ନୂଆଦିଲ୍ଲୀ: ପଞ୍ଜାବରେ ଜଣେ ମହିଳା ନିଜକୁ ପଞ୍ଜାବ ସିଭିଲ୍ ସର୍ଭିସେସ୍‌ ଅଫିସର ଦର୍ଶାଇ AAPର ଜଣେ ବରିଷ୍ଠ ନେତାଙ୍କୁ ବିବାହ କରିଥିଲେ । କିନ୍ତୁ ପରେ ସୁନା ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଆପ୍‌ର ରାଜ୍ୟ ଯୁଗ୍ମ ସମ୍ପାଦକ, ଜିଲ୍ଲା ପରିଷଦ ସଦସ୍ୟ ତଥା ସିରହିନ୍ଦ ମାର୍କେଟ କମିଟିର ଅଧ୍ୟକ୍ଷ ଅମରିନ୍ଦର ସିଂହ ମଣ୍ଡୋଫଲ ଧୋକାର ଶିକାର ହୋଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ମହିଳା ଜଣେ ପିସିଏସ୍ ଅଫିସର ଭାବରେ ପରିଚୟ ଦେବା ସହ ନିଜର ବୟସ ବିଷୟରେ ମଧ୍ୟ ମିଥ୍ୟା ତଥ୍ୟ ଦେଇଥିଲେ।

ଏହି ସୂଚନାକୁ ଆଧାର କରି ୨୦୨୬ ଫେବୃଆରୀ ମାସରେ ବିବାହ କରିଥିଲେ ଅମରିନ୍ଦ ସିଂହ । ଅମରିନ୍ଦର ସିଂହ ଓ ମନବିନ୍ଦର କୌରଙ୍କର ବାହାଘର ଖୁବ୍ ଧୁମଧାମରେ ହୋଇଥିଲା। ଏହି ହାଇପ୍ରୋଫାଇଲ୍ ବିବାହ ଉତ୍ସବରେ ପଞ୍ଜାବ ବିଧାନସଭା ବାଚସ୍ପତି କୁଲତାର ସିଂହ, କ୍ୟାବିନେଟ ମନ୍ତ୍ରୀ ତରୁଣପ୍ରୀତ ସିଂହ ସୌନ୍ଦଙ୍କ ସମେତ ଅନେକ ନେତା ଯୋଗ ଦେଇଥିଲେ। ବିବାହର କିଛି ମାସ ପରେ ମହିଳାଜଣକ ଘରେ ଥିବା ସମସ୍ତ ସୁନା-ରୂପା ଗହଣା ଓ ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ।

ପରବର୍ତ୍ତୀ ସମୟରେ ଅମରିନ୍ଦର ସିଂହ ଘଟଣାର ଛାନଭିନ୍ କରିବାରୁ ଜାଣିବାକୁ ପାଇଥିଲେ ଯେ, ମହିଳାଜଣକ ପୂର୍ବରୁ ବିବାହ କରିଥିଲେ । ତାଙ୍କର ଛାଡ଼ପତ୍ର ହୋଇସାରିଥିଲା । ଏପରିକି ତାଙ୍କର ଜଣେ ୧୮ ବର୍ଷର ପୁଅ ମଧ୍ୟ ଅଛି। ସମ୍ପୂର୍ଣ୍ଣ ମିଥ୍ୟା ପରିଚୟ ଓ ଭୁଲ ସୂଚନା ଦେଇ ତାଙ୍କ ସହ ଏହି ପ୍ରତାରଣା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅମରିନ୍ଦର ସିଂହଙ୍କ ଅଭିଯୋଗ ଆଧାରରେ ପୁଲିସ ମନବିନ୍ଦର କୌରଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। 

ଅଭିଯୁକ୍ତଙ୍କ ତାଲିକାରେ ମହିଳାଙ୍କ ଭାଇ ତରଲୋଚନ ସିଂହ, ମା' ବରିନ୍ଦରଜୀତ କୌର, ସମ୍ପର୍କୀୟ ଭାଇ ନରିନ୍ଦର ସିଂହ ଗୋଲ୍ଡି, ଭାଉଜ ରୁପିନ୍ଦର କୌର ଏବଂ ସରପଞ୍ଚ ସୁରିନ୍ଦର ସିଂହ ରାଣାଙ୍କ ନାମ ରହିଛି। ଅଭିଯୁକ୍ତମାନେ ତରନ୍ ତାରନ୍ ଜିଲ୍ଲାର ଭିକିୱିଣ୍ଡ ପୁଲିସ ଷ୍ଟେସନ୍ ଅନ୍ତର୍ଗତ ସୁର୍ ସିଂହ ଗ୍ରାମର ବାସିନ୍ଦା । ଏବେ ପୁଲିସ ମାମଲାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତମାନଙ୍କୁ କାବୁ କରିବାକୁ ଚେଷ୍ଟା ଚଳାଇଛି। ସେପଟେ ଆପ୍‌ର ଜଣେ ବରିଷ୍ଠ ନେତା ଏଭଳି ଧୋକାର ଶିକାର ହେବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଯଦି ଜଣେ ନେତା ଏଭଳି ଫସିଯାଉଛନ୍ତି, ତେବେ ସାଧାରଣ ଲୋକର ଅବସ୍ଥା କଣ ହେବ ଥରେ ଚିନ୍ତା କରନ୍ତୁ ।