ନୂଆଦିଲ୍ଲୀ: ଦୋକାନରେ ବିକ୍ରି  ହେଉଥିବା  ପାଣି ବୋତଲ ଶୁଦ୍ଧ ବା  ଭାବି ଆମେ ଆଗ୍ରହର ସହ କିଣିଥାଉ ଏବଂ ପିଇଥାଉ। ଯଦି ଏହି ପାଣି ପିଇବା ଯୋଗ୍ୟ ନୁହେଁ ତେବେ କଣ କରିବା ? ଏମିତି ପ୍ରଶ୍ନ ଏଥିପାଇଁ ଉଙ୍କି ମାରିଛି, କାରଣ ପାଣି ବୋତଲର ସବୁଠୁ ବଡ଼ ବ୍ରାଣ୍ଡ କୁହାଯାଉଥିବା ବିସଲେରୀ ପାଣି ଅସୁରକ୍ଷିତ ଥିବା FSSAI ପରୀକ୍ଷାଗାରରୁ ଜଣା ପଡ଼ିଛି। ଏମିତି ସଙ୍ଗୀନ ଅଭିଯୋଗ ଆସିବା ପରେ ବିସଲେରୀ ପକ୍ଷରୁ ସୋମବାର ସଫେଇ ଦିଆଯାଇଛି। ଆମର ପାଣି ସଂପୂର୍ଣ୍ଣ  ବୋଲି କମ୍ପାନି କହିଛି।

ବିସଲେରୀ କହିଛି, ଗୋଆର ମ୍ୟାନୁଫେକଚରିଂ ପ୍ଲାଣ୍ଟରୁ ସଂଗୃହିତ ପାଣିର ନମୂନା ସଂପୂର୍ଣ୍ଣ ନିର୍ଦ୍ଧାରିତ ମାନଦଣ୍ଡ ଅନୁରୂପ  ରହିଛି। କମ୍ପାନିର ପାଣି ସଂପୂର୍ଣ୍ଣ ପିଇବା ଯୋଗ୍ୟ ରହିଛି। FSSAI ପକ୍ଷରୁ ମୋକଦ୍ଦମା ଚଲାଇବା ପାଇଁ ମଞ୍ଜୁରୀ ଦେବା ପରେ କମ୍ପାନି ନିଜ ବୟାନରେ ଏହା କହିଛି। କମ୍ପାନି ଏହା ମଧ୍ୟ କହିଛି ଯେ, FSSAI ପକ୍ଷରୁ ନା ଆମକୁ କାର୍ଯ୍ୟାନୁଷ୍ଠାନ ସଂପର୍କିତ କୌଣସି ହାର୍ଡ କପି ମିଳିଛି ନା ସଫ୍ଟ କପି। ଏପରିକି ଓ୍ଵେବସାଇଟରେ ମଧ୍ୟ ଏହାର କୌଣସି ସୂଚନା ନାହିଁ। ଏହି ମାମଲା ବହୁତ ପୁରୁଣା।

Also Read: GTA-6 ଖେଳି ମୋଦି ସରକାରଙ୍କ ନୋଟବନ୍ଦୀ କାଳକୁ ମନେ ପକାଇଲେ ଶଶି ଥରୁର, ଜାଣନ୍ତୁ କହିଲେ କ’ଣ?

୧୪ ମାସର ପୁରୁଣା କେସ !

ବିସଲେରୀ କହିଛି, ଗଣମାଧ୍ୟମରେ ଯେଉଁ ରିପୋର୍ଟ ଆଧାରରେ FSSAI ପକ୍ଷରୁ ନୋଟିସ୍ ଦିଆଯାଇଥିବା କଥା କୁହାଯାଉଛି ତାହା ୧୪ ମାସର ପୁରୁଣା କେସ। ଗୋଆର ବିସଲେରୀ ପ୍ଲାଣ୍ଟରେ ୨୦୨୫ ସେପ୍ଟେମ୍ବରରେ FSSAI  ନମୂନା ପରୀକ୍ଷା କରିଥିଲା। ଆମର ୧୪୩ ପ୍ଲାଣ୍ଟ ମଧ୍ୟରୁ ଗୋଆ ପ୍ଲାଣ୍ଟ ଗୋଟିଏ। ଗୋଆର ଏହି ପ୍ଲାଣ୍ଟରୁ FSSAI ଛଅ ନମୂନା ସଂଗ୍ରହ କରିଥିଲା। ପ୍ରାରମ୍ଭିକ ପରୀକ୍ଷଣରେ ୫ ନମୂନା ସମସ୍ତ ମାନଦଣ୍ଡ ଅନୁରୂପ ରହିଥିଲା। ଛଅ ନମ୍ବର ନମୂନାରେ ବ୍ରୋମେଟର ସ୍ତର ୧୨ ମାଇକ୍ରୋଗ୍ରାମ ପ୍ରତି ଲିଟର ସ୍ତରରେ ଥିଲା,  ଯାହା ନିର୍ଦ୍ଧାରିତ ୧୦ ମାଇକ୍ରୋଗ୍ରାମ ଲିଟରରୁ ଅଧିକ।

