ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ବାଂଲାଦେଶ ଫେରି କୋର୍ଟରେ ଆତ୍ମସମର୍ପଣ କରିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା। କେବଳ ସେ ଏକା ନୁହେଁ, ତାଙ୍କ ଦଳ ଆୱାମୀ ଲିଗର ନିର୍ବାସନରେ ଥିବା ବରିଷ୍ଠ ନେତାମାନେ ମଧ୍ୟ କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ରୟଟର୍ସକୁ ସାକ୍ଷାତ୍‌କାର ଦେଇ କହିଛନ୍ତି ହାସିନା। ତାଙ୍କୁ ବାଂଲାଦେଶର ଏକ ଟ୍ରିବ୍ୟୁନାଲ ମୃତ୍ୟୁ ଦଣ୍ଡ ଦେଇଛନ୍ତି। ତାଙ୍କୁ ହୁଏତ ମାରିଦିଆଯାଇପାରେ। ତାଙ୍କ ଜୀବନ ପ୍ରତି ବିପଦ ଥିଲେ ବି ସେ ଦେଶକୁ ଫେରିବେ ବୋଲି ହାସିନା କହିଛନ୍ତି।

ଶେଖ ହାସିନା ୨୦୨୪ ଅଗଷ୍ଟ ୫ ତାରିଖରୁ ଭାରତରେ ରହୁଛନ୍ତି। କାରଣ ସେତେବେଳେ ଇସ୍ଲାମିକ ଚରମପନ୍ଥୀଙ୍କ ସମର୍ଥନରେ ଛାତ୍ର ଆନ୍ଦୋଳନ ହିଂସକ ହେବା ପରେ ନିଜ ସୁରକ୍ଷା ପାଇଁ ଦେଶ ଛାଡ଼ିବାକୁ ବାଂଲାଦେଶ ମୁଖ୍ୟ ଶେଖ ହାସିନାଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ହାସିନାଙ୍କ ସମେତ ଆୱାମୀ ଲିଗ୍‌ର ଅନେକ ବରିଷ୍ଠ ନେତା ଦେଶ ଛାଡ଼ି ଭାରତରେ ଶରଣ ନେଇଥିଲେ। ସେବେଠାରୁ ସେମାନେ ଭାରତରେ ରହୁଛନ୍ତି। ଆଉ ଭାରତ ଏମାନଙ୍କୁ ଶରଣ ଦେଇଛି ବୋଲି ବର୍ତ୍ତମାନ ବାଂଲାଦେଶ ସହିତ ସମ୍ପର୍କ ଖରାପ ହୋଇଛି।

ଏପଟେ ଶେଖ ହାସିନାଙ୍କ ବାଂଲାଦେଶରେ ଅନୁପସ୍ଥିତି ସମୟରେ ବାଂଲାଦେଶର ୨୦୨୫ ନଭେମ୍ବରରେ ଛାତ୍ର ଆନ୍ଦୋଳନକୁ ହିଂସକ ରୂପେ ଦମନ କରିଥିବା ଅଭିଯୋଗ ଆଣି ହାସିନାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲା। ତେବେ ହାସିନା କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି।

Also Read- ଚୀନ୍ ଜୋତା କାରଖାନାରେ ଅଗ୍ନିକାଣ୍ଡ, ଅନେକ କର୍ମଚାରୀ ଫଶି ରହିଥିବା ଆଶଙ୍କା

ରଏଟର୍ସ ସମ୍ବାଦ ସଂସ୍ଥାକୁ ପ୍ରାୟ ଏକ ଘଣ୍ଟାର ଟେଲିଫୋନ୍ ସାକ୍ଷାତକାରରେ ୭୮ ବର୍ଷୀୟା ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗ୍‌ର ବରିଷ୍ଠ ନେତାମାନେ ଡିସେମ୍ବର ମାସରେ ବାଂଲାଦେଶ ଫେରି କୋର୍ଟରେ ଆତ୍ମସମର୍ପଣ କରିବାକୁ ଯୋଜନା କରୁଛନ୍ତି। ସେ କହିଛନ୍ତି, "ମୋ ଫେରିବା ପରେ ସେମାନେ ମୋତେ ଗିରଫ କରିପାରନ୍ତି, ଏପରିକି ମୋତେ ହତ୍ୟା ମଧ୍ୟ କରିପାରନ୍ତି। ତଥାପି ମୋତେ ଫେରିବାକୁ ହେବ। ମୋ ଦଳର ନେତା ଓ କର୍ମୀମାନଙ୍କ ଉପରେ ଅତ୍ୟଧିକ ଦମନ କରାଯାଉଛି। ଯଦି ମୃତ୍ୟୁ ଆସେ, ତାହେଲେ ମୋର ନିଜ ମାଟିରେ ଆସୁ, ଯେଉଁଠାରେ ମୋର ମାତାପିତାଙ୍କ ସମାଧି ରହିଛି ଏବଂ ଯେଉଁଠାରେ ସେମାନଙ୍କ ରକ୍ତ ଝରିଥିଲା।"

