ନୂଆଦିଲ୍ଲୀ: ଭାରତରେ ବିଦେଶୀ ସେଓର ଚାହିଦା ଯୋଗୁ ଜାରି ଆର୍ଥିକ ବର୍ଷ ୨୦୨୬-୨୭ରେ ଏହାର ଆମଦାନୀ ୧୯% ବଢି ୫.୧୧ ଲକ୍ଷ ଟନକୁ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଗତବର୍ଷ ଏହି ଆମଦାନୀ ୪.୨୮ଲକ୍ଷ ଟନ ଥିଲା ବୋଲି ସଂଶୋଧିତ ଅନୁମାନରୁ ଜଣାପଡିଛି। ଆମେରିକୀୟ କୃଷି ବିଭାଗର ବିଦେଶ କୃଷି ସେବା(ଏଫଏଏସ)ର ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟର ରିପୋର୍ଟ ଅନୁସାରେ ଘରୋଇ ଉତ୍ପାଦନରେ ମାମୁଲି ସୁଧାର ସତ୍ତ୍ୱେ ଭାରତରେ ସେଓର ଚାହିଦା ବଢୁଥିବାରୁ ଆମଦାନୀ ବଢିବ ବୋଲି ଆଶା କରାଯାଇଛି।

ପ୍ରିମିୟମ କିସମ ସେଓର ବଢୁଥିବା ଚାହିଦା ଓ ଜୁସ୍, ଜାମ, ସସ୍ ତଥା ଶୁଷ୍କ ସେଓ ଭଳି ପ୍ରଡକ୍ଟର ଚାହିଦା ମଧ୍ୟ ଏଥିରେ ଯୋଗଦାନ ଦେଉଛି। ରିପୋର୍ଟ ଅନୁସାରେ ସେଓର ମୋଟ ବିକ୍ରି ୨୦୨୬-୨୭ରେ ବଢି ୨୯.୧ଲକ୍ଷ ଟନକୁ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ୨୦୨୫-୨୬ରେ ଏହା ୨୭.୬ ଲକ୍ଷ ଟନ ଥିଲା। ବଢୁଥିବା ଆୟ ଓ ପ୍ରିମିୟମ ଫଳ ପ୍ରତି ଗ୍ରାହକଙ୍କ ଆକର୍ଷଣ ସେଓର ଚାହିଦା ବୃଦ୍ଧି କରିବ। ଏହା ଛଡା ସ୍ୱାସ୍ଥ୍ୟ ସଚେତନତା କାରଣରୁ ମଧ୍ୟ ଭାରତରେ ଫଳରେ ଚାହିଦା ବଢୁଛି।

ୟୁଏସଡିଏ ୨୦୨୫-୨୬ ଲାଗି ଭାରତର ସେଓ ଆମଦାନୀ ଅନୁମାନ ହ୍ରାସ କରି ୪.୨୮ ଲକ୍ଷ ଟନ କରିଥିଲେ। ରିପୋର୍ଟ ଅନୁସାରେ ଅନ୍ତର୍ଜାତୀୟ ବଜାରରେ ଯୋଗାଣ ତଳ ଉପର ହେବା, ଟଙ୍କାର ବିନିମୟ ଦର ଅସ୍ଥିର ରହିବା ଓ ପରିବହନ ବାବଦ ବ୍ୟୟ କାରଣରୁ ଆମଦାନୀକାରୀମାନେ କ୍ରୟରେ ସାବଧାନତା ଅବଲମ୍ବନ କରୁଛନ୍ତି। ସେମାନେ ଘରୋଇ ବଜାରରେ ନୂଆ ଫସଲର ଉପଲବ୍ଧତାକୁ ନଜରରେ ରଖି ନିଜର ଷ୍ଟକ୍ ଓ ଆମଦାନୀକୁ ନିୟନ୍ତ୍ରିତ କରୁଛନ୍ତି। ୨୦୨୬-୨୭ରେ ଭାରତରେ ସେଓ ଉତ୍ପାଦନ ୩% ବଢି ୨୫.୯ ଲକ୍ଷ ଟନ୍ ହେବ ବୋଲି ଅନୁମାନ କରାଯାଉଛି।