ଏହି ସୂଚନା ପରେ ବିସଲେରୀ ୨୦୨୫ ନଭେମ୍ବରରେ FSSAI ନିକଟରେ ଅପିଲ୍ କରିଥିଲା। ଏହା ପରେ FSSAI ଉକ୍ତ ଛଅ ନମ୍ବର ନମୂନାର ଯାଞ୍ଚ ପାଇଁ ରେଫରଲ ଲ୍ୟାବକୁ ପଠାଯାଇଥିଲା। ଏହି ନୂଆ ଯାଞ୍ଚରେ ବ୍ରୋମେଟର ମାତ୍ରା ନିର୍ଦ୍ଧାରିତ ମାନଦଣ୍ଡ ଭିତରେ ରହିଥିଲା। ମାତ୍ର ଏହି ଯାଞ୍ଚରେ ପଲିନ୍ୟୁକ୍ଲିୟର ଏରୋମାଟିକ ହାଇଡ୍ରୋକାର୍ବନ ରହିଥିବା ସଙ୍କେତ ମିଳିଥିଲା।

Also Read: ବିଜେପି ବିଧାୟିକା ରେଖା ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ, ବିଷ ଦିଆଯାଇଥିବା ସନ୍ଦେହ

ପିଇବା ପାଣି ଆମ ପାଇଁ ବଡ଼ ପ୍ରାଥମିକତା

କମ୍ପାନି ଏହା ମଧ୍ୟ କହିଛି ଦୁଇଟି ଯାଞ୍ଚରୁ ପ୍ରଭେଦ ମିଳିବା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା। FSSAI ଏହି ନମୂନାକୁ ଏକ ମାନ୍ୟତା ପ୍ରାପ୍ତ ଲ୍ୟାବରେ ଯାଞ୍ଚ କରାଇଥିଲା। ଏଥିରେ ମଧ୍ୟ ବ୍ରୋମେଟ୍ ମାତ୍ରା ଧାର୍ଯ୍ୟ ମାନଦଣ୍ଡ ଭିତରେ ରହିଥିଲା। ଆମେ ଉକ୍ତ ରିପୋର୍ଟକୁ FSSAIର ପଶ୍ଚିମ ଆଞ୍ଚଳିକ କାର୍ଯ୍ୟାଳୟରେ ଜମା କରିଥିଲୁ। ଏହା ପରେ ସଂସ୍ଥା ପକ୍ଷରୁ କମ୍ପାନିକୁ ଆଉ କୌଣସି ସୂଚନା ଦିଆଯାଇ ନ ଥିଲା। ତେଣୁ ଆମେ ଭାବିନେଲୁ ମାମଲା ପୂରା ବନ୍ଦ ହୋଇ ସାରିଛି। ଆଜି ପର୍ଯ୍ୟନ୍ତ ଆମକୁ କୌଣସି ନୋଟିସ୍ ମିଳିନାହିଁ। କିନ୍ତୁ ପିଇବା ପାଣି ଆମର ସର୍ବୋଚ୍ଚ ପ୍ରାଥମିକା ବୋଲି ବିସଲେରୀ ପକ୍ଷରୁ କୁହାଯାଇଛି।

ସମଗ୍ର ଦେଶରେ ହେବ ଯାଞ୍ଚ

ରୟଟର୍ସର ରିପୋର୍ଟ ମୁତାବକ, ବିସଲେରୀର ବିବାଦ ପରେ ଏବେ ସମଗ୍ର ଦେଶରେ ସବୁ ପାଣି ବୋତଲର ଯାଞ୍ଚ ହେବ। ଅର୍ଥାତ ଆଗାମୀ ଦିନରେ ଅନ୍ୟ ବ୍ରାଣ୍ଡର ବୋତଲର ମଧ୍ୟ ଯାଞ୍ଚ ହେବ। ଅନ୍ୟପଟେ FSSAI କହିଛି ଯେ, ବିସଲେରୀ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ ପରିସରରୁ ସଂଗୃହୀତ ପ୍ୟାକେଜ୍ଡ ପାନୀୟ ଜଳର ପ୍ରାଥମିକ ପରୀକ୍ଷାରେ ବ୍ରୋମେଟ୍ ସ୍ତର ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ନଥିଲା। ଫଳରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ, ୨୦୦୬ ଅନୁଯାୟୀ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା।

ଏହା ବିରୋଧରେ କମ୍ପାନୀ ପକ୍ଷରୁ ଅପିଲ୍ କରାଯିବା ପରେ ନମୂନା ଅଧିକ ପରୀକ୍ଷା ପାଇଁ ରେଫରାଲ୍ ଫୁଡ୍ ଲାବୋରେଟୋରୀକୁ ପଠାଯାଇଥିଲା। ମାତ୍ର ଦ୍ୱିତୀୟ ପରୀକ୍ଷାଗାରର ରିପୋର୍ଟରେ ମଧ୍ୟ ପାଣିକୁ ଅସୁରକ୍ଷିତ ବୋଲି ଦର୍ଶାଯିବା ସହ ଏଥିରେ ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ୍ ଥିବା ସ୍ପଷ୍ଟ ହୋଇଥିଲା।