ପାଟନା: ସ୍ପଷ୍ଟ ଦିବାଲୋକରେ ଜଣେ ଓକିଲଙ୍କୁ ଗୁଳି କରି ମାରିଦେଲେ ସଶସ୍ତ୍ର ଦୁର୍ବୃତ୍ତ । ପ୍ରାୟ ୩ ଜଣ ଯୁବକ ଓକିଲଙ୍କ ଛାତିରେ ଗୁଳି କରୁଥିବାର ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି । ଓକିଲଙ୍କୁ ହତ୍ୟା କରିବା ପରେ, ସେମାନେ ଆରମରେ ଚାଲି ଚାଲି ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ବିହାରର କଟିହାରରେ ଘଟିଥିବା ଏହି ହତ୍ୟାକାଣ୍ଡକୁ ନେଇ ବିହାରରେ ହଇଚଇ ସୃଷ୍ଟି ହୋଇଛି । ପୁଲିସ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ତେବେ ଜଣେ ଓକିଲଙ୍କୁ ଗନଗହଳି ସ୍ଥାନରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ, ସାଧାରଣ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।

ସୋମବାର ସକାଳ ପ୍ରାୟ ୯ଟା ସମୟରେ କଟିହାର କୋର୍ଟର ୩୫ ବର୍ଷୀୟ ଓକିଲ ଗୁଡ୍ଡୁ ଅନସାରୀ (ଅଲିମୁଦ୍ଦିନ୍ ନାସରୀ) ନିଜ ସ୍କୁଟରରେ ଘରୋଇ ସାମଗ୍ରୀ କିଣିବା ପାଇଁ ବଜାରକୁ ଯାଇଥିଲେ। ସେ ଟାଉନ୍ ଥାନା ଅନ୍ତର୍ଗତ ପଟେଲ ଚୌକ୍ ନିକଟସ୍ଥ କୁମ୍ଭାର ଟୋଲି ଅଞ୍ଚଳରେ ଥିବା ଏକ ଦୋକାନର ସିଡ଼ି ଚଢ଼ୁଥିବା ସମୟରେ, ଦୁର୍ବୃତ୍ତମାନେ ତାଙ୍କୁ ଘେରି ଯାଇଥିଲେ। ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି, ଦୁର୍ବୃତ୍ତମାନେ ପ୍ରଥମେ ତାଙ୍କୁ ସିଡ଼ି ଉପରେ ବସିବାକୁ ବାଧ୍ୟ କରିଥିଲେ । ପରେ ଅତି ନିକଟରୁ ତାଙ୍କ ଛାତିକୁ ଗୁଳି କରିଥିଲେ। ଗୁଳି ବାଜିବା ମାତ୍ରେ ସେ ସେଠାରେ ଟଳି ପଡ଼ିଥିଲେ । ଆକ୍ରମଣକାରୀମାନେ ନିର୍ଭୟରେ ସେଠାରୁ ଚାଲିଯାଇଥିଲେ।

ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଗୁଡ୍ଡୁଙ୍କୁ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ନିର୍ମମ ହତ୍ୟାକାଣ୍ଡର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପୁଲିସ ଏହାକୁ ତଦନ୍ତର ପ୍ରମୁଖ ପ୍ରମାଣ ଭାବରେ ଗ୍ରହଣ କରିଛି। କଟିହାର SP ପରିଚୟ କୁମାରଙ୍କ କହିବା ଅନୁଯାୟୀ, ପ୍ରାଥମିକ ଯାଞ୍ଚରୁ ସିସିଟିଭିରେ ୪ ଜଣ ଦୁର୍ବୃତ୍ତଙ୍କ ସଂପୃକ୍ତି ଦେଖିବାକୁ ମିଳିଛି। ସ୍ଥାନୀୟ ପୁଲିସ ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଆଖାପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି । ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ହତ୍ୟାକାଣ୍ଡ ପଛରେ କୋର୍ଟ ସମ୍ବନ୍ଧୀୟ କୌଣସି ବିବାଦ କିମ୍ବା ପୁରୁଣା ଶତ୍ରୁତା ଥାଇପାରେ ବୋଲି ସନ୍ଦେହ କରାଯାଉଛି। ମୃତ ଓକିଲଙ୍କ ପରିବାର ଲୋକେ  ବଡ଼ ଅଭିଯୋଗ ଆଣିଛନ୍ତି । ଏକ ପୁରୁଣା ବିବାଦ ଯୋଗୁଁ ଗୁଡ୍ଡୁଙ୍କୁ ହତ୍ୟା କରାଯାଇଛି ଏବଂ ଜଣେ ବ୍ୟକ୍ତିଙ୍କ ନାମରେ ସନ୍ଦେହ ପ୍ରକାଶ କରିଛନ୍ତି ମୃତକଙ୍କ ପରିବାର ଲୋକେ । ପୁଲିସ ପରିବାରର ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଇଛି। ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରାଯାଉଛି ଏବଂ ୨୪ ଘଣ୍ଟା ମଧ୍ୟରେ ମାମଲାର ପର୍ଦ୍ଦାଫାଶ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସପି ଆଶ୍ୱାସନା ଦେଇଛନ୍ତି।