କୋଲକାତା, ୧୯|୦୭: ତୃଣମୂଳ କଂଗ୍ରେସର ଅବସ୍ଥା ଭଲ ନାହିଁ । ଦଳରେ ବିଦ୍ରୋହ ଚରମ ସୀମାରେ । ସଙ୍କଟରେ ମମତା ବାନାର୍ଜୀ । ଟିଏମସି ଭାଙ୍ଗିବା ନେଇ ସ୍ଥିତି ଉପୁଜିଛି । ପଶ୍ଚିମବଙ୍ଗରେ ଦଳର ସ୍ଥିତି ବିଗିଡିଥିବା ବେଳେ ଆସାମରୁ କିନ୍ତୁ ଦିଦିଙ୍କ ପାଇଁ ଭଲ ଖବର ଆସିଛି । ଆସାମରେ ଦଳର ଏକମାତ୍ର ବିଧାୟକ ସେରମନ୍ ଅଲ୍ଲୀ ଅହମ୍ମଦ ମମତାଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ।

ଶୁକ୍ରବାର ଅହମ୍ମଦଙ୍କ ନେତୃତ୍ୱରେ ଆସାମରେ ଟିଏମସିର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏଥିରେ ଦଳର ଅନେକ ନେତା ଏବଂ କର୍ମୀ ସାମିଲ ହୋଇଥିଲେ । ଏହାପୂର୍ବରୁ ଜୁନ ୩ ତାରିଖରେ ଟିଏମସି ଆସାମ ଶାଖାର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିଲା । ପଶ୍ଚିମବଙ୍ଗରେ ମଧ୍ୟ ସମାନ ଘଟଣା ଘଟିଥିଲା ।

Also Read :-Kewra Fossils: ହିମାଳୟଠୁ ବି ପ୍ରାଚୀନ, ଆସାମରେ ୨.୪ କୋଟି ବର୍ଷ ତଳର କିଆ ପତ୍ର ଜୀବାଶ୍ମ

ଟିଏମସିର ଜାତୀୟ ଯୁଗ୍ମ ସମ୍ପାଦକ ଡେରେକ୍ ଓବ୍ରାଏନ୍ ନିକଟରେ ଅହମ୍ମଦଙ୍କୁ ପତ୍ର ଲେଖିଥିଲେ । ରାଜ୍ୟ ଶାଖାର ସମସ୍ତ ଭାର ନେବାକୁ ତାଙ୍କୁ କୁହାଯାଇଛି । ଏବେ ସେ ଦଳର ଆସାମରେ ଏକମାତ୍ର ବିଧାୟକ ଅଟନ୍ତି । ତେଣୁ ତାଙ୍କ ଉପରେ ମମତାଙ୍କ ଖୁବ୍ ଭରସା ରହିଛି । ସେ ମଧ୍ୟ ମମତାଙ୍କୁ ସମ୍ମାନ କରନ୍ତି ।

ପତ୍ର ପାଇବା ପରେ ଅହମ୍ମଦ ଦଳର ୫୩ ଜଣ ଜିଲ୍ଲା ସଭାପତି ଏବଂ ତୁଙ୍ଗ ନେତାଙ୍କ ସହ ବୈଠକ କରିଥିଲେ । ଏହାକୁ ନେଇ ସେ କହିଛନ୍ତି ଯେ, ଦଳ ତାଙ୍କୁ ଗୁରୁ ଦାୟିତ୍ୱ ଦେଇଛି । ଦାୟିତ୍ୱ ନେଲା ପରେ ସେ ପ୍ରଥମ ବୈଠକ କରିଛନ୍ତି । ଏଥିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି । ଆସାମ ୟୁନିଟ୍ ମମତାଙ୍କ ସହ ରହିଛି । ସେମାନେ ଦଳକୁ ମଜବୁତ ପାଇଁ କାର୍ଯ୍ୟ କରିବେ । ସେହପରି ଦଳର ତିନି ପୂର୍ବତନ ସମ୍ପାଦକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଗୋଟିଏ ଦିଗରେ ପଶ୍ଚିମବଙ୍ଗରେ ଦିଦିଙ୍କ ଗଡ ଦୋହଲି ଯାଇଛି । ଏବେ ଦିଦିଙ୍କୁ କେବଳ ଆସାମ ଭରସା । ଆସାମର ଅନେକ ନେତା ଦିଦିଙ୍କ ବିରୋଧୀ କ୍ୟାମ୍ପରେ ଯୋଗ ଦେଇଛନ୍ତି । କିନ୍ତୁ ଦଳର ବିଧାୟକଙ୍କ ଦିଦିଙ୍କ ପ୍ରତି ସମର୍ଥନ ନିଶ୍ଚୟ ଭାବେ ମମତାଙ୍କ ପାଇଁ ଖୁସି ଖବର ।