ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଲାଞ୍ଚ ନେବା ବେଳେ CBI ହାତରେ ଧରାପଡ଼ିଲେ ତିନି ଜଣ CGST ସୁପରିଟେଣ୍ଡେଣ୍ଟ। GST ଫାଙ୍କିବା ପାଇଁ ସହାୟତା କରିବା ସହ ଏଥିପାଇଁ ଲାଞ୍ଚ ଦାବି କରିଥିବା ଅଭିଯୋଗରେ CBI ଟିମ୍ ତିନି ଅଧିକାରୀଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, GST ଫାଙ୍କିବାର ଲୋଭ ଦେଖାଇ ଅଧିକାରୀମାନେ ପ୍ରଥମେ ୪ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ପରେ ୩ ଲକ୍ଷ ଟଙ୍କାରେ ଡିଲ୍ ଚୂଡ଼ାନ୍ତ ହୋଇଥିଲା। ତେବେ ଲାଞ୍ଚ ଟଙ୍କା ଗ୍ରହଣ କରିବା ସମୟରେ ପୂର୍ବ ଯୋଜନା ଅନୁସାରେ ଚଢ଼ାଉ କରିଥିଲା CBI ଟିମ୍।

ଏହି ମାମଲାରେ ତିନି ଜଣ CGST ସୁପରିଟେଣ୍ଡେଣ୍ଟଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସେମାନଙ୍କୁ ଅଫିସରେ ଘନଘନ ଜେରା କରାଯାଉଥିବା ବେଳେ ଏହି ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ CBI ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଲାଞ୍ଚ କାରବାରର ପରିମାଣ କେତେ, ସେନେଇ CBI ତଦନ୍ତ ଜାରି ରଖିଛି।