ଭୁବନେଶ୍ୱର: ଇଣ୍ଡି ମେଣ୍ଟ ଦ୍ଵାରା ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ କରାଯାଇଛି। ରାଜ୍ୟରେ ଚାଲିଥିବା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଟ୍ଵିନି ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବନ୍ଦ ସମୟରେ ଯଦି କୌଣସି ପ୍ରକାରର ହିଂସା ସାମ୍ନାକୁ ଆସେ, ତେବେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ।

ସେ କହିଛନ୍ତି, ବନ୍ଦ ସମୟରେ ପୋଲିସ ପକ୍ଷରୁ ପ୍ରାୟ ୧୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଛି। ସାଧାରଣ ଜନଜୀବନ ଓ ଜରୁରୀକାଳୀନ ସେବାକୁ ଅବ୍ୟାହତ ରଖିବାକୁ ପୋଲିସ ପକ୍ଷରୁ ପ୍ରାଥମିକତା ଦିଆଯାଇଥିଲା। ବିଶେଷ କରି ମେଡିକାଲ ଯାଉଥିବା ରୋଗୀ କିମ୍ବା କୌଣସି ଜରୁରୀ ପରିସ୍ଥିତିରେ ଥିବା ବ୍ୟକ୍ତିମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା। ଏହାବ୍ୟତୀତ ରେଳ ଓ ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ୍ ରଖିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

Also Read: ଓଡ଼ିଶା ବନ୍ଦ ବେଳେ ହିଞ୍ଜିଳିକାଟୁରେ ଉତ୍ତେଜନା, କଂଗ୍ରେସ ନେତାଙ୍କୁ ଉଠାଇନେଲା ପୋଲିସ

ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କେବଳ ଭୁବନେଶ୍ୱରରେ ୧୮ ପ୍ଲାଟୁନ୍ ଏବଂ କଟକରେ ୧୪ ପ୍ଲାଟୁନ୍ ସମେତ ମୋଟ ୩୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ସେହିପରି ଟୁଇନ ସିଟିର ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୨୦୦ରୁ ଅଧିକ ପୋଲିସ ଅଧିକାରୀ ଦାୟିତ୍ୱରେ ରହି ସ୍ଥିତି ଉପରେ କଡ଼ା ନଜର ରଖିଥିଲେ।

ସୂଚନାଯୋଗ୍ୟ, ଏମଏମଡିଆର ବିଧେୟକ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ରାଜ୍ୟରେ ଇଣ୍ଡି ମେଣ୍ଟ ଦ୍ଵାରା ଓଡ଼ିଶା ବନ୍ଦ କରାଯାଇଛି। ଆଜି ସକାଳୁ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ଦଳଗୁଡ଼ିକର କର୍ମୀ ରାସ୍ତାକୁ ଓହ୍ଲାଇଥିଲେ। ପିକେଟିଂ କରିବା ସହ ଅନେକ ସ୍ଥାନରେ ଦୋକାନ ବଜାର ବନ୍ଦ କରିଥିଲେ। ଟାୟର ଜାଳି ରାଜରାସ୍ତା ଅବରୋଧ କରିଥିଲେ। ଫଳରେ ରାଜ୍ୟରେ ଆଜି ବସ୍ ଚଳାଚଳ ବ୍ୟାହତ ହୋଇଛି। ଯାତ୍ରୀଙ୍କୁ ନା ନା ଅସୁବିଧା ଭୋଗିବାକୁ ପଡ଼ିଛି।