ପ୍ରଥମ ଥର ପାଇଁ ଫେରିବାର ସମୟସୀମା ଘୋଷଣା

କିଛି ସପ୍ତାହ ପୂର୍ବରୁ ମଧ୍ୟ ହାସିନା ବାଂଲାଦେଶ ଫେରିବେ ବୋଲି କହିଥିଲେ। କିନ୍ତୁ ରଏଟର୍ସକୁ ଦିଆଯାଇଥିବା ଏହି ସାକ୍ଷାତକାରରେ ପ୍ରଥମ ଥର ପାଇଁ ସେ ଫେରିବାର ସମ୍ଭାବ୍ୟ ସମୟସୀମା ଘୋଷଣା କରିଛନ୍ତି। ସେହିପରି ଆୱାମୀ ଲିଗ୍‌ର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ତାଙ୍କ ସହ ଆତ୍ମସମର୍ପଣ କରିବେ ବୋଲି ପ୍ରଥମ ଥର ସାର୍ବଜନୀନ ଭାବେ କହିଛନ୍ତି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ଫେରିବାକୁ ଥିବା ନେତାମାନଙ୍କ ମଧ୍ୟରେ ପୂର୍ବତନ ଗୃହମନ୍ତ୍ରୀ ଆସାଦୁଜ୍ଜାମାନ ଖାନ କମାଲ ମଧ୍ୟ ଅଛନ୍ତି। ସେ ମଧ୍ୟ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ହାସିନାଙ୍କ ପ୍ରତ୍ୟର୍ପଣ ପାଇଁ ତତ୍କାଳୀନ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ନେତୃତ୍ୱାଧୀନ ବିଏନପି ସରକାର ବାରମ୍ବାର ଭାରତ ପାଖେ ଦାବି କରି ଆସୁଛନ୍ତି। ଏନେଇ ହାସିନା କହିଛନ୍ତି, "ଢାକା କର୍ତ୍ତୃପକ୍ଷ ମୋତେ ଫେରାଇ ନେବାକୁ ଚାହୁଁଛନ୍ତି। ସେମାନେ ଭାରତକୁ ବାରମ୍ବାର ଚିଠି ପଠାଉଛନ୍ତି, ଯାହାଦ୍ୱାରା ମୋତେ ଫେରାଇ ଦିଆଯାଉ। କିନ୍ତୁ ମୁଁ ନିଜେ ଫେରିବି।" ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବାଂଲାଦେଶ ଫେରିବା ପୂର୍ବରୁ ସେ କୌଣସି ବିଦେଶୀ ସରକାର ସହ ପରାମର୍ଶ କରିନାହାନ୍ତି।

ପ୍ରତ୍ୟର୍ପଣ ଆବେଦନକୁ ଯାଞ୍ଚ କରୁଛି ଭାରତ

ସେପଟେ ବାଂଲାଦେଶର ପ୍ରତ୍ୟର୍ପଣ ଆବେଦନକୁ ଭାରତ ଯାଞ୍ଚ କରୁଛି ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି। ଅନୁରୋଧକୁ ଆଇନଗତ ଏବଂ ବିଚାର ପ୍ରକ୍ରିୟା ଅନୁସାରେ ଯାଞ୍ଚ କରାଯାଉଛି ବୋଲି କହିଛି ଏମଇଏ।

