• ୩ ଅକ୍ଟୋବର ଶନିବାର ତାପମାତ୍ରା ୩୭.୧ ଡିଗ୍ରି ସେଲସିୟସକୁ ପହଞ୍ଚିଥିଲା
  • ରବିବାର ଦିଲ୍ଲୀର ଏକ୍ୟୁଆଇ ୧୮୭କୁ ପହଞ୍ଚି ଥିଲା, ଯାହା ମୋଡରେଟରୁ ଉପରସ୍ତରରେ ଥିଲା
  • ଶୀତ ଋତୁରେ ବାୟୁର ବେଗ୍ ହ୍ରାସ ଯୋଗୁ ଜାତୀୟ ରାଜଧାନୀରେ ପ୍ରଦୂଷଣ ଦିନ ସଂଖ୍ୟା ବଢିବ

ନୂଆଦିଲ୍ଲୀ:ଅକ୍ଟୋବର ମାସର ଆରମ୍ଭ ସ୍ୱଭାବିକରୁ ଅଧିକ ତାପମାତ୍ରାରେ ହୋଇଥିଲା। ମାସ ଆରମ୍ଭରୁ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ସେଲସିୟସ୍ ଉପରେ ରହୁଛି। ତେବେ ୩ ଅକ୍ଟୋବର ଶନିବାର ତାପମାତ୍ରା ୩୭.୧ ଡିଗ୍ରି ସେଲସିୟସକୁ ପହଞ୍ଚିଥିଲା, ଏଣୁ ପିଛିଲା ୨ ବର୍ଷରେ ଏହି ଦିନଟି ସବୁଠୁ ଉଷ୍ମ ଥିଲା। ରବିବାର ମଧ୍ୟ ସର୍ବାଧିକ ତାପମାତ୍ରା ୩୬.୪ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି, ଯାହା ସାଧାରଣରୁ ୨ ଡିଗ୍ରି ଅଧିକ ରହିଛି। ଏହି ଦିନ ଦିଲ୍ଲୀର ବାୟୁ ଗୁଣବତ୍ତା ମଧ୍ୟ ବର୍ଷରୁ ସବୁଠୁ ଖରାପ ସ୍ତରକୁ ପହଞ୍ଚିଥିଲା।

ରବିବାର ଦିଲ୍ଲୀର ଏକ୍ୟୁଆଇ ୧୮୭କୁ ପହଞ୍ଚି ଥିଲା, ଯାହା ମୋଡରେଟରୁ ଉପରସ୍ତରରେ ଥିଲା। ଏଣୁ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ଶୀତ ଋତୁରେ ବାୟୁର ବେଗ୍ ହ୍ରାସ ଯୋଗୁ ଜାତୀୟ ରାଜଧାନୀରେ ପ୍ରଦୂଷଣ ଦିନ ସଂଖ୍ୟା ବଢିବ। ପାଣିପାଗ ବିଭାଗ ତଥ୍ୟ ଅନୁସାରେ ଚଳିତବର୍ଷ ୧ ଓ ୨ ଅକ୍ଟୋବରରେ ଦିନର ତାପମାତ୍ରା ୩୫.୨ ଓ ୩୬ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିଲା। ତେବେ ଗତବର୍ଷ ଅକ୍ଟୋବର ମାସ ତମାମ କେବଳ ଦିନଟିଏ ପାରା ୩୫ ଡିଗ୍ରି ସେଲସିୟସକୁ ଛୁଇଁଥିଲା।

ତେବେ କେବଳ ଦିନର ତାପମାତ୍ରା ନୁହେଁ ରାତି ତାପମାତ୍ରାରେ ମଧ୍ୟ ଗରମ ଅନୁଭବ ହେଉଛି। ୪ ଅକ୍ଟୋବର ରବିବାର ସର୍ବନିମ୍ନ ତାପମାତ୍ରା ସ୍ୱଭାବିକରୁ ୨ ଡିଗ୍ରି ଅଧିକ ଅର୍ଥାତ ୨୪.୧ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଏହା ଶନିବାର ୨୩.୨ ଡିଗ୍ରି ସେଲସିୟସ୍ ଥିଲା। ପୂର୍ବାନୁମାନ ଅନୁସାରେ ସୋମବାର ସର୍ବନିମ୍ନ ତାପମାତ୍ରା ୨୨ରୁ ୨୪ ଡିଗ୍ରି ଓ ମଙ୍ଗଳବାର ୨୧ରୁ ୨୩ ଡିଗ୍ରି ସେଲସିୟସ୍ ରହିବାର ଆକଳନ କରାଯାଇଛି। ତେବେ ପାଣି ପାଗ ବିଭାଗ ଆଗାମୀ ଶୀତ ଋତୁ ପାଇଁ ଏବେ କୌଣସି ପୂର୍ବାନୁମାନ ଜାରି କରି ନାହାନ୍ତି। ଅନ୍ୟପଟେ ପ୍ରଶାନ୍ତ ମହାସାଗରୀୟ ଅବସ୍ଥା ଏଲନିନୋକୁ ନେଇ ଦେଶରେ ଚର୍ଚ୍ଚା ଜାରି ରହିଛି।