ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ। ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଠାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୧୩ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇପାରେ । ପରେ ଏହି ସିଷ୍ଟମ ଅଧିକ ଘନୀଭୁତ ହୋଇ ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତି କେନ୍ଦ୍ରୀୟ ବଙ୍ଗୋପସାଗର ଠାରେ ଅବପାତର ରୂପ ନେଇପାରେ। ଏଭଳି ପୁର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ମାନେ ।

ଏମିତିକି କିଛି ବିଦେଶୀ ମଡେଲ ଅନୁସାରେ, ଏହା ବାତ୍ୟା ରୂପ ନେଇପାରେ। ତେବେ ବର୍ତମାନ ଏହି ଚିତ୍ର ସ୍ପଷ୍ଟ ନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହା ସ୍ପଷ୍ଟ ହେବ ଯେ ଏହା ବାତ୍ୟା ରୂପ ନେବ କି ନାହିଁ ଏବଂ ଏହାର ଟ୍ରାକ କଣ ରହିବ। ଅବପାତକୁ ନେଇ ଆଇଏମଡି ପକ୍ଷରୁ ମଧ୍ୟ ପୁର୍ବାନୁମାନ କରାଯାଇଛି । ତେଣୁ ଯଦି ଏହି ସିଷ୍ଟମ ଅବପାତର ରୂପ ନିଏ ତେବେ ଦଶହରା ବେଳେକୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ତାରିଖରେ ମହାଷ୍ଟମୀ ରହିଛି ଅବପାତ ଯୋଗୁଁ ୧୭ ରୁ ୧୮ ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି ।

Also Read: ପୂଜା ପୂର୍ବରୁ ବର୍ଷା-ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା, ପ୍ରଥମ ପର୍ଯ୍ୟାୟରେ ୨୬୧ କୋଟି ଟଙ୍କାର କ୍ଷତିପୂରଣ

ତଥାପି ଏବେ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । କାଁ ଭାଁ କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଖରା ମଧ୍ୟ ଅଧିକ ହେବ। ଟାଣ ଖରା ସହ ଗୁଳଗୁଳି ମଧ୍ୟ ଲୋକଙ୍କୁ ବ୍ୟସ୍ତ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କେତକ ସ୍ଥାନରେ ତାପମାତ୍ର ୩୫ ରୁ ୩୬ ଡିଗ୍ରୀ ପର୍ଯ୍ୟନ୍ତ ରହିବ । ଆଣ୍ଡମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଆଗକୁ ଚିତ୍ର ସ୍ପଷ୍ଟ ହେବ । କିନ୍ତୁ ଏହି ସିଷ୍ଟମ ହେବା ପାଇଁ ପାଗ ଅନୁକୁଳ ଥିବା ବିଶେଷଜ୍ଞଙ୍କ ମତ ରହିଛି ।