ଏପ୍ରିଲ୍ ମାସରେ ଏମଇଏ ପ୍ରବକ୍ତା ରନ୍ଧୀର ଜୟସୱାଲ କହିଥିଲେ, "ଏହି ଅନୁରୋଧକୁ ନ୍ୟାୟିକ ଓ ଆଭ୍ୟନ୍ତରୀଣ ଆଇନଗତ ପ୍ରକ୍ରିୟାର ଅଂଶ ଭାବେ ଯାଞ୍ଚ କରାଯାଉଛି। ଆମେ ଏହି ପ୍ରସଙ୍ଗରେ ସମସ୍ତ ପକ୍ଷ ସହ ଗଠନମୂଳକ ଭାବେ ଆଲୋଚନା ଜାରି ରଖିବୁ। ଭାରତର ବୈଦେଶିକ ମନ୍ତ୍ରୀ ମଧ୍ୟ ନୂଆ ସରକାର ସହ ଗଠନମୂଳକ ସମ୍ପର୍କ ବିକାଶ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ଭାରତର ଇଚ୍ଛା ପ୍ରକାଶ କରିସାରିଛନ୍ତି। ଉଭୟ ପକ୍ଷ ଦ୍ୱିପାକ୍ଷିକ ବ୍ୟବସ୍ଥା ମାଧ୍ୟମରେ ସହଯୋଗ ବୃଦ୍ଧି ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଅଧିକାରୀ ସ୍ତରର ବୈଠକ ହେବାର ସମ୍ଭାବନା ରହିଛି। ଏଥିସହ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ମତ ବିନିମୟ କରାଯାଇଛି।"

Also read- ଭାରତରେ ୨୦୨୬ରେ ହେବ ଭୟଙ୍କର ଆକ୍ରମଣ ! ପାଣି ନପାଇ ଧମକ ଦେଲା ଲଶ୍କର ଆତଙ୍କବାଦୀ

"ମୋର ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ଅଛି"

ବାଂଲାଦେଶର ନ୍ୟାୟ ବ୍ୟବସ୍ଥାକୁ ନେଇ ହାସିନା କହିଛନ୍ତି ଯେ କୋର୍ଟରେ ଆତ୍ମସମର୍ପଣ କରିବାର କାରଣ ହେଉଛି ସେ ବିଶ୍ୱାସ କରନ୍ତି ଯେ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହେଲେ ତାଙ୍କ ବିରୋଧରେ ହୋଇଥିବା ମାମଲାଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ସ୍ପଷ୍ଟ ହୋଇଯିବ। ଏନେଇ ସେ କହିଛନ୍ତି, "ମୋର ନ୍ୟାୟ ଉପରେ ବିଶ୍ୱାସ ଅଛି। ବିଚାର ପ୍ରକ୍ରିୟା ଆରମ୍ଭ ହେଲେ ଲୋକମାନେ ବୁଝିପାରିବେ ଯେ ଏହି କୋର୍ଟ କେତେ ହାସ୍ୟାସ୍ପଦ। ମୁଁ ତାହା ପ୍ରମାଣ କରିବାକୁ ଚାହୁଁଛି।"

ହାସିନା ଦାବି କରିଛନ୍ତି ଯେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ମାମଲା ରାଜନୈତିକ ଉଦ୍ଦେଶ୍ୟରେ କରାଯାଇଛି। କାରଣ ଏହି ବର୍ଷ ପ୍ରାରମ୍ଭରେ ବାଂଲାଦେଶର ପୋଲିସ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ତାଙ୍କ ଏବଂ ଅନ୍ୟ ୧୧୨ ଜଣଙ୍କ ବିରୋଧରେ ରୁଜୁ ହୋଇଥିବା ଏକ "ହତ୍ୟା ଉଦ୍ୟମ" ମାମଲାକୁ ବାତିଲ କରିବାକୁ ସୁପାରିସ କରିଥିଲା। ତଦନ୍ତକାରୀ ସଂସ୍ଥା କହିଥିଲା ଯେ କଥିତ ପୀଡ଼ିତଙ୍କୁ ଖୋଜି ପାଇବା ସମ୍ଭବ ହୋଇନଥିଲା ଏବଂ ଅଭିଯୋଗପତ୍ରରେ ମିଥ୍ୟା ତଥ୍ୟ ରହିଥିଲା। ତଦନ୍ତକାରୀମାନେ ଏହା ମଧ୍ୟ କହିଥିଲେ ଯେ ମାମଲାଟି "ମୌଳିକ ଭାବେ ଅବିଶ୍ୱସନୀୟ" ବୋଲି ଜଣାପଡ଼ିଥିଲେ ମଧ୍ୟ ସେମାନଙ୍କ ଉପରେ ଚାପ ଥିଲା ବୋଲି ହାସିନା କହିଛନ୍ତି।

