଡ଼ିଧରିଥିଲେ। ଆଉ ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି । ଫଳରେ ଏକ ନିଶ୍ଚିତ ମୁତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଦୁଇ ଯୁବକ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା, ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ଥିବା କାନୁପୁର ଡ୍ୟାମର ମୁଖ୍ୟ କେନାଲର ପ୍ରଖର ସ୍ରୋତରେ ଦୁଇ ଯୁବକ ଭାସିଯାଇଥିଲେ। ଏହି ଦୁଇ ଯୁବକ ହେଲେ, ଯୋଡ଼ା ଆଜାଦ୍ ବସ୍ତି ଅଞ୍ଚଳର ଜିଗର୍ ପୂର୍ତ୍ତି ଓ ବିକି ମୁଣ୍ଡା । ଜଣାପଡ଼ିଛି ଡ୍ୟାମରେ ଜଳସ୍ତର ବଢ଼ିବା ପରେ ମୁଖ୍ୟ କେନାଲ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ, ସନ୍ଧ୍ୟା ସମୟରେ ଏହି ଦୁଇଜଣ କେନାଲକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ସେଠାରେ ପାଣିର ପ୍ରଖର ସ୍ରୋତରେ ଜଣେ ଭାସିଯାଇଥିଲେ। ଆଉ ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଯୁବକ ମଧ୍ୟ ଭାସିଯାଇଥିଲେ।

Also Read: ଅସମ୍ଭାଳ ହୋଇପାରେ ସ୍ଥିତି, ହୀରାକୁଦ ଡ୍ୟାମ୍ର ୨୨ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ଉଭୟ କେନାଲରେ କିଛି ବାଟ ଭାସିବା ପରେ ଜଣେ କେନାଲ କଡ଼ରେ ଥିବା ଏକ ଗଛକୁ ଜାବୁଡ଼ିଧରି ସେଥିରେ ଚଡ଼ିଯାଇଥିଲେ । ଅନ୍ୟଜଣେ ଆଉ କିଛି ବାଟ ଭାସି ଭାସି ଯାଇ କେନାଲ ଭିତରେ ପଡ଼ିଥିବା ଏକ ଶୁଖିଲା ଗଛକୁ ଧରି ନିଜକୁ ବଞ୍ଚାଇଥିଲେ । ଅନେକ ସମୟ ଧରି ଉଭୟ ବିପଦପୂର୍ଣ୍ଣ ଅବସ୍ଥାରେ ଗଛକୁ ଧରି କେନାଲ ଭିତରେ ଫସି ରହିଥିଲେ । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିଶମ ବାହିନୀ ସାହସିକତାର ସହ ଜଣେ ପରେ ଜଣେ ଉଭୟ ଯୁବକଙ୍କୁ ସଫଳତାର ସହିତ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଉଭୟଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି।