ଭୁବନେଶ୍ବର ୯।୬: ଫାର୍ମାସି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଦେବାକୁ ନେଉଥିଲେ ଲାଞ୍ଚ । ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁଇ ଗିରଫ । ଓଡ଼ିଶା ଫାର୍ମାସି କାଉନସିଲ୍ର ବରିଷ୍ଠ ସହାୟକ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଏବଂ ତାଙ୍କ ସହଯୋଗୀ ମହମ୍ମଦ ଇଜାଜ ଖାନ ଓରଫ ପୃଷ୍ଟିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଫାର୍ମାସି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଦେବା ପାଇଁ ଜଣେ ଆବେଦନକାରୀଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ଦାବି ଓ ଗ୍ରହଣ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଜଣେ ଆବେଦନକାରୀ ଫାର୍ମାସି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ପାଇବା ପାଇଁ ପ୍ରାୟ ସପ୍ତାହେ ଧରି ବିଶ୍ୱମୋହନ ପଟ୍ଟନାୟକଙ୍କୁ ଅନୁରୋଧ କରୁଥିଲେ । କିନ୍ତୁ ସାର୍ଟିଫିକେଟ୍ ପ୍ରଦାନ ସମ୍ପର୍କିତ କାର୍ଯ୍ୟ କରିଦେବା ପାଇଁ ସେ ୯ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ମଙ୍ଗଳବାର ଆବେଦନକାରୀ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଫାର୍ମାସି କାଉନସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱମୋହନ ପଟ୍ଟନାୟକଙ୍କୁ ଭେଟିଥିବା ବେଳେ ସେ ପୁନର୍ବାର ଲାଞ୍ଚ ଦାବି କରି ଟଙ୍କାକୁ ତାଙ୍କ ସହଯୋଗୀ ଇଜାଜ ଖାନଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆବେଦନକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ।

Also Read:- କଟକ ଚଣ୍ଡୀ ମନ୍ଦିରରେ ଆର୍ଥିଂ ଥିଲେ ମଧ୍ୟ ଲାଇଟନିଂ ଆରେଷ୍ଟର ନଥିବା ସ୍ବୀକାର କଲେ ଜିଲ୍ଲାପାଳ

ଅଭିଯୋଗ ଆଧାରରେ ଭିଜିଲାନ୍ସ ଅଧିକାରୀ ମାନେ ଯୋଜନାବଦ୍ଧ ଭାବେ ଜାଲ ବିଛାଇ ଉଭୟ ଅଭିଯୁକ୍ତଙ୍କୁ ୯ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ କାବୁ କରିଥିଲେ । ସେମାନଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଫାନ୍ଦ ପରେ ବିଶ୍ୱମୋହନ ପଟ୍ଟନାୟକଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ସମ୍ପର୍କିତ ତଦନ୍ତ ପାଇଁ ଏକକାଳୀନ ଚଢ଼ାଉ ଚାଲିଛି । ଏହି ଘଟଣାରେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଛି ।