ଚେନ୍ନାଇ : ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ଶାସକ ଡିଏମକେ, ବିରୋଧୀ ଏଆଇଏଡିଏମକେ, ବିଜେପି ଓ କଂଗ୍ରେସ ସମେତ ରାଜ୍ୟର କୌଣସି ପ୍ରମୁଖ ରାଜନୈତିକ ପାର୍ଟି ଜଣେ ବି ବ୍ରାହ୍ମଣଙ୍କୁ ପ୍ରାର୍ଥୀ କରି ନାହାନ୍ତି। ୩ ଦଶନ୍ଧୀରୁ ଅଧିକ କାଳ ପରେ ପ୍ରଥମ ଥର ଏଆଇଏଡିଏମକେ ପ୍ରାର୍ଥୀ ତାଲିକାରେ ବ୍ରାହ୍ମଣ ପ୍ରାର୍ଥୀ ନାହାନ୍ତି। ରାଜ୍ୟରେ ଏହା ସେହି ସମୂଦାୟର ହ୍ରାସ ହେଉଥିବା ରାଜନୈତିକ ଉପସ୍ଥିତିକୁ ଦର୍ଶାଉଛି ଯାହା ରାଜ୍ୟ ଜନସଂଖ୍ୟାର ପାଖାପାଖି ୩%।

ଡିଏମକେ ଓ କଂଗ୍ରେସ ସହିତ ଅନ୍ୟ ପ୍ରମୁଖ ପାର୍ଟିମାନେ ମଧ୍ୟ ବ୍ରାହ୍ମଣ ସମ୍ପ୍ରଦାୟର ଜଣକୁ ବି ପ୍ରାର୍ଥୀ କରି ନାହାନ୍ତି। ଏଥର ଏଆଇଏଡିଏମକେ ସହ ମେଣ୍ଟ କରି ରାଜ୍ୟର ୨୭ଟି ଆସନରେ ନିର୍ବାଚନ ଲଢୁଥିବା ବିଜେପି ମଧ୍ୟ ଜଣେ ବି ବ୍ରାହ୍ମଣ ପ୍ରାର୍ଥୀ ଦେଇ ନାହିଁ। ରାଜ୍ୟ ରାଜନୀତିରେ ଏହାକୁ ଏବେ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖା ଯାଉଛି। ୨୦୨୧ ବିଧାନସଭା ନିର୍ବାଚନରେ ଏଆଇଏଡିଏମକେ ଅବସରପ୍ରାପ୍ତ ଡିଜିପି ଆର. ନଟରାଜଙ୍କୁ ନିଜର ଏକମାତ୍ର ବ୍ରାହ୍ମଣ ପ୍ରାର୍ଥୀ ଭାବେ ନିର୍ବାଚନରେ ଛିଡା କରିଥିଲା। ତେବେ ଏହା ପୂର୍ବରୁ ଜେ.ଜୟଲଳିତା ଓ ଏମଜି ରାମଚନ୍ଦ୍ରନଙ୍କ ଭଳି ନେତାଙ୍କ ନେତୃତ୍ୱରେ ପାର୍ଟି ନିୟମିତ ଭାବେ ବ୍ରାହ୍ମଣ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଇ ଆସୁଥିଲା।

ଏହାର ବିପରୀତ ନୂଆ ନେତାମାନେ ଏବେ ନିର୍ବାଚନରେ ଏକ ନୂଆ ଦୃଷ୍ଟିକୋଣ ଆପଣଉଛନ୍ତି। ତେବେ ବିଜୟଙ୍କ ତାମିଲଗା ୱେଟ୍ରି କଜଗମ (ଟିଭିକେ) ୨ ଜଣ ବ୍ରାହ୍ମଣ ପ୍ରାର୍ଥୀଙ୍କୁ ମୈଦାନରେ ଓହ୍ଲାଇଥିବା ବେଳେ ତମିଲର କାଚୀ ଆଉ ଟିକେ ଆଗକୁ ବଢି ୬ ବ୍ରାହ୍ମଣଙ୍କୁ ପ୍ରାର୍ଥୀ କରିଛି। ଏମାନଙ୍କୁ ମାୟଲାପୁର ଓ ଶ୍ରୀରଙ୍ଗମ ଭଳି ନିର୍ବାଚନମଣ୍ଡଳିରେ ପ୍ରାର୍ଥୀ କରାଯାଇଛି ଯେଉଁଠି ବ୍ରାହ୍ମଣ ବହୁଳ ଜନସଂଖ୍ୟା ଅଛନ୍ତି। ତେବେ ତାମିଲନାଡୁରେ ଦୀର୍ଘ ସମୟରୁ ଚଳି ଆସୁଥିବା ଦ୍ରାବିଡ ରାଜନୈତିକ ଢାଞ୍ଚା ଅନୁରୂପ ମୁଖ୍ୟ ରାଜନୈତିକ ଦଳମାନଙ୍କ ଅଧିକାଂଶ ପ୍ରାର୍ଥୀ ଏବେ ଓବିସି ସମୂଦାୟରୁ ହେଉଛନ୍ତି।

ତେବେ ରାଜ୍ୟ ରାଜନୀତିରେ ଏଆଇଏଡିଏମକେ କୁ ଦୀର୍ଘ ଦଶକ ଧରି ବ୍ରାହ୍ମଣଙ୍କ ସମର୍ଥନ ଥିଲା। ହେଲେ ଏବେକା ବର୍ଷମାନଙ୍କରେ ଏହି ପରିସ୍ଥିତି ବଦଳି ଯାଇଛି। ଜୟଲଳିତାଙ୍କ ପରଲୋକ ପରେ ବ୍ରହ୍ମଣ ଭୋଟର ବିଜେପି ଆଡକୁ ମୁହାଁଇଛନ୍ତି। ଏଣୁ ଏଆଇଏଡିଏମକେ ବ୍ରାହ୍ମଣଙ୍କୁ ପ୍ରାର୍ଥୀ କରିବା ଏବେ ଲାଭଜନକ ହେଉ ନାହିଁ। ଫଳରେ ନିର୍ବାଚନରେ ବ୍ରାହ୍ମଣ ପ୍ରତିନିଧିତ୍ୱ ହ୍ରାସ ହୋଇଛି। ସେହିପରି ଟିଭିକେ ଭଳି ପାର୍ଟିମାନେ ସାମାଜିକ ବାର୍ତ୍ତା ଦେବା ପାଇଁ ନୂଆ ନୂଆ ଉପାୟ ଅବଲମ୍ବନ କରୁଥିବା ଦେଖା ଯାଉଛି। ପେରିୟାରଙ୍କ ଉଲ୍ଲେଖ କରି ବ୍ରାହ୍ମଣ ପ୍ରାର୍ଥୀଙ୍କୁ ଛିଡା କରି ଟିଭିକେ ବ୍ରାହ୍ମଣ ବିରୋଧୀ ଆଭିମୁଖ୍ୟକୁ ସମର୍ଥନ କରୁନଥିବା ଜଣାଇଛି। ତେବେ ମୋଟ ଉପରେ ମୁଖ୍ୟ ରାଜନୈତିକ ଦଳମାନେ ବ୍ରାହ୍ମଣଙ୍କପ୍ରାର୍ଥୀ ନ କରି ତାମିଲନାଡୁ ରାଜନୀତିରେ ଏକ ବଡ ପରିବର୍ତ୍ତନକୁ ରେଖାଙ୍କିତ କରିଛନ୍ତି।