ବାରିପଦା ୧୫।୦୪ : ମୟୂରଭଞ୍ଜ ରାସଗୋବିନ୍ଦପୁର କାକବନ୍ଧ ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣାରେ ଲାଗି ରହିଛି ଚାପା ଉତ୍ତେଜନା। ସ୍କୁଲ ସାମ୍ନାରେ ସ୍ୱର୍ଗରଥ ଦୀର୍ଘ ୧୩ ଘଣ୍ଟା ଧରି ଅଟକ ରହିଲା। ଏହାପରେ ଗାଁକୁ ନିଆଯାଇଛି ସ୍ବର୍ଗ ରଥରେ ଥିବା ଛାତ୍ରୀଙ୍କ ମରଶରୀର । ପ୍ରଶାସନ ପକ୍ଷରୁ ବୁଝାସୁଝା ପରେ ସ୍ୱର୍ଗରଥରେ ଥିବା ଛାତ୍ରୀଙ୍କ ମରଶରୀରକୁ ନଳଗଜା ନୁଣଚାଟି ଗାଁକୁ ନିଆଯାଇଛି। ଗାଁ ଶ୍ମଶାନରେ ଛାତ୍ରୀଙ୍କ ଶବ ସତ୍କାର କରାଯିବ ।

ସମସ୍ତ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଉଚିତ୍ କ୍ଷତିପୂରଣ ଦେବାକୁ ଦାବି ଜୋର ଧରିଛି । ଘଟଣାସ୍ଥଳକୁ ବିଧାୟକ, ଜିଲ୍ଲାପାଳ ଓ ଶିକ୍ଷାମନ୍ତ୍ରୀଙ୍କୁ ଆସିବାକୁ ଦାବି କରିଥିଲେ ଲୋକେ । ସ୍ଥିତି ଏମିତି ହୋଇଥିଲା ଯେ, ପୋଲିସ- ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ଏକାଧିକ ପୋଲିସ ସହ ୧୦ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା। ରାତିତମାମ ଗାଁ ଲୋକ ଧାରଣା ଦେଇଥିଲେ । ପୋଲିସ ଗାଡି ଭାଙ୍ଗିବା ସହ ଗାଡ଼ିକୁ ଓଲଟାଇ ଦେଇଥିଲେ ଗ୍ରାମବାସୀ । ରାତିରେ କିଛି ପୋଲିସ ଅମରଦା ଗାଁ ଫାଣ୍ଡିରେ ଥିବା ବେଳେ କିଛି ପୋଲିସ ହଷ୍ଟେଲ ପରିସରରେ ମୁତୟନ ହୋଇଥିଲେ । ତେବେ ବାରିପଦାରୁ ଆଲୋଚନା ଓ କ୍ଷତିପୂରଣର ଲିଖିତ ପ୍ରତିଶ୍ରୁତି ପାଇବା ପରେ ଶବ ବ୍ୟବଚ୍ଛେଦ ହୋଇ ଗାଁକୁ ଅଣାଯାଉଥିଲା ମୃତଦେହ । ଫେରିବା ବାଟରେ କାକବନ୍ଧ ଆଶ୍ରମ ସ୍କୁଲକୁ ନିଆ ଯାଇଥିଲା ମୃତଦେହ । ସେଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ମୃତଦେହ ଆସିବା ପରେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା। ପୋଲିସକୁ ଲୋକେ ପଥର ସହ ନିଆଁହୁଳା ଫିଙ୍ଗିବାର ଦୃଶ୍ୟ ଅଧ୍ୟ ଦେଖିବାକୁ ମିଳିଥିଲା। ସ୍ଥିତି ଆୟତ୍ତ କରିବାକୁ ଯାଇ ଏକାଧିକ ପୋଲିସ ଆକ୍ରମଣର ଶିକାର ହୋଇଛନ୍ତି । ରାସଗୋବିନ୍ଦପୁର ଥାନା ଅଧିକାରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉତ୍ତେଜନା ସାମାନ୍ୟ କମିଥିବା ବେଳେ ଅତିରିକ୍ତ ଏସପିଙ୍କ ସହିତ ଉପଜିଲ୍ଲାପାଳ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ଯାନ କରୁଛନ୍ତି। ଅଧିକ ୩ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି।

Also Read:-ସମୁଦ୍ର ମଝିରେ ବଡ଼ ଅଘଟଣ, ଭେସେଲ ଓଲଟି ୨୫୦ ଜଣଙ୍କ ମୃତ୍ୟୁ !

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ହେବାକୁ ଥିବା ବେଳେ କିଛି ସମୟ ମଧ୍ୟରେ ଆରଡିସି ଘଟଣାସ୍ଥଳରେ ପହଞ୍ଚିବେ । କେଉଁ ପରିସ୍ଥିତିରେ ପିଲାମାନେ ଅସୁସ୍ଥ ହେଲେ ଏବଂ ରୂପାଲିଙ୍କର ମୃତ୍ୟୁ କେମିତି ଘଟିଛି ସେ ସମ୍ପର୍କରେ ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ଏକ ଡାକ୍ତରୀ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯିବେ । ଏପଟେ ମୁଖ୍ୟମନ୍ତ୍ରୀ ଘଟଣାରେ ଶୋକ ପ୍ରକାଶ କରିବା ସହ ନିକଟତମ ଆତ୍ମୀୟଙ୍କ ପାଇଁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।