ଜିନଜିୟାଙ୍ଗ: ଦକ୍ଷିଣ-ପୂର୍ବ ଚୀନ୍ ର ଫୁଜିୟାନ ପ୍ରାନ୍ତରେ ଥିବା ଏକ ଜୋତା କାରଖାନାରେ ଗୁରୁବାର ନିଆଁ ଲାଗିଯାଇଛି। ସରକାରୀ ପ୍ରସାରଣକର୍ତ୍ତା ସିସିଟିଭି ଅନୁସାରେ ଅଗ୍ନିକାଣ୍ଡ ଯୋଗୁ କିଛି ଲୋକେ ହତାହତ ହୋଇଥିବାର ଖବର ଆସୁଛି। ତେବେ ଦମକଳ ବିଭାଗ କାରଖାନାରେ ଫଶି ରହିଥିବା ଲୋକଙ୍କ ଉଦ୍ଧାର ଓ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି। ସିସିଟିଭି ଅନୁସାରେ ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ଫୁଜିୟାନର ଜିନଜିୟାଙ୍ଗ ସହରରେ ଥିବା ବହୁତଳ ଜୋତା କାରଖାନାରେ ନିଆଁ ଲାଗିଛି।

ନିଆଁ ଏତେ ବିକରାଳ ରୂପ ଧାରଣ କରିଛି ଯେ କାରଖାନା ଛାତକୁ ଜୀବନ ବଞ୍ଚାଇବାକୁ ପଳାଇଥିବା କର୍ମଚାରୀ ମଧ୍ୟ ଫଶି ଯାଇଛନ୍ତି। ତେବେ ଅପରାହ୍ନ ୫ଟା ୪୦ ବେଳକୁ ନିଆଁ ସାମାନ୍ୟ ଆୟତ୍ତକୁ ଆସିଥିଲା। ହେଲେ ଉଦ୍ଧାର ଅଭିଯାନ ଏବେ ଜାରି ରହିବ ବୋଲି ଦମକଳ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅଗ୍ନିକାଣ୍ଡରେ ମୃତାହତଙ୍କୁ ନେଇ କୌଣସି ସୂଚନା ଆସି ନାହିଁ। ତେବେ ନିଆଁ କାରଖାନାର ଗ୍ରାଉଣ୍ଡ ଫ୍ଲୋରରୁ ଲାଗି ଉପରମହଲାଙ୍କୁ ଉଠିଥିବା ଜଣେ ସ୍ଥାନୀୟ ଦମକଳ ବିଭାଗ କର୍ମଚାରୀ କହିଛନ୍ତି।

ବିଲ୍ଡିଂରେ ତିଆରି ଜୋତା ଓ ଜୋତା ତିଆରି ସାମଗ୍ରୀ ସମେତ ପ୍ରଚୁର କେମିକାଲ ଥିଲା। ନିଆଁ ସଂସ୍ପର୍ଶରେ ଆସିବା ଯୋଗୁ ନିଆଁ ଉଗ୍ର ରୂପ ଧାରଣ କରିଥିଲା ଓ ଦେଖୁ ଦେଖୁ ପୁରା କାରଖାନାରେ ନିଆଁ ବ୍ୟାପି ଯାଇଥିଲା। ସିସିଟିଭି ରିପୋର୍ଟରେ କୁହାଯାଇଛି ଯେ ଘଟଣାସ୍ଥଳରେ ଗ୍ଲୁ ଓ ଆଧେସିବ ଗନ୍ଧ ଆସୁଛି। ଏଣୁ ଲୋକଙ୍କ ଆଖି ପୋଡୁଥିଲା। ନିଆଁ ଲିଭାଇବା ପାଇଁ ୧୮୩ ଫାୟାର ଫାଇଟର ଓ ୩୫ଟି ଦମକଳ ଗାଡି ଘଟଣାସ୍ଥଳରେ ନିୟୋଜିତ ହୋଇଥିଲେ।

ଫୁଜିୟାନର ଜିନଜିୟାଙ୍ଗ ସହର ଜୋତା ତିଆରି ଓ କପଡାର ବଡ଼ ହବ। ଏହାକୁ ଏଣୁ ଚୀନ୍ ର ଜୋତା ରାଜଧାନୀ କୁହାଯାଏ। ଏଠାରେ ଏପରି ହଜାର ହଜାର କାରଖାନା ଅଛନ୍ତି ଯେଉଁଠୁ ସାରା ବିଶ୍ୱକୁ ଜୋତା ରପ୍ତାନୀ ହେଉଛି। ସରକାରୀ ତଥ୍ୟ ଅନୁସାରେ ୨୦୨୪ ମସିହାରେ କେବଳ ଜିନଜିୟାଙ୍ଗରେ ଥିବା କମ୍ପାନୀମାନେ ୧.୨ ବିଲିୟନରୁ ଅଧିକ ଯୋଡା ଜୋତା ନିର୍ମାଣ କରିଥିଲେ। ଏଣୁ ଆଜିର ଅଗ୍ନିକାଣ୍ଡ ଯୋଗୁ ଗ୍ଲୋବାଲ ସପ୍ଲାଇ ଚେନ୍ ଉପରେ ମଧ୍ୟ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି।