ନୂଆଦିଲ୍ଲୀ,୧୦|୦୭:ସିନ୍ଧୁ ନଦୀ ଜଳ ବିବାଦକୁ ନେଇ ଭାରତ ବିରୋଧରେ କଠୋର ଆଭିମୁଖ୍ୟ ଆପଣାଇଛି ପାକିସ୍ତାନ। ଏହାକୁ କେନ୍ଦ୍ରକରି ଭାରତରେ ଆତଙ୍କବାଦୀ ଆକ୍ରମଣ ଘଟାଇବା ଲାଗି ଷଡ଼ଯନ୍ତ୍ର କରୁଛି। ଏଭଳି ସ୍ଥିତିରେ ଆମେରିକା ଦ୍ୱାରା ଆତଙ୍କବାଦୀ ଘୋଷିତ ଲସ୍କର-ଏ-ତୋଏବା (ଏଲଇଟି)ର ସଦସ୍ୟ ହାରିସ୍ ତାର୍ ଭାରତ ବିରୋଧରେ ବଡ଼ ଆକ୍ରମଣ ନେଇ ଧମକ ଦେଇଛି। ଜଳ ପ୍ରସଙ୍ଗକୁ ନେଇ ଏ ବର୍ଷ କିଛି ବଡ଼ ଘଟିବା ନେଇ ମନ୍ତବ୍ୟ ଦେଇଛି।

ଆତଙ୍କୀ ହାରିସ୍ ଡାରର ଏଭଳି ବୟାନରୁ ଆତଙ୍କବାଦୀମାନେ ଚଳିତବର୍ଷ ଭାରତରେ କୌଣସି ବଡ଼ ଆକ୍ରମଣ ଘଟାଇବା ପାଇଁ ଯୋଜନା କରୁଥିବା ଅନୁମାନ ହେଉଛି। ପାକିସ୍ତାନର ଜଳ ସୁରକ୍ଷା ପାଇଁ ସିନ୍ଧୁ ନଦୀ ଚୁକ୍ତି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ ହୋଇଥିବା ବେଳେ ହାରିସ୍ ଡାରର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ବର୍ଷ କିଛି ବଡ଼ ଘଟିବ ଯାହା ସେମାନଙ୍କୁ ବିଜୟ ଦେବ ବୋଲି ଏଥିରେ ସେ ଦାବି କରୁଥିବା ଦେଖିବାକୁ ମିଳିଛି।

Also Read :- ଇଂରାଜୀରେ କଥାବାର୍ତ୍ତା, ଠାଣି ପୂରା ଭିଆଇପି; ୧୦ଟି ରାଜ୍ୟର ୩୦୦ ଫାଇଭ୍ ଷ୍ଟାର୍ ହୋଟେଲକୁ ଚୂନ ଲଗାଇଲା ୭୦ ବର୍ଷର ବୃଦ୍ଧ

ଭିଡିଓରେ ହାରିସ୍ ଡାର୍ ସନ୍ତରଣ ତାଲିମ ନେଉଥିବା କିଛି ଜଣଙ୍କୁ ସମ୍ବୋଧନ କରି କହୁଛି, ପରିସ୍ଥିତି ସୁଧୁରିବାକୁ ଯାଉଛି। ତୁମ୍ଭେମାନେ ଏହି ସନ୍ତରଣ ତାଲିମ ନେଇଛ। ପାଣିକୁ ନେଇ ଆମର ବଡ଼ ସମସ୍ୟା ହେଉଛି ଭାରତ ଏହାକୁ ନିୟନ୍ତ୍ରଣ କରୁଛି। ଆମ ମନ୍ତ୍ରୀମାନେ ବୟାନ ଦେଇ କହିଛନ୍ତି, ଯଦି ତୁମେ ଆମ ପାଣି ବନ୍ଦ କରିବ, ଆମେ ତୁମ ନିଃଶ୍ବାସ ବନ୍ଦ କରିଦେବୁ। ତେଣୁ ଗୋଟିଏ କଥା ମନେରଖ - ଏହି ବର୍ଷ ୨୦୨୬ରେ, ଜଳ ପ୍ରସଙ୍ଗକୁ ନେଇ କିଛି ବଡ଼ ଘଟିବ ଏବଂ ଆଲ୍ଲା ଆମକୁ ନିଶ୍ଚିତ ବିଜୟ ପ୍ରଦାନ କରିବେ। ଏହି ଭିଡିଓ ପାକିସ୍ତାନର ଶେଖପୁରା ଅଞ୍ଚଳରୁ ଆସିଥିବା ରିପୋର୍ଟରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ କଠୋର ଆଭିମୁଖ୍ୟ ଆପଣାଇଥିଲା। ପ୍ରଥମ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନୂଆଦିଲ୍ଲୀ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା। ରକ୍ତ ଓ ପାଣି ଏକସଙ୍ଗେ ବୋହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ଭାରତର କାର୍ଯ୍ୟାନୁଷ୍ଠାନ ଏବେ ବି ବଳବତ୍ତର ରହିଛି। ଏହା ଯୋଗୁ ପାକିସ୍ତାନକୁ ଜଳ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଛି। ପାକିସ୍ତାନ କୂଟନୈତିକ ଉପାୟରେ ଚାପ ପକାଇବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହୋଇଛି।

ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବା ଯୋଗୁ ଭାରତରୁ ପ୍ରବାହିତ ନଦୀଗୁଡ଼ିକ ମାଧ୍ୟମରେ ପାକିସ୍ତାନକୁ ଯାଉଥିବା ପାଣି ଉପରୁ ପାକିସ୍ତାନ ନିଜ ନିୟନ୍ତ୍ରଣ ହରାଇଛି। ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚଗୁଡ଼ିକରେ ସିନ୍ଧୁ ଜଳ ପ୍ରସଙ୍ଗ ବାରମ୍ବାର ଉଠାଇଛି। କିନ୍ତୁ ଇସଲାମାବାଦ ଆତଙ୍କବାଦକୁ ସମର୍ଥନ, ପ୍ରଶ୍ରୟ ଓ ଆଶ୍ରୟ ଦେବା ବନ୍ଦ ନ କରିବା ପର୍ଯ୍ୟନ୍ତ ଏହି ଚୁକ୍ତିକୁ ସ୍ଥଗିତ ରଖିବା ନେଇ ଭାରତ ନିଜ ଜିଦରେ ଅଟଳ ରହିଛି।