ନ୍ୟୁୟର୍କ,୦୧ /୧୨: ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଁଚିଛି । କେତେବେଳେ ବି ଯୁଦ୍ଧ ହୋଇପାରେ । ଏହାରି ଭିତରେ ସାମ୍ନାକୁ ଆସିଛି ବଡ ଖବର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭେନେଜୁଏଲା ରାଷ୍ଟ୍ରମୁଖ୍ୟ ନିକୋଲାସ୍ ମାଦୁରୋଙ୍କ ସହ ଟେଲିଫୋନରେ ଆଲୋଚନା କରିଥିବା କୁହାଯାଇଛି । ଏନେଇ ନିଜେ ଟ୍ରମ୍ପ ସୂଚନା ଦେଇଛନ୍ତି । ତେବେ ଉଭୟ ନେତା କଣ କଥା ହେଲେ ସେନେଇ କିଛି କହିବାକୁ ମନା କରିଦେଇଛନ୍ତି ।

ଟ୍ରମ୍ପ କହିଛନ୍ତି ଯେ, ଆଲୋଚନା ଭଲ ହେଲା ନା ନାହିଁ ତାହା ସେ ଏବେ କହିବେନି । ଏହା କେବଳ ଏକ ଫୋନ୍ କଲ୍ ଥିଲା । ଅନ୍ୟ ଦିଗରେ ନ୍ୟୁୟର୍କ ଟାଇମ୍ସ କହିଛି ଯେ,. ଟ୍ରମ୍ପ ମାଦୁରୋଙ୍କୁ କଲ୍ କରିଥିଲେ । ଏଥିରେ ଉଭୟ ନେତା ଆମ୍ନାସାମ୍ନା ଆଲୋଚନା କରିବା ପାଇଁ ସହମତି ପ୍ରକାଶ ପାଇଛି । ସେପଟେ ଟ୍ରମ୍ପ ମାଦୁରୋଙ୍କ ଦେଶ ଛାଡି ଚାଲିଯିବାକୁ ଫୋନରେ କହିଥିବା ପ୍ରକାଶ କରିଛନ୍ତି ସିନେଟର୍ ମାର୍କଓ୍ୱେନ୍ ମୁଲିନ୍ ।

ଆକ୍ରମଣ ନା ନିଶା ବିରୋଧୀ ଅଭିଯାନ

ଭେନେଜୁଏଲା ଅଭିଯୋଗ କରିଛି ଯେ, ଆମେରିକା ଆକ୍ରମଣ ଯୋଜନା କରୁଛି । ଆଖପାଖ ସମୁଦ୍ରରେ ୟୁଏସର ଯୁଦ୍ଧ ଜାହାଜ ସଂଖ୍ୟା ବଢିବାରେ ଲାଗିଛି । ଭେନେଜୁଏଲା ଏୟାରସ୍ପେସକୁ ମଧ୍ୟ ବନ୍ଦ କରାଯାଇଛି । ତେବେ ଏହା ନିଶା କାରବାର ରୋକିବାକୁ ଏକ ଅପରେସନ ବୋଲି କେହି କେହି କହୁଛନ୍ତି । ଯାହା ଗତ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ।

ଟ୍ରମ୍ପ୍ ପୂର୍ବରୁ କହିଥିଲେ ଯେ, ଭେନେଜୁଏଲା ସେନା ଏବଂ ମାଦୁରୋ ନିଶା କାରବାରକୁ ପ୍ରଶୟ ଦେଉଛନ୍ତି । ମାଦୁରୋଙ୍କୁ ଧରାଇଦେଲେ ଆମେରିକା ୫୦ ମିଲିୟନ ଡଲାର ଦେବ ବୋଲି କହିସାରିଛି । ଏବେ ଏସବୁ ବିବାଦ ଦୁଇ ଦେଶକୁ ଯୁଦ୍ଧ ରାସ୍ତାରେ ପହଁଚାଇ ଦେଇଛି ।