ନୂଆଦିଲ୍ଲୀ ୧୭।୦୯; ଗୁରୁଗ୍ରାମର ଦ୍ୱାରକା ଏକ୍ସପ୍ରେସୱେରେ ଭୟଙ୍କର ସଡକ ଦୁର୍ଘଟଣା । ଭୋର ସମୟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ସେକ୍ଟର-୧୧୦ସ୍ଥିତ ଶ୍ରୀରାମ ଛକ ନିକଟରେ ଏକ ଦ୍ରୁତଗାମୀ କାର୍ ଧକ୍କାରେ ୨ ଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୨ଟା ୩୦ରେ ୪ ଜଣ ଶ୍ରମିକ ରାସ୍ତା ମଝିରେ ଥିବା ଡିଭାଇଡରରେ ଲୁହା ବାଡ଼ ଲଗାଇବା କାମରେ ନିୟୋଜିତ ଥିଲେ। ସେମାନେ ଗୁରୁଗ୍ରାମ ମେଟ୍ରୋପୋଲିଟାନ୍ ଡେଭେଲପମେଣ୍ଟ ଅଥରିଟି ଅଧୀନରେ କାମ କରୁଥିବା ବେଳେ ଦିଲ୍ଲୀ ଦିଗରୁ ଆସୁଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସ ଆହତ ଶ୍ରମିକମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣ ଶ୍ରମିକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ପୋଲିସ କହିଛି, ଦୁର୍ଘଟଣା ଘଟାଇଥିବା କାର୍ଟି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷର ଛାତ୍ର ଚଳାଉଥିଲେ । ସେ ସେକ୍ଟର-୧୧୦ର ବାସିନ୍ଦା ବୋଲି ଜଣାପଡ଼ିଛି ।

ଦୁର୍ଘଟଣାରେ ଛାତ୍ର ଜଣଙ୍କ ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣା ପରେ ପୋଲିସ ଦୁର୍ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। କାର୍ର ଗତି, ଦୁର୍ଘଟଣାର ପରିସ୍ଥିତି ଓ ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ ଜାରି ରହିଛି। ମୃତକଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ମିଳିବା ପରେ ଛାତ୍ରଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।