ଉମରକୋଟ ୧୫।୪: ଧର୍ମ ପରିବର୍ତ୍ତନ କରିଥିଲେ । ଏବେ ଗାଁ ଶ୍ମଶାନରେ ଶବକୁ ମିଳୁନାହିଁ ଜାଗା । ଘରେ ୩୬ ଘଣ୍ଟାରୁ ଅଧିକ ହେଲା ପଡି ରହିଛି ମୃତଦେହ । ଅନ୍ୟ ଧର୍ମ ଗ୍ରହଣ କରିବାରୁ ଶବକୁ ସତ୍କାର ପାଇଁ ନିଜ ଗାଁରେ ଜାଗା ଦେଉନାହାନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୋପେନା ପଞ୍ଚାୟତ ଅଣ୍ଡ୍ରି ଗ୍ରାମରେ । ଏଠି ଶବ ସତ୍କାରରେ ବାଧକ ସାଜିଛି ଧର୍ମ ପରିବର୍ତ୍ତନ ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୋପେନା ପଞ୍ଚାୟତ ଅଣ୍ଡ୍ରି ଗାଁର ମାଣିକ ସାନ୍ତାଙ୍କର ଗତ ସୋମବାର ସନ୍ଧ୍ୟା ୭ଟାରେ ମୃତ୍ୟୁ ହୋଇଥିଲା । ହେଲେ ଏଯାଏଁ ଘରେ ପଡିରହିଛି ଶବ । ଗ୍ରାମବାସୀଙ୍କ ଗୋଟିଏ ଜିଦ୍ ଅନ୍ୟ ଧର୍ମର ଲୋକଙ୍କୁ ଆମ ଗାଁ ଶ୍ମଶାନରେ ଜାଗା ଦେବୁନାହଁ । ଯଦି ହିନ୍ଦୁ ରୀତିନୀତି ଅନୁଯାୟୀ ଶବକୁ ସତ୍କାର କରିବେ ତା ହେଲେ ଶ୍ମଶାନରେ ଜାଗା ଦେବୁ । ଏଭଳି ଜିଦ୍‌ରେ ଅଡ଼ି ବସିଛନ୍ତି ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ଉମରକୋଟ ପୋଲିସ, ତହସିଲଦାର ଓ ବିଡିଓ ପହଞ୍ଚିଛନ୍ତି । ସେଠାରେ ଉପସ୍ଥିତ ରହି ଗାଁ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ତଥାପି ଗ୍ରାମବାସୀ ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।

Also Read:- ସାରା ରାତି ସ୍କୁଲ ଆଗରେ ଶବ ରଖି ଧାରଣା, ପ୍ରଶାସନର ବୁଝାସୁଝା ପରେ ମାନିଲେ ଲୋକେ

ଅନ୍ୟପଟେ ମୃତକଙ୍କ ପରିବାର ଲୋକଙ୍କ କହିବା କଥା ଯେ, ଆମେ ଦୀର୍ଘ ଦିନ ହେଲା ଗ୍ରାମରେ ବସବାସ କରୁଛୁ । ତେଣୁ ଆମ ମୌଳିକ ଅଧିକାରକୁ ଚପାଇ ଦେବାକୁ ଅପର ପକ୍ଷର ଲୋକେ ଉଦ୍ୟମ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଘରେ ଶବ ପଡ଼ି ରହିଛି ।