ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜ୍ବ୍ୟାଣ୍ଡରୀର ୨୦୨୬ - ୨୭ ବ୍ୟାଚର ପ୍ରଥମ ବାର୍ଷିକ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଆଇଭିଏସ୍ଏଏଚ୍ର ଡିନ ପ୍ରଫେସର (ଡକ୍ଟର) ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ ସହ ଏହି ଅନୁଷ୍ଠାନରେ ଅଧୟନରତ ଛାତ୍ରଛାତ୍ରୀଙ୍କ ନିମନ୍ତେ ୫ ଟି ବିଷୟ - ପାଠ ପଢ଼ାରେ ଧୈର୍ଯ୍ୟ, ପରବର୍ତୀ ଡାକ୍ତର ପିଢ଼ି, ପ୍ରାଣୀ ପାଳକମାନଙ୍କ ପ୍ରତି ସମ୍ବେଦନଶୀଳତା, ସମୟ ଅନୁବର୍ତ୍ତିତା, ଶୃଙ୍ଖଳା ରକ୍ଷା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ଏକ ବହୁମୂଖିଭିତିକ ଅନୁଷ୍ଠାନ ବୋଲି କହିଥିଲେ । ଏହି ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ କଥା କହି ପାରୁ ନଥିବା ପଶୁ ପକ୍ଷୀଙ୍କ ଚିକିତ୍ସା ନିମନ୍ତେ ଏକ ସୁଯୋଗ ପାଇ ଥିବାରୁ ନିଜକୁ ଧନ୍ୟ ମନେ କରିବା ସହିତ ଏମାନଙ୍କ ଚିକିତ୍ସା ପାଇଁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ଉଚିତ ବୋଲି ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡକ୍ଟର) କୁମର ବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପାଠପଢ଼ାର ମାନବିକ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ ।

ସମ୍ମାନିତ ଅତିଥିଭାବେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟର ରିମାଉଂଟ ଓ ଭେଟେରିନାରୀ କର୍ପସ ବିଗ୍ରେଡିଅର ଡ଼କ୍ଟର ଭଗବାନ ରାଉତ ଯୋଗ ଦେଇ ନିଜ ବକ୍ତବ୍ୟରେ ଦେଶ ବିଦେଶରେ ପ୍ରାଣୀ ଚିକିତ୍ସକମାନେ ଅନେକ ସୁନାମ ଅର୍ଜନ କରିବା ସହ ସେମାନଙ୍କ ପାଇଁ ନିଯୁକ୍ତି ନିମନ୍ତେ ଡି. ଆର.ଡି.ଓ , ପାରା ମିଲିଟାରୀ ଫୋର୍ସ, ପ୍ରଶାସନ ଆଦି କ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ରହିଛି ବୋଲି ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡିନ୍ ଅଫ୍ ରିସର୍ଚ୍ଚ ଏବଂ ପ୍ଲାନିଂ ଆଣ୍ଡ ମନିଟରିଂ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ନିରଞ୍ଜନ ପଣ୍ଡା ଓ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ନିଜକୁ ଶୃଙ୍ଖଳିତ କରି ଗଢି ତୋଳିବା ସହିତ ପାଠପଢାକୁ ଏକ ରୁଟିନ ଭାବରେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ଶେଷରେ ଆଇଭିଏସ୍ଏଏଚ୍‌ର ଭେଷଜ ବିଭାଗର ମୁଖ୍ୟ ତଥା ଭେଟେରିନାରୀ କ୍ଲିନିକାଲ କମ୍ପେ୍ଲକ୍ସର ସୁପରିଟେଣ୍ଡେଣ୍ଟ ପ୍ରଫେସର(ଡ଼ଃ ) ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ନାମ ଲେଖାଇଥିବା ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହିତ ଅଧ୍ୟାପକ- ଅଧ୍ୟାପିକାମାନେ ଯୋଗଦାନ କରିଥିଲେ । ଏହାପରେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କୁ ଏହି ପ୍ରତିଷ୍ଠାନର ସହକାରୀ ଅଧ୍ୟାପକ ଡ଼ଃ ବୀର କିଶୋର ପରିଡା, ଡ଼ଃ ଦେବେନ୍ଦ୍ର ନାଥ ବିଶ୍ୱାଳ, ଡ଼ଃ ସନ୍ତୋଷ କୁମାର ସାହୁ ପ୍ରମୁଖ ପ୍ରତିଷ୍ଠାନର ଭେଟେରୀନାରୀ କ୍ଲିନିକାଲ କଂପ୍ଲେକ୍ସ ସହିତ ବିଭିନ୍ନ ବିଭାଗ ବୁଲାଇ ଦେଖାଇଥିଲେ । ଏହିସବୁ କାର୍ଯ୍ୟକ୍ରମକୁ ଆଇଭିଏସ୍ଏଏଚ୍‌ର କାର୍ଯ୍ୟକ୍ରମ ଅଧିକାରୀ ଆଶିଷ କୁମାର ସ୍ୱାଇଁ ସୂଚାରୁ ରୁପେ ପରିଚାଳନା କରିଥିଲେ ।