ତେବେ ରୟଟର୍ସକୁ ସାକ୍ଷାତ୍‌କାର ଦେବା ବେଳେ ଶେଖ ହାସିନା କେଉଁ ତାରିଖରେ ବାଂଲାଦେଶ ଫେରିବେ କିମ୍ବା କେଉଁ କୋର୍ଟରେ ଆତ୍ମସମର୍ପଣ କରିବେ, ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ତେବେ ଜେଲ୍‌କୁ ସେ ଡରନ୍ତି ନାହିଁ ବୋଲି କହିଛନ୍ତି। ହାସିନା କହିଛନ୍ତ ଜେଲକୁ ନେଇ ତାଙ୍କର କୌଣସି ଭୟ ନାହିଁ। କାରଣ ଏହା ପୂର୍ବରୁ ମଧ୍ୟ ସେ ନିଜ ରାଜନୈତିକ ଜୀବନରେ ଅନେକ ଥର ଜେଲ୍ ଯାଇଛନ୍ତି। ବିଶେଷ କରି ୨୦୦୭ ମସିହାରେ ବାଂଲାଦେଶର ସେନା ସମର୍ଥିତ ତତ୍ତ୍ୱାବଧାୟକ ସରକାର ସମୟରେ ସେ କାରାବାସ ଭୋଗିଥିଲେ। ପରେ ୨୦୦୮ ନିର୍ବାଚନ ପରେ ସେ ପୁଣି କ୍ଷମତାକୁ ଫେରିଥିଲେ।

ଭାରତରେ ରହି ବଳ ଗୋଟାଉଛି ଆୱାମୀ ଲିଗ୍

ଇଣ୍ଟରଭ୍ୟୁରେ ହାସିନା କହିଛନ୍ତି ଯେ ସେ ବର୍ତ୍ତମାନ ବାଂଲାଦେଶର ୩୦୦ଟି ସଂସଦୀୟ ଆସନ ମଧ୍ୟରୁ ୧୨୫ଟି ଆସନର ପ୍ରତିନିଧିମାନଙ୍କ ସହ ଅନଲାଇନ୍ ବୈଠକ କରୁଛନ୍ତି। ଏହା ନିଷିଦ୍ଧ ଘୋଷିତ ଆୱାମୀ ଲିଗ୍‌କୁ ପୁନର୍ଗଠନ କରିବାର ଉଦ୍ୟମର ଅଂଶ ବୋଲି ସେ କହିଛନ୍ତି। ନିଜର ୨୦ ବର୍ଷର ଶାସନକାଳକୁ ନେଇ ଶେଖ ହାସିନା ସ୍ୱୀକାର କରିଛନ୍ତି ଯେ ଦୀର୍ଘ ସମୟ କ୍ଷମତାରେ ରହିଲେ କିଛି ଭୁଲ୍ ହୋଇପାରେ। କିନ୍ତୁ କୌଣସି ସରକାରର ଭଲ-ମନ୍ଦର ବିଚାର କରିବାର ଅଧିକାର କେବଳ ଜନତାଙ୍କର ବୋଲି ସେ କହିଛନ୍ତି।

ହାସିନାଙ୍କ କହିବା ଅନୁଯାୟୀ, "ଯେତେବେଳେ କୌଣସି ସରକାର ଦୀର୍ଘ ସମୟ ଧରି କାମ କରେ, କିଛି ଭୁଲ୍ ହୋଇପାରେ। କୌଣସି ସରକାର ଭୁଲ୍‌ରୁ ଊର୍ଦ୍ଧ୍ୱରେ ନୁହେଁ। କିନ୍ତୁ କୌଣସି ସରକାରର ଭଲ-ମନ୍ଦ, ଠିକ୍-ଭୁଲ୍‌ର ବିଚାର କରିବାର ଅଧିକାର ଲୋକଙ୍କର। ମୁଁ ସେହି ବିଚାର ଜନତାଙ୍କ ଉପରେ ଛାଡ଼ି ଦେଉଛି।"