ନୂଆଦିଲ୍ଲୀ ୨୭।୦୮; ଉତ୍ତର ପ୍ରଦେଶର କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଥିବା ପାଇଲଟ୍ ଏବଂ କୋ-ପାଇଲଟ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଉଦ୍ଧାରକାରୀ ଦଳ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ କରୁଛନ୍ତି। ଏହି ଘଟଣାଟି କାନପୁରର ଗଙ୍ଗା ବ୍ୟାରେଜ୍ ନିକଟରେ ଘଟିଛି।

ରିପୋର୍ଟ ଅନୁଯାୟୀ, ତାଲିମ ବିମାନଟି ଗର୍ଗ ଆଭିଏସନ୍ର ଥିଲା। ଗୁରୁବାର ଦିନ ଗଙ୍ଗା ବ୍ୟାରେଜ୍ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାନପୁରର ନାଥାଖେଡା ଅଞ୍ଚଳର ଗଙ୍ଗା ବ୍ୟାରେଜ୍ ନିକଟରେ ଦୁର୍ଘଟଣା ସମ୍ପର୍କରେ ଜାଣିବା ମାତ୍ରେ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ସୂଚନା ପାଇ କାନପୁରର ମୁଖ୍ୟ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅଗ୍ନିଶମ ବାହିନୀ ସହିତ, କାନପୁର ନଗର ଜରୁରୀକାଳୀନ ସେବାର ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷରୁ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଭୟଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।