ନୂଆଦିଲ୍ଲୀ: ଏକ୍ସପ୍ରେସ୍ ୱେ ଏବଂ ନ୍ୟାସନାଲ ହାଇ ୱେ ପ୍ରୋଜେକ୍ଟସ୍ ରେ କାମର ମାନ ସୁଧାର ସହ ଅବହେଳା ରୋକିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ବଡ଼ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରାଳୟ ଦେଶର ପାଖାପାଖି ୫୦୦୦ କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ ୱେ ଏବଂ ହାଇ ୱେ ନିର୍ମାଣ ଆରମ୍ଭରୁ ନେଇ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ନିରୀକ୍ଷଣ ଓ ଯାଞ୍ଚ ଲାଗି ଥାର୍ଡପାର୍ଟି ଅଡିଟକୁ ଅନିବାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ଆରମ୍ଭରେ ତୃତୀୟପକ୍ଷ ନିରୀକ୍ଷଣ ଏଜେନ୍ସୀ (ଟିପିଏ)କୁ ୩ ବର୍ଷ ଅବଧି ନିମନ୍ତେ ନିଯୁକ୍ତ କରାଯିବ।

ଇଆଇଏଲକୁ ବାଛିବାକୁ ନିଷ୍ପତ୍ତି
ଏକ ଇଂରାଜୀ ୱେବସାଇଟରୁ ମିଳୁଥିବା ସୂଚନା ଆଧାରରେ ସଡ଼କ ପରିବହନ ମନ୍ତ୍ରାଳୟ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅନ୍ତର୍ଗତ ଇଞ୍ଜିନିୟରିଂ କନସଲଟାନ୍ସୀ ଫାର୍ମ ‘ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ’ (ଇଆଏଲ)କୁ ଏଥି ପାଇଁ ବାଛିବାକୁ ନିଷ୍ପତ୍ତି ନେଇଛି। ଏହି ଏଜେନ୍ସୀ ମୁଖ୍ୟରୂପେ ସାରା ଦେଶରେ ଏକ୍ସପ୍ରେସ୍ ୱେ, ସିକ୍ସ ଲେନ୍ ଓ ୪ ଲେନର ନ୍ୟାସନାଲ ହାଇୱେର ଅଡିଟ କରିବ।

ସ୍ୱତନ୍ତ୍ର ଅଡିଟରଙ୍କ ଦ୍ୱାରା କରାଯାଏ କ୍ୱାଲିଟି ଯାଞ୍ଚ
ବର୍ତ୍ତମାନ ନିର୍ମାଣ କାର୍ଯ୍ୟର କ୍ୱାଲିଟି ଯାଞ୍ଚ (ଥାର୍ଡ ପାର୍ଟି କ୍ୱାଲିଟି ଅଡିଟ) ସ୍ୱତନ୍ତ୍ର ଅଡିଟରଙ୍କ ଦ୍ୱାରା କରାଯାଉଛି। ଏଥିରେ ଅଧିକାଂଶ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନଏଚଏଆଇ) ଓ ଅନ୍ୟ ସରକାରୀ ଏଜେନ୍ସୀଙ୍କ ଦ୍ୱାରା ସୂଚୀବଦ୍ଧ ଅବସରପ୍ରାପ୍ତ ସରକାରୀ ଇଞ୍ଜିନିୟର ଥାଆନ୍ତି।

୫,୦୦୦ କିଲୋମିଟର ଦୀର୍ଘ ସଡ଼କ ନେଟୱାର୍କର ଦାୟିତ୍ୱ
ଏହି ଏଜେନ୍ସୀକୁ ମୋଟ ୫ ହଜାର କିଲୋମିଟର ଦୀର୍ଘ ସଡ଼କ ନେଟୱାର୍କର ନିରୀକ୍ଷଣ ଦାୟିତ୍ୱ ପ୍ରଦାନ କରାଯିବ। ଏଥିରେ ୭୭୦ କିଲୋମିଟର ଏକ୍ସପ୍ରେସ୍ ୱ, ୨,୨୦୦ କିଲୋମିଟର ୬ ଲେନ୍ ରାଜମାର୍ଗ ଓ ୪ ଲେନ ଓ ୨ଲେନ ରାଜମାର୍ଗର ୧ ହଜାର କିଲୋମିଟର ଲେଖାଏଁ ଅଂଶ ସାମିଲ ରହିବ। ନିର୍ମାଣର ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସଡ଼କ ପରିବହନ ମନ୍ତ୍ରାଳୟକୁ ସ୍ୱତନ୍ତ୍ର ଥାର୍ଡପାର୍ଟି ଅଡିଟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଯୋଜନା ଅନୁସାରେ ଇଆଇଏଲର ଭୂମିକା ମୁଖ୍ୟ ରୂପେ ଅନୁବନ୍ଧରେ ନିର୍ଦ୍ଧାରିତ ଟେକ୍ନିକାଲ ମାନ ଓ ଗାଇଡଲାଇନ ପାଳନର ଯାଞ୍ଚ ଓ ନିରୀକ୍ଷଣ ମଧ୍ୟରେ ସୀମିତ ରହିବ।

ପୂର୍ବରୁ ବି ଦେଖୁଥିଲା ଥାର୍ଡପାର୍ଟି
ଏହା ପୂର୍ବରୁ ମଧ୍ୟ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ ଏପରି ଯାଞ୍ଚ କରିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ଯେତେବେଳେ ଦେଶର ସର୍ବ ପ୍ରଥମ ତଥା ସର୍ବ ବୃହତ୍ତ ‘ସ୍ୱର୍ଣ୍ଣ ଚତୁର୍ଭୁଜ’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲା ସେତେବେଳେ ଇଆଇଏଲ ଥାର୍ଡ ପାର୍ଟି କ୍ୱାଲିଟି ଯାଞ୍ଚର ଦାୟିତ୍ୱ ନେଇଥିଲା।