ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମ୍ୟାଟ୍ ହେନରୀ ଭାରତ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚରେ ଐତିହାସିକ ପ୍ରଦର୍ଶନ କରିଛନ୍ତି । ଇନିଂସର ପ୍ରଥମ ଓଭରରେ ହିଁ ତିନି ଜଣ ଭାରତୀୟ ବ୍ୟାଟରଙ୍କୁ ଆଉଟ୍ କରି ସେ କ୍ରିକେଟ୍ ଇତିହାସରେ ନିଜ ନାଁ ଲେଖାଇଛନ୍ତି । ସ୍କୋର ବୋର୍ଡରେ ବିନା କୌଣସି ରନରେ ତିନି ୱିକେଟ୍ ହରାଇବା ଟିମ୍ ଇଣ୍ଡିଆ ପାଇଁ ପ୍ରଥମ । କ୍ରିକେଟ ଇତିହାସରେ ମଧ୍ୟ କୌଣସି ଟିମ୍ ବିନା କୌଣସି ସ୍କୋରରେ ତିନି ୱିକେଟ୍ ହରାଇବାରେ ଏହା ଷଷ୍ଠ ଘଟଣା ।

ବେ' ଓଭାଲରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ଭାରତ ନ୍ୟୁଜିଲାଣ୍ଡ ଦେଇଥିବା ୩୩୪ ରନ୍ର ବିଜୟ ଲକ୍ଷ୍ୟ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିଲା । କିନ୍ତୁ ଭାରତୀୟ ଇନିଂସର ଆରମ୍ଭ ଅତ୍ୟନ୍ତ ନିରାଶାଜନକ ରହିଥିଲା । ପ୍ରଥମ ଓଭରରେ ହିଁ ମ୍ୟାଟ୍ ହେନରୀ ଭାରତକୁ ତିନୋଟି ବଡ଼ ଝଟ୍କା ଦେଇଥିଲେ । ପ୍ରଥମ ବଲରେ ରୋହିତ ଶର୍ମା ଆଉଟ୍ ହୋଇଥିଲେ । ଏହାପରେ ବିରାଟ କୋହଲି କ୍ରିଜକୁ ଆସିଥିଲେ । କିନ୍ତୁ ହେନରୀଙ୍କ ଘାତକ ବୋଲିଂ ଆଗରେ ସେ ମଧ୍ୟ ତିଷ୍ଠି ପାରିନଥିଲେ । ଓଭରର ପଞ୍ଚମ ବଲରେ ବୋଲ୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିଲେ । ଓଭରର ଶେଷ ବଲରେ ଶ୍ରେୟସ ଆୟରଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ ହେନରୀ । ପ୍ରଥମେ ଅମ୍ପାୟାର ଆଉଟ୍ ଦେଇନଥିଲେ । କିନ୍ତୁ ନ୍ୟୁଜିଲାଣ୍ଡ ଡିଆରଏସ୍ ନେବା ପରେ ନିଷ୍ପତ୍ତି ଭାରତ ବିପକ୍ଷରେ ଯାଇଥିଲା । ଫଳରେ ପ୍ରଥମ ଓଭର ଶେଷ ସୁଦ୍ଧା ଭାରତର ସ୍କୋର ଥିଲା ୦ ରନରେ ୩ ୱିକେଟ୍ ।

Also read: ରୋହିତ-ବିରାଟ-ଶ୍ରେୟସ-ଗାଏକଓ୍ୱାଡ୍ ସବୁ ଫେଲ୍, ୧୦୦ ଛୁଇଁଲାନି ସ୍କୋର : ୨୪୪ ରନରେ ଜିତିଲା ନ୍ୟୁଜିଲାଣ୍ଡ

ପ୍ରଥମ ଓଭରରେ ତିନି କିମ୍ବା ତା'ଠାରୁ ଅଧିକ ୱିକେଟ୍ ନେବା ଏକ ବିରଳ ଘଟଣା । ଏହି ସଫଳତା ସହିତ ମ୍ୟାଟ୍ ହେନରୀ ଦକ୍ଷିଣ ଆଫ୍ରିକାର ସନ୍ ପୋଲକ୍ ଏବଂ ଶ୍ରୀଲଙ୍କାର ଚାମିଣ୍ଡା ଭାସଙ୍କ ସ୍ୱତନ୍ତ୍ର କ୍ଲବରେରେ ସାମିଲ ହୋଇଛନ୍ତି । ୨୦୦୩ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ଚାମିଣ୍ଡା ଭାସ ପ୍ରଥମ ଓଭରର ପ୍ରଥମ ତିନିଟି ବଲରେ ହ୍ୟାଟ୍ରିକ୍ ନେଇଥିଲେ । ସେହି ଓଭରରେ ସେ ମୋଟ୍ ଚାରିଟି ୱିକେଟ୍ ନେଇଥିଲେ । ସନ୍ ପୋଲକ୍ ୧୯୯୭ ମସିହାରେ ଲାହୋରରେ ପାକିସ୍ତାନ ବିପକ୍ଷରେ ପ୍ରଥମ ଓଭରରେ ତିନି ୱିକେଟ୍ ନେଇଥିଲେ । ଅନ୍ୟପକ୍ଷରେ ମ୍ୟାଟ୍ ହେନରୀ ପ୍ରଥମ ଓଭରରେ ତିନୋଟି ୱିକେଟ୍ ନେଇ ନ୍ୟୁଜିଲାଣ୍ଡ ପାଇଁ ଏକ ବିରଳ ସଫଳତା ହାସଲ କରିଛନ୍ତି ।