ନୂଆଦିଲ୍ଲୀ: ଚିନି ଋତୁ ଆରମ୍ଭରେ ରେକର୍ଡ ଉତ୍ପାଦନ ସତ୍ତ୍ୱେ ଖୁଚୁରା ବଜାରରେ ମୂଲ୍ୟ ହ୍ରାସ ହେବାର ନାଁ ଧରୁ ନାହିଁ । ଘରୋଇ ବଜାରରେ ପର୍ଯ୍ୟାପ୍ତ ଷ୍ଟକ୍ ଏବଂ ଯୋଗାଣ ଉନ୍ନତ ଥାଇ ମଧ୍ୟ ଚିନି ମୂଲ୍ୟ ଉଚ୍ଚ ସ୍ତରରେ ରହିଛି । ବଜାରର ବର୍ତ୍ତମାନ ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର ରହିଛି । ସରକାର ସମ୍ୱନ୍ଧୀୟ ଅଧିକାରୀଙ୍କୁ ବଜାରରେ କଡ଼ା ନଜର ରଖିବା ଏବଂ ଠିକ୍ ସମୟରେ ଜରୁରି ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଖାଦ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଦେଶର ଚିନି ବଜାରର ସ୍ଥିତି ସମୀକ୍ଷା କରାଯାଇଥିଲା । ମୂଲ୍ୟ ସ୍ଥିରତା ପାଣ୍ଠି (Price Stabilisation Fund) ଅଧୀନରେ ରଖାଯାଇଥିବା ବଫର ଷ୍ଟକକୁ ଆବଶ୍ୟକତା ଅନୁସାରେ ଠିକ୍ ସମୟରେ ବଜାରକୁ ଛାଡ଼ିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି । ଏହାଦ୍ୱାରା ଖୁଚୁରା ବଜାରରେ ଚିନି ଦର ହଠାତ୍ ବଢ଼ିବାକୁ ରୋକାଯାଇପାରିବ ଏବଂ ସାଧାରଣ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ଚିନି ମିଳିପାରିବ ।

ଚିନି ଉତ୍ପାଦନ ଓ ଯୋଗାଣ ବଢ଼ିବା ପରେ ଦର କମିବ ବୋଲି ଆଶା କରାଯାଉଥିଲା । କିନ୍ତୁ ବାସ୍ତବରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି । ବିଜନେସ୍ ଷ୍ଟାଣ୍ଡାର୍ଡ ହିନ୍ଦୀ ଅନୁସାରେ ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟ ଅନୁସାରେ, ୨୦୨୬ ନଭେମ୍ବର ୧୧ ତାରିଖରେ ଦେଶରେ ଚିନିର ହାରାହାରି ଖୁଚୁରା ମୂଲ୍ୟ କିଲୋ ପ୍ରତି ୬୦ ଟଙ୍କା ୫୩ ପଇସା ରହିଥିଲା। ଅନ୍ୟପକ୍ଷରେ, ଗତବର୍ଷ ସମାନ ତାରିଖରେ ଚିନିର ଦର କିଲୋ ପ୍ରତି ୪୬ ଟଙ୍କା ୬୧ ପଇସା ଥିଲା । ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ ଚିନି ଦରରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ଅକ୍ଟୋବର ୧୧ ତାରିଖରେ ଚିନିର ଖୁଚୁରା ମୂଲ୍ୟ କିଲୋ ପ୍ରତି ୫୪ ଟଙ୍କା ୯୨ ପଇସା ଥିବାବେଳେ ଏବେ ଏହା ଆହୁରି ବଢ଼ିଛି ।

ଇଣ୍ଡିଆନ୍ ସୁଗାର ଆଣ୍ଡ ବାୟୋ-ଏନର୍ଜି ମ୍ୟାନୁଫାକ୍ଚରର୍ସ ଆସୋସିଏସନ୍ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ନଭେମ୍ବର ୫ ତାରିଖ ସୁଦ୍ଧା ଭାରତରେ ୧୨.୮୫ ଲକ୍ଷ ଟନ୍ ଚିନି ଉତ୍ପାଦନ ହୋଇଥିଲା । ଗତବର୍ଷ ସମାନ ସମୟରେ ଏହି ଉତ୍ପାଦନ ମାତ୍ର ୩.୨୦ ଲକ୍ଷ ଟନ୍ ଥିଲା । ଅର୍ଥାତ୍ ଚିନି ଉତ୍ପାଦନ ପ୍ରାୟ ୪ ଗୁଣ ବଢ଼ିଛି । ନଭେମ୍ବର ୫ ସୁଦ୍ଧା ଦେଶରେ ୧୮୪ଟି ଚିନି କଳରେ ଆଖୁ ପେଡ଼ା ଆରମ୍ଭ ହୋଇଥିଲା । ଗତବର୍ଷ ସମାନ ସମୟରେ ମାତ୍ର ୧୫୪ଟି ଚିନି କଳରେ ଆଖୁ ପେଡ଼ା ଆରମ୍ଭ ହୋଇଥିଲା । ଏଥିରୁ ଚଳିତବର୍ଷ ଚିନି ଉତ୍ପାଦନ ଋତୁ ଆଗୁଆ ଆରମ୍ଭ ହୋଇଥିବା ସ୍ପଷ୍ଟ ହେଉଛି । ତେବେ ଉତ୍ପାଦନ ବଢ଼ିବା ସତ୍ତ୍ୱେ ବଜାରରେ ଚିନି ଦର ନକମିବା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।