ପୁରୀ ୧।୧୦: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତମାନଙ୍କ ସୁଗମ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ କରାଯାଉଛି । ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଗୁମୁଟ ଠାରୁ କୂର୍ମ ବେଢ଼ା ପର୍ଯ୍ୟନ୍ତ ରାମ୍ପ୍ ଏବଂ ରେଲିଂ ନିର୍ମାଣ ଇତିମଧ୍ଯରେ ସରିଛି । ଏହାସହ ଦିବ୍ୟାଙ୍ଗ ଏବଂ ବୟସାଧିକ୍ୟ ଶ୍ରଦ୍ଧାଳୁଙ୍କୁ ସହଯୋଗ କରିବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟରେ ନିୟୋଜିତ ହେବେ । ସ୍ୱେଚ୍ଛାସେବୀ ମାନେ ଶ୍ରଦ୍ଧାଳୁଙ୍କୁ ନାଟମଣ୍ଡପ କିମ୍ବା ଜଗମୋହନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରିବେ । ଏହି ସୁବିଧା ପାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ଅନଲାଇନ୍ ତଥା ମୋବାଇଲ୍ ଆପ୍ଲିକେସନ୍ ପ୍ରସ୍ତୁତ କରୁଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଛନ୍ତି ।

ପ୍ରାରମ୍ଭିକ ପରୀକ୍ଷାମୂଳକ ପର୍ଯ୍ୟାୟରେ ଅନଲାଇନ୍ ତଥା ମୋବାଇଲ ଆପ୍ଲିକେସନ୍ ଜରିଆରେ ବର୍ତ୍ତମାନ ପାଇଁ ଦୈନିକ ୫୦ ଜଣ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତ ଏହି ସୁବିଧା ପାଇପାରିବେ । ଏଥିପାଇଁ ଭାରତୀୟ ରେଡ୍କ୍ରସ୍ ସୋସାଇଟି ଏବଂ ସେଣ୍ଟ ଜନ୍ ଆମ୍ବୁଲାନ୍ସ ସ୍ବେଚ୍ଛାସେବୀ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ବୋଲି ଓଡ଼ିଶାର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବୈଠକରେ ଆଲୋଚନା ହୋଇଛି । ଏଣୁ ଆବଶ୍ୟକୀୟ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଯୋଗାଇବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ୍ ସୋସାଇଟି ଅଧ୍ଯକ୍ଷଙ୍କୁ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି ।

Also Read:- ଶାହ ତୁଟାଇବେ ମହାନଦୀ ବିବାଦ, ଦିଲ୍ଲୀ ଅଭିମୁଖେ CM, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସହ ହେବ ବୈଠକ

ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଯେଭଳି ସୁରୁଖୁରୁରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିପାରିବେ, ତାହା ଶ୍ରୀମନ୍ଦିର ପ୍ରଶାସନର ପ୍ରାଥମିକତା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେହିଭଳି ୩୦ ସେପ୍ଟେମ୍ବର ବୁଧବାର ଦିନ ଶୁଭ ମୁହୂର୍ତ୍ତରେ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଅଛି । ଭକ୍ତମାନଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ସେଠାରେ ମଧ୍ୟ ଦିବ୍ୟାଙ୍ଗ ଏବଂ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ନିଃଶୁଳ୍କ ଦର୍ଶନ ସହ ହ୍ବିଲ୍ ଚେୟାର, ସ୍ୱେଚ୍ଛାସେବୀ ଓ ନାଟମଣ୍ଡପରେ ରାମ୍ପ ଇତ୍ୟାଦି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି ।

Watch Video: