ନୂଆଦିଲ୍ଲୀ, ୧୩।୧୧ : ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ । ସବୁଥିରେ ଫେଲ୍ । ଭାରତୀୟ ଦଳର ଲଜ୍ଜାଜନକ ପରାଜୟ । ଶହେ କରିପାରିଲାନି ଟିମ୍ ଇଣ୍ଡିଆ । ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡଠୁ ୨୪୪ ରନରେ ହାରିଛି ଭାରତ । ଦଳର ଅଧା ବ୍ୟାଟର ଦୁଇ ଅଙ୍କ ମଧ୍ୟ କରିପାରି ନାହାଁନ୍ତି ।

ଚତୁର୍ଥ ଦିନିକିଆରେ ଜବରଦସ୍ତ ବ୍ୟାଟିଂ କରିଥିଲା କିଓ୍ୱି ଟିମ୍ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୩୦୦ରୁ ଅଧିକ ସ୍କୋର କରିଥିଲା । ଏହାସହ ଭାରତକୁ ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଦେଇଥିଲା । ମୁକାବିଲାରେ ଟସ୍ ଜିତିଥିଲା ଭାରତ । ପ୍ରଥମ ଥର ଦିନିକିଆ ଦଳର ନେତୃତ୍ୱ ନେଉଥିବା ଶ୍ରେୟସ ଆୟର ବୋଲିଂ ନିଷ୍ପତ୍ତି ନେଇଥିଲେ । ହେଲେ ଏହା ବୁମେରାଂ ପାଲଟିଥିଲା । ଓପନିଂ କରିବାକୁ ଆସିଥିବା ଓ୍ୱିଲ୍ ୟଙ୍ଗଙ୍କ ଶତକ ବଳରେ ଦଳ ୩୩୩ ରନ୍ କରିବାରେ ସକ୍ଷମ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଟିମ୍ ସେଫାର୍ଟ୍ ୫୮ ରନ୍ କରିଥିଲେ । ସେହିପରି ଫିନ୍ ଆଲେନ୍ ୪୧ ରନର ପାଳି ଖେଳିଥିଲେ । ଶେଷ ଆଡକୁ ମିଚେଲ୍ ସାଣ୍ଟନର ଏବଂ କ୍ରିଷ୍ଚାନ୍ କ୍ଲାର୍କ ଯଥାକ୍ରମେ ୨୪ ଏବଂ ୨୨ ରନର ପାଳି ଖେଳିଥିଲେ । ଫଳରେ ଦଳର ସ୍କୋର ୩୦୦ ଟପିଥିଲା । ଭାରତକୁ ଜିତିବା ପାଇଁ ୩୩୪ ରନ୍ ର ଆବଶ୍ୟକତା ରହିଥିଲା । ଭାରତ ପକ୍ଷରୁ ଆକିବ୍ ନବୀ, ଗୁରନୁର ବ୍ରାର୍ ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଏବଂ ନମନ ଧୀର ଗୋଟିଏ ଲେଖାଏଁ ଓ୍ୱିକେଟ୍ ହାସଲ କରିଥିଲେ ।

୩୩୪ ରନର ଟାର୍ଗେଟକୁ ଚେଜ୍ କରିବାକୁ ଓହ୍ଲାଇଥିଲେ ରୋହିତ ଶର୍ମା ଏବଂ ଋତୁରାଜ ଗାଏକଓ୍ୱାଡ । ହେଲେ ଆରମ୍ଭରୁ ରୋହିତ ଆଉଟ୍ ହୋଇଥିଲା । ବିନା କୌଣସି ରନରେ ସେ ପ୍ୟାଭିଲିୟନ ଫେରିଥିଲେ । ସେହିପରି ବିରାଟ ବି ଗୋଲଡେନ୍ ଡକରେ ପ୍ୟାଭିଲିୟନ ଫେରିଥିଲେ । ଗାଏକଓ୍ୱାଡ ମଧ୍ୟ ୫ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ଶ୍ରେୟସ ବି ଜିରୋରେ ଆଉଟ୍ ହୋଇଥିଲେ ।

Also Read :- 'ଫୋନ୍ ଟ୍ୟାପ୍ ହେଉଛି, ମୋଦୀ ସାମ୍ନାସାମ୍ନି ବିତର୍କ କରନ୍ତୁ' : ରାହୁଲଙ୍କ ସାଙ୍ଘାତିକ ଅଭିଯୋଗ

ଅନ୍ୟମାନଙ୍କ ମଧ୍ୟରେ ଇଶାନ କିଷନ ୨୭, ଅକ୍ଷର ପଟେଲ ୨୧ ରନ୍ କରି କିଛି ସମୟ ପାଇଁ ଲଢିଥିଲେ । ହେଲେ ସେମାନେ ଆଉଟ୍ ହେଲା ପରେ ପୁଣି ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ନମନ୍ ଧୀର ମଧ୍ୟ ୨୧ ରନରେ ପାଳି ଖେଳିଥିଲେ । ତେବେ ଟେଲ୍ ଏଣ୍ଡର ଜଣଙ୍କ ପରେ ଜଣେ ପ୍ୟାଭିଲିୟନ ଫେରିଥିଲେ । ଫଳରେ ଦଳ ୨୬.୪ ଓଭରରେ ୮୯ ରନରେ ଅଲଆଉଟ୍ ହୋଇ ୨୪୪ ରନରେ ପରାସ୍ତ ହୋଇଛି । ଏହାସହ ନ୍ୟୁଜିଲାଣ୍ଡ ସିରିଜକୁ ୨-୧ ସ୍ତରକୁ ଆଣିଛି ।

ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରି ୬ ଓ୍ୱିକେଟ୍ ନେଇଥିବା ବେଳେ ମାଥ୍ୟୁ ଫିସର୍ ୩ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ ।