କୋଲକାତା: ପଶ୍ଚିମବଙ୍ଗ ବିଜେପି କ୍ଷମତାକୁ ଆସିବା ପରେ ମମତାଙ୍କ ଟିଏମ୍‌ସି ଦୁର୍ଗ ଦିନକୁ ଦିନକ ଦୁର୍ବଳ ହେବାରେ ଲାଗିଛି। ସ୍ଥାନୀୟ ନେତାଙ୍କ ଠାରୁ ଆରମ୍ଭ କରି କାଉନସିଲର, ସାଂସଦ, ବିଧାୟକଙ୍କମାନେ ଦଳ ଛାଡ଼ୁଛନ୍ତି କିମ୍ବା ଦଳ ଛାଡ଼ି ବିଜେପିରେ ମିଶିବା ଖବର ସାମ୍ନାକୁ ଆସୁଛି। ବୁଧବାର ଏକ ବଡ଼ ଅପଡେଟ୍ ଖବର ସାମ୍ନାକୁ ଆସିଛି। ଟିଏମ୍‌ସିର ଟାଣୁଆ ନେତା ତଥା ୪ ଥରର ସାଂସଦ ହୋଇଥିବା କାକୋଲି ଘୋଷ ଦସ୍ତିଦାର ଟିଏମ୍‌ସିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି।

ବାରାସାତର ସାଂସଦ କାକୋଲି ଘୋଷ ଦସ୍ତିଦାର ଦଳର ସମସ୍ତ ସାଂଗଠନିକ ପଦବୀରୁ ଇସ୍ତଫା ଦେଇଛନ୍ତି। ବିଜେପି ନେତୃତ୍ୱାଧୀନ ସରକାରର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ଆୟୋଜିତ ଏକ ପ୍ରଶାସନିକ ସମୀକ୍ଷା ବୈଠକରେ ଯୋଗଦେବାର ମାତ୍ର ଗୋଟିଏ ଦିନ ପରେ ସେ ଏହି ପଦକ୍ଷେପ ନେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ପରେ ସେ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଗତ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ମଧ୍ୟରେ ଅନ୍ତଦ୍ୱନ୍ଦ୍ୱ ଚରମ ସୀମାରେ ପହଞ୍ଚିଛି। ନିଜ ନିର୍ବାଚନ ମଣ୍ଡଳୀରେ ଦଳର ଖରାପ ପ୍ରଦର୍ଶନ ପାଇଁ 'ନୈତିକ ଦାୟିତ୍ୱ' ଗ୍ରହଣ କରି ପ୍ରଥମେ ସେ ବାରାସାତ ସାଂଗଠନିକ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ମଙ୍ଗଳବାର ଦିନ କଲକାତା ନିକଟସ୍ଥ କଲ୍ୟାଣୀଠାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେରିଟେଜ୍ ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ବୈଠକରେ ସେ ସାମିଲ ହୋଇଥିଲେ। ଏହି ବୈଠକରେ ନଦିଆ, ଉତ୍ତର ୨୪ ପ୍ରଗଣା ଏବଂ ହୁଗୁଳି ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା। କାକୋଲିଙ୍କ ସହ ଟିଏମସିର ଅନ୍ୟ ୬ ଜଣ ବିଧାୟକ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

Also Read- 50 TMC MLAs 20 MPs Ready to Join BJP: ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ, ବିଜେପିରେ ସାମିଲ ହେବେ ୫୦ ଟିଏମସି ବିଧାୟକ ଓ ୨୦ ସାଂସଦ !

ପ୍ରଶାସନ ସମସ୍ତଙ୍କର: କାକୋଲିଙ୍କ ସଫେଇ

ଶୁଭେନ୍ଦୁ ଅଧିକାରୀଙ୍କ ମଞ୍ଚରେ ତାଙ୍କର ଉପସ୍ଥିତିକୁ ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚା ଉପରେ ସଫେଇ ଦେଇ କାକୋଲି ଘୋଷ ଦସ୍ତିଦାର କହିଛନ୍ତି, "ଏହାକୁ ରାଜନୈତିକ ରଙ୍ଗ ଦିଆଯିବା ଉଚିତ ନୁହେଁ। ପ୍ରଶାସନ ସମସ୍ତଙ୍କର ଏବଂ ଅଞ୍ଚଳର ବିକାଶ ପାଇଁ ବୈଠକରେ ଯୋଗଦେବା ଜରୁରୀ ଥିଲା।" ମାତ୍ର ସେ ପୂର୍ବରୁ ଦଳର ସାଂଗଠନିକ ପଦବୀ ଛାଡ଼ି ସାରିଥିବାରୁ ଏବଂ ପାର୍ଲାମେଣ୍ଟାରୀ ପାର୍ଟିର ଚିଫ୍ ହ୍ୱିପ୍ ପଦରୁ ତାଙ୍କୁ ହଟାଇ କଲ୍ୟାଣ ବାନାର୍ଜୀଙ୍କୁ ନିଯୁକ୍ତ କରାଯାଇଥିବାରୁ ସେ ଦଳର ଶୀର୍ଷ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ଜଣାପଡ଼ୁଛି।

I-PAC ସଂସ୍ଥା ଏବଂ ଦଳର ଦୁର୍ନୀତି ଉପରେ ବର୍ଷିଲେ

ଇସ୍ତଫା ଦେବା ସହ କାକୋଲି ଘୋଷ ଦସ୍ତିଦାର ଦଳର ଆଭ୍ୟନ୍ତରୀଣ ବ୍ୟବସ୍ଥା ଏବଂ ନିର୍ବାଚନ ପରିଚାଳନା କରୁଥିବା ସଂସ୍ଥା I-PAC ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ରାଜ୍ୟ ଦଳୀୟ ସଭାପତି ସୁବ୍ରତ ବକ୍ସିଙ୍କୁ ଲେଖିଥିବା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, I-PAC ର କର୍ମଚାରୀମାନେ ଦଳର ପୁରୁଣା ଓ ତୃଣମୂଳ ସ୍ତରର କର୍ମୀଙ୍କ ସହ ଅତି ଖରାପ ବ୍ୟବହାର କରିଛନ୍ତି। ସେମାନେ ନେତାମାନଙ୍କ ଉପରେ ଅଯଥା ଚାପ ସୃଷ୍ଟି କରୁଥିଲେ, ଯାହା କାର୍ଯ୍ୟ କରିବାର ସଠିକ୍ ଶୈଳୀ ନୁହେଁ। ଏହି ସଂସ୍ଥା ଯେଉଁଠାକୁ ବି ଯିବ, ନିର୍ବାଚନରେ ସେଠାରେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏହା ବ୍ୟତୀତ ସେ ଦଳରେ ବ୍ୟାପିଥିବା ଅପରାଧୀକରଣ ଓ ଦୁର୍ନୀତିକୁ ନେଇ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ନିକଟ ଅତୀତରେ ପଶ୍ଚିମବଙ୍ଗରେ ଘଟିଥିବା କେତେକ ଦୁର୍ନୀତି ଓ ଅପରାଧିକ ଘଟଣା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେ ମମତା ବାନାର୍ଜୀଙ୍କୁ ପୁଣିଥରେ ସ୍ୱଚ୍ଛତା ଓ ଜବାବଦେହିତା ଫେରାଇ ଆଣିବା ସହ ଦଳର ପୁରୁଣା, ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପନ୍ନ ଓ ଉତ୍ସର୍ଗୀକୃତ କର୍ମୀଙ୍କ ଉପରେ ଭରସା କରିବାକୁ ଅନୁରୋଧ କରିଛନ୍ତି। ଟିଏମସି ଆସନ ସଂଖ୍ୟା ହ୍ରାସ ପାଇ ୮୦ ରେ ପହଞ୍ଚିବାକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି ବୋଲି କହିଛନ୍ତି।

ସାଂସଦ ପଦ ମଧ୍ୟ ଛାଡ଼ିପାରନ୍ତି

ତାଙ୍କ ପୁଅ ବୈଦ୍ୟନାଥ ଘୋଷ ଦସ୍ତିଦାର ଏହି ପ୍ରସଙ୍ଗରେ କହିଛନ୍ତି ଯେ, ତାଙ୍କ ମା' ଆଗାମୀ ଦିନରେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇପାରନ୍ତି। ତେବେ ସେ ବିଜେପିରେ ଯୋଗଦେବା ନେଇ ଚାଲିଥିବା ଖବରକୁ ସେ ଅସ୍ୱୀକାର କରିଛନ୍ତି ଏବଂ ଏହି ଲଢ଼େଇ କେବଳ ଦୁର୍ନୀତି ବିରୋଧରେ ବୋଲି ସ୍ପଷ୍ଟ କରିଛନ୍ତି।

ଟିଏମସିରେ ବଡ଼ ବିପର୍ଯ୍ୟୟ: ୧୦୦ ରୁ ଅଧିକ କାଉନସିଲରଙ୍କ ଇସ୍ତଫା

ପଶ୍ଚିମବଙ୍ଗରେ କେବଳ ସାଂସଦ ନୁହନ୍ତି, ବରଂ ତୃଣମୂଳ ସ୍ତରରେ ଦଳ ଭୁଶୁଡ଼ିବାକୁ ବସିଛି। ସରକାର ବଦଳିବା ପରେ ପୌରପାଳିକାଗୁଡ଼ିକର ପୁରୁଣା ଆର୍ଥିକ କାର୍ଯ୍ୟକଳାପର ଯାଞ୍ଚ କରାଯିବ ବୋଲି ଶୁଭେନ୍ଦୁ ସରକାର ଘୋଷଣା କରିବା ପରେ ଦଳରେ କମ୍ପନ ସୃଷ୍ଟି ହୋଇଛି। ବିଭିନ୍ନ ପୌରପାଳିକାରୁ ପ୍ରାୟ ୧୦୦ ରୁ ଅଧିକ ଟିଏମସି କାଉନସିଲର ଗଣ-ଇସ୍ତଫା ଦେଇଛନ୍ତି। ବିଶେଷ କରି ଭାଟପଡ଼ା, ହାଲିସହର ଏବଂ କାଞ୍ଚରାପଡ଼ା ପୌରପାଳିକାର ସଂଖ୍ୟାଧିକ କାଉନସିଲର ପଦ ପ୍ରତି ଗୁରୁତର ସଙ୍କଟ ଦେଖାଦେଇଛି। କେତେକ ସ୍ଥାନରେ କାଉନସିଲରମାନେ ଅଫିସ ଯିବା ମଧ୍ୟ ବନ୍ଦ କରିଦେଇଛନ୍ତି। ଏହାସହ କଲକାତା ମ୍ୟୁନିସିପାଲ କର୍ପୋରେସନ (KMC) ପକ୍ଷରୁ ଅଭିଷେକ ବାନାର୍ଜୀଙ୍କ ସହ ଜଡ଼ିତ ୧୭ଟି ବେଆଇନ ସମ୍ପତ୍ତିକୁ ଭାଙ୍ଗିବା ପାଇଁ ନୋଟିସ ଜାରି ହେବା ପରେ ଦଳୀୟ କନ୍ଦଳ ଆହୁରି ଉଗ୍ର ରୂପ ନେଇଛି।

Also Read- Supreme Court Validates ECI SIR Voter List: SIRକୁ ବୈଧ ଘୋଷଣା କଲେ ସୁପ୍ରିମକୋର୍ଟ, ନିର୍ବାଚନ କମିଶନଙ୍କ ପ୍ରକ୍ରିୟାକୁ ସବୁଜ ସଙ୍